ପାଣ୍ଡବ-ବନବାସ

 

 

 

 

 

 

 

 

 

 

ପାଣ୍ଡବ-ବନବାସ

ଶ୍ରୀ ରାଧାମୋହନ ରାଜେନ୍ଦ୍ର ଦେବ

 

ପ୍ରଥମ ଅଙ୍କ

ନାନ୍ଦୀ-

 

“ଦୁର୍ଜନ ଉଦାର” ପ୍ରତି ।

ବନ୍ଦେ ଭୂଭାରନିବାର ସୁଧୀର ଶ୍ୟାମଳଜଳଧର ମଧୁର ଶରୀର

ନନ୍ଦ କୁମାର ।ପଦ।

 

ଧେନୁଚାରୀ ଧେନୁକାରି ଅନୁଗତଜନୋଦ୍ଧାର,

ଉପେନ୍ଦ୍ରଇନ୍ଦ୍ର-ଅନୁଜ ମନୁଜପୂଜିତପଦନଖର,

ହୃଦନ୍ତରେ ବିଭୂ ବିହର,

କମଳାବିଳାସଚତୁର ।୧।

 

ପୂର୍ବଦେବଗର୍ବ ଖର୍ବ କରଣେ ଅତି ଧୁରୀଣ,

ତ୍ରିଲୋକଶୋକକଳୁଷତମସ ଭେଦନକର ଅରୁଣ,

ଚରାଚରନୁତଚରଣ,

ଯମୁନାପୁଳିନଚରଣ ।୨।

 

ଧର୍ମଶୀଳ କର୍ମବୀର ସରସ ସର ଶରଣ୍ୟ,

ସୁବର୍ଣ୍ଣ ବର୍ଣ୍ଣବସନଭୂଷଣ ଦୁର୍ଜନଦବଦହନ,

 

ନମଜ୍ଜନସୁଖସଦନ,

ନମନନଳିନନୟନ ।୩।

 

(ସ୍ଥାନ କାମ୍ୟକ ବନା ଯୁଧିଷ୍ଠିର, ଭୀମ, ନକୁଳ, ସହଦେବ, କୃଷ୍ଣ, ଧୃଷ୍ଟଦ୍ୟୁମ୍ନ, ଧୌମ୍ୟ, ଦ୍ରୌପଦୀ ଆସୀନ ।)

 

ଯୁଧି

– ଶ୍ରୀକୃଷ୍ଣ ମହାଭାଗ ! ଆମ୍ଭର ଏହି ଶୋଚନୀୟ ଦୁରବସ୍ଥା ବେଳେ ଆପଣମାନଙ୍କ ପରି ଅନ୍ତରଙ୍ଗ ବନ୍ଧୁମାନେ ଆସି ଦୁଃଖୀପନୋଦନ କରିବାଟା ସମୁଚିତ ହୋଇଅଛି । ସମସ୍ତ ବିଷୟ ତ ଅବଗତ ହୋଇଥିବେ, ଅଧିକ କଣ ଜଣାଇବି ? ମୁଁ ଜାଣେ, “ସୁଖସ୍ୟ ଦୁଃଖସ୍ୟ ନ କୋଽପି ଦାତା ପରୋ ଦତାତୀତି କୁବୁଦ୍ଧିରେଷା । ଅହଂ କରୋମୀତି ବୃଥାଭିମାନଃ ସ୍ୱକର୍ମପୂତ୍ର- ଗ୍ରଥିତୋହି ଲୋକଃ । “ତଥାପି ଯେଉଁ ନୀଚ ବିଷୟରେ ଆଗ୍ରହାନ୍ୱିତ୍‌ ହୋଇ ଏ ଯାତନା ଭୋଗ କରୁଅଛି, ତାହା ବ୍ୟକ୍ତ କରିବା ଲାଗି ରସନା ସଙ୍କୁଚିତ ଓ ମୁଁ ସୁଦ୍ଧା ମ୍ରିୟମାଣ । ଅହୋ କି ଅବିମୃଷ୍ୟକାରିତା !

 

 

କୃଷ୍ଣ

– ଯୁଧିଷ୍ଠିର ମହାରାଜ ! ବିଗତ ବିଷୟରେ ଚିନ୍ତିତ ହେବା ଉଚିତ ନୁହେ, ମହୀରୁହ କାଳବଶରୁ ମନୋମୁଗ୍ଧକର ସୁମନ, ସୁରମ୍ୟ ଫଳ, ପରିଶେଷରେ ସୁନୀଳ ଦଳମାନଙ୍କୁ ସୁଦ୍ଧା ହରାଇ ଦେଇ ନୀରବ ଭାବରେ ବସନ୍ତ ଶୁଭାଗମନକୁ ନିରାଲମ୍ବରେ ଚାହିଁ ରହିଥିଲା ପରି ଆପଣ ସମୟକୁ ଅପେକ୍ଷା କରି ରହନ୍ତୁ । ଦ୍ୱାରାବତୀର ସମସ୍ତ ରାଜସମ୍ପଦ ଓ ପୁତ୍ର ପୌତ୍ର ସହ ମୁଁ ଭବଦୀୟ ଆଜ୍ଞାବହ ବୋଲି ମନେ କରନ୍ତୁ । ଆଶ୍ଚର୍ଯ୍ୟର ବିଷୟ, ଏ ଭବମଣ୍ଡଳରେ “ମତିମତାଂ ଚ ବିଲୋକ୍ୟ ଦରିଦ୍ରତାଂ ବିଧିରହୋ ବଳବାନିତି ମେ ମତିଃ”-

 

 

ଯୁଧି

– ମହାଭାଗ ! ମୁଁ ରାଜସମ୍ପଦ ଓ ଅନ୍ୟାନ୍ୟ ଭୋଗବିଳାସ ଲାଗି ଚିନ୍ତାତୁର ହେଉ ନାହିଁ, କିନ୍ତୁ ଆଗମନ ସମୟରେ ପରଗୃହାଶ୍ରିତା ରୋରୁଦ୍ୟମାନା ଜନନୀଙ୍କର ସେହି ସ୍ପନ୍ଦାୟମାନ ଜରାଜୀର୍ଣ୍ଣ କଳେବର, ସେହି କରୁଣ ରସବ୍ୟଞ୍ଜକ କଣ୍ଠରୁଦ୍ଧ ଗଦ୍‍ଗଦାକ୍ଷର, ସେହି ବାତ୍ସଲ୍ୟପୂର୍ଣ୍ଣ ପ୍ରେମାର୍ଦ୍ର ଆଶୀର୍ବାଦ ମୋ ହୃଦୟକୁ ବ୍ୟାକୁଳ କରି ଦେଉଅଛି । ଆହା ! ଧର୍ମାତ୍ମା ବିଦୁର ଆଶ୍ରୟ ଦେଇ ଅକପଟ ପ୍ରେମାନୁବନ୍ଧନର କି ସମ୍ପୂର୍ଣ୍ଣ ପରିଚୟ ଦେଇଅଛନ୍ତି ?

 

 

ଧୃଷ୍ଟ

– ଏ ବନବାସର ଅବଧି ଦ୍ୱାଦଶ ବର୍ଷ ନୁହେ କି ?

 

 

ନକୁ

– ଆଉ ଗୋଟିଏ ବର୍ଷର କଥା ଉଲ୍ଲେଖ କରୁନାହିଁ କାହିଁକି ?

 

 

ଧୌମ୍ୟ

– ଧୃଷ୍ଟଦ୍ୟୁମ୍ନ ମହାଭାଗ ! ସେହି ଶେଷ ବର୍ଷହିଁ ଭୟାବହ ଅଜ୍ଞାତବାସ ଅଟେ

 

 

ଧୃଷ୍ଟ

– ଅଜ୍ଞାତବାସ ଏହାର ତାତ୍‍ପର୍ଯ୍ୟ ?

 

 

ସହ

– ଏହାର ତାତ୍‍ପର୍ଯ୍ୟ ଏହି କି, ଗୁରୁତର ଅପରାଧଜର୍ଜରିତ ବ୍ୟକ୍ତି ସମାଜଚ୍ୟୁତ ହେଲା ପରି ନିଶାସ୍ୱେଚ୍ଛାଚାରୀ ଉଲ୍ଲୁକଠାରୁ ସୁଦ୍ଧା ନ୍ୟୂନ ହୋଇ ଆମ୍ଭେ ଆତ୍ମସମ୍ମାନକୁ ପଦଦଳିତ କରି ଅହର୍ନିଶ ଲୁକ୍‍କାୟିତଭାବରେ କୌଣସି ସ୍ଥାନରେ କାଳାତିପାତ କରିବାର କଥା ।

 

 

କୃଷ୍ଣ

– ଆହା, କି କ୍ଳେଶଦାୟିନୀ ନିର୍ଯାତନା !

 

 

ଧୃଷ୍ଟ

– ଆଚ୍ଛା, ଅଜ୍ଞାତବାସ ଭିତରେ ଦୁରାତ୍‍ମା ଦୁର୍ଯ୍ୟୋଧନ ଆପଣମାନଙ୍କର ଅସ୍ତିତ୍ୱ ଉପଲବ୍ଧି କଲେ ?

 

 

ଭୀମ

– ପୁନର୍ବାର ତ୍ରୟୋଦଶ ବର୍ଷ ଶବର ମୈତ୍ରୀ କରିବାକୁ ହେବ । ଶ୍ରୀକୃଷ୍ଣ ମହାଭାଗ ! ମୋର ସ୍ୱଭାବ ସମ୍ୱନ୍ଧରେ ଅବଶ୍ୟ ଆପଣଙ୍କର ଅନ୍ୟ ଧାରଣା ଥାଇପାରେ, କିନ୍ତୁ ମୁଁ କ୍ଷତ୍ରିୟ ରକ୍ତ ମାଂସ ଶରୀର ଧରି ଆର୍ଯ୍ୟଙ୍କ ଅନୁଗ୍ରହରୁ ଯେଉଁ ଅପମାନ ଓ ଭର୍ତ୍ସନା ସହ୍ୟ କରି ଆସୁଅଛି, ତଦ୍ଦ୍ୱାରା ସର୍ବସଂହା ହେଲେ ବିଦୀର୍ଣ୍ଣ ହୋଇଯାନ୍ତା, ବଜ୍ରସାର ପର୍ବତର ହୃଦୟ ସୁଦ୍ଧା ଫାଟି ଯାଇଥାନ୍ତା । ଓହୋ, କି ନିର୍ଲଜ୍ଜତା ! ଯେଉଁ ଭୀମ ଜରାସନ୍ଧାଦି ଭୁବନଖ୍ୟାତ ବୀରମାନଙ୍କର ବଳକୁ ଅବହେଳାରେ ଦଳନ କରି ଦେଇଥିଲା, ଯେ ଆଗମନ ମାର୍ଗରେ ଅଚିରରେହିଁ ମହୋତ୍‍କଟ କର୍ମୀରକୁ ପ୍ରେତପୁର – ଅତିଥି କରାଇ ଦେଇଅଛି, ସେ କି କୀଟାନୁକୀଟ ଦୁଃଶାସନ ପ୍ରିୟତମାର କେଶାକର୍ଷଣ କଲାବେଳେ କାପୁରୁଷ ପରି ରହିଥାନ୍ତା ?

 

 

କୃଷ୍ଣ

– ଭୀମସେନ ମହାଭାଗ ! ଶାନ୍ତ ହୁଅ, ଦେଖ, “ପାତିତୋଽପି କରାଘାତୈଃ ଉତ୍‍ପତତ୍ୟେବ କନ୍ଦୁକଃ । ପ୍ରାୟେଣ ସାଧୁବୃତ୍ତାନାମସ୍ଥାୟିନ୍ୟୋ ବିପତ୍ତୟଃ ।” ମୋ ମତରେ ଏ ବିପଦ ଚିରସ୍ଥାୟୀ ନୁହେ । ଆପଣଙ୍କର ଏ ସହନ ଗୁଣ ସୁଦ୍ଧା ମହତ୍ତ୍ୱର ପରିଚୟ ଦେଉ ନାହିଁ କି ?

 

 

ଭୀମ

– ଶ୍ରୀକୃଷ୍ଣ ମହାଭାଗ ! ଶାନ୍ତ ହେବାଲାଗି ଆଉ ଉପଦେଶ ଦେଉଅଛନ୍ତି କାହିଁକି ? ଦାରାଭାତୃପଣକାରୀ ମହାରାଜାଙ୍କ ହେତୁ ଚିରଦିନ ଲାଗି ତ ଆମ୍ଭେ ଶାନ୍ତ ହୋଇଗଲୁଣି-। ଦେଖ, ଲବ୍ଧପ୍ରତିଷ୍ଠ ରାଜପୁତ୍ରମାନେ ମାନବଜୀବନର ହୃତ୍‍ପିଣ୍ଡସ୍ୱରୂପ ଯୌବନରେ ସୁଖ ଭୋଗକରି ପର କାଳରେ ମୁନିବ୍ରତ ଅବଲମ୍ୱନ କରିଥିବା ପ୍ରଥା ବିଦ୍ୟମାନ, କିନ୍ତୁ ଆମ୍ଭେ ସତ୍ୟରକ୍ଷା କରିବାକୁ ଯାଇ ଶୈଶବରେ ପରଦାସ, ଯୌବନରେ ବନବାସ, ବାର୍ଦ୍ଧକ୍ୟରେ ରାଜ୍ୟାଭିଳାଷ ରଖି ଶେଷରେ ମୃତ୍ୟୁମୁଖରେ ପ୍ରବେଶ କରି ସତ୍ୟର ଗୋଟିଏ ସୁଚିତ୍ର ବୈଜୟନ୍ତୀ ଉଡ଼ାଇ ଦେବୁଁ । ଆଃ ! ଏକସପ୍ତାହ ମାତ୍ର କିଏ ସ୍ୱାତନ୍ତ୍ର୍ୟ ପ୍ରଦାନ କରନ୍ତା ?

 

 

ଧୌମ୍ୟ

– ମହାଭାଗ ! ଶ୍ରୀକୃଷ୍ଣଙ୍କର ଆଶୟକୁ ବୁଝିପାରିଲେ ନାହିଁ ? “ଛିନ୍ନୋଽପି ରୋହତି ତରୁଃ କ୍ଷୀଣୋପ୍ୟୁପଚୀୟତେ ଚନ୍ଦ୍ରଃ ।” ଅତଏବ କ୍ଷିପ୍ରକାରିତା ଅଶୋଭାକର ଅଟେ ।

 

 

ଦ୍ରୌପ

– (ଅଶ୍ରୁ ପୋଛ) ଶ୍ରୀକୃଷ୍ଣ ମହାଭାଗ ! ଏ ହତଭାଗିନୀ ବୀରନନ୍ଦିନୀ, ବୀରଭଗିନୀ, ବୀରପତ୍ନୀ ହୋଇ କୁଟୀରବାସିନୀକି ସୁଦ୍ଧା ସମାନ ନୋହି ଯେଉଁ କ୍ଳେଶାନୁଭବ କଲା, ତାହା କଣ ଜଣାଇବି ? ହାୟ, ସେ ଯନ୍ତ୍ରଣା ସ୍ମରଣ ହେଲେ ହୃତ୍‍କମ୍ପ ହେଉଅଛି । ମୁଁ ଏକବସ୍ତ୍ରା ହୋଇଥିଲା ବେଳେ କେଶାକର୍ଷଣପୂର୍ବକ ଦୁରାତ୍ମା ଦୁଃଶାସନ ବିରାଟ ସଭା ମଧ୍ୟରେ କାପୁରୁଷ ପତିମାନଙ୍କ ସମକ୍ଷରେ ଯେଉଁ ଭର୍ତ୍ସନା କଲା, ତାହା କି ଜନ୍ମାନ୍ତରରେ ସୁଦ୍ଧା ବିସ୍ମରଣ ହେବ ? ହାୟ, ଭୀମାର୍ଜୁନଙ୍କ ଅତୁଳ ବିକ୍ରମକୁ ଧିକ୍‌ ହେଉ !

 

 

ଭୀମ

– ତେବେ ତତ୍‌ପୂର୍ବରୁ ଯୁଧିଷ୍ଠିରଙ୍କ ବିକ୍ରମକୁ ଥରେ ଧନ୍ୟବାଦ ଦେବା ଉଚିତ ।

 

 

ଦ୍ରୌପ

– ତାହାଙ୍କ କଥା ଛାଡ଼ । ପଦ୍ମିନୀର ଦିବାକର, ମଧୁକର, କମଳାକର, ବସନ୍ତସମୀର ଓ ବିଷ୍ଣୁକର ଆଶ୍ରୟ ଥିବାଠାରେ ନୀଚ ବଳିଦ୍ମକ ଚରଣମଥିତ ହେବା ବିଡ଼ମ୍ୱନାର ବିଷୟ ନୁହେ କି ? ମୁଁ ପଞ୍ଚ ପାଣ୍ଡବଙ୍କର ମହିଷୀ, ମୋ ପ୍ରତି ଏ କଠୋର ଯାତନା ? ଆହା, ବିଧିଲିଖିତ କି ଲଲାଟଂ ତପ ଲିପିମାଳା ? ମଧୁସୂଦନ ! ତଦାନୀନ୍ତନ ଦୁର୍ଘଟନା ବେଳେ ଆପଣଙ୍କ ମାହାତ୍‍ମ୍ୟହିଁ ରକ୍ଷା କଲା; ନୋଚେତ୍‌ ଏ ହତଭାଗିନୀର ଅବସ୍ଥା କଣ ହୋଇଥାନ୍ତା ? (ପଟାଞ୍ଚଳରେ ଅଶ୍ରୁ ପୋଛିବା)

 

 

କୃଷ୍ଣ

– ମା ! ଆଶ୍ୱସ୍ତ ହୁଅ, ଆମ୍ଭପରି ଆତ୍ମୀୟ ସ୍ୱଜନମାନେ ଥାଉ ଥାଉ ଏ ଅକ୍ଷମଣୀୟ ପାପର ଉପଯୁକ୍ତ ଫଳ ଯାହା ଅଦ୍ୟାପି କୁରୁମାନେ ପାଇ ନାହାନ୍ତି, ତାହା ଆମ୍ଭମାନଙ୍କ ପକ୍ଷରେ, କ୍ଷତ୍ରିୟ ଜାତି ପକ୍ଷରେ ଏବଂ ଧର୍ମ ପକ୍ଷରେ ସୁଦ୍ଧା ନିନ୍ଦନୀୟ ବିଷୟ ହେଉ, ମୁଁ ସତ୍ୟ କରି କହୁଅଛି କି, ଧାର୍ତ୍ତରାଷ୍ଟ୍ର ରକ୍ତରେ ମହାଦେବୀ ରଞ୍ଜିତ ନ ହେବା ପର୍ଯ୍ୟନ୍ତ ମୋ ମନ କଦାପି ଶାନ୍ତ ହେବ ନାହିଁ ।

 

 

ଭୀମ

– ବାଃ ! ଏ ଉପଯୁକ୍ତ କଥା । ଆଚ୍ଛା, ଏ ବିଷୟରେ ବୀରପୁତ୍ରୋଚିତ ଚେଷ୍ଟା ଚାଲିବ ତ ?

 

 

କୃଷ୍ଣ

– ଅବଶ୍ୟ । ଯାଜ୍ଞସେନୀଙ୍କ ଅଭିଶାପ ହିଁ ସେ ସମସ୍ତ କାର୍ଯ୍ୟ ନିର୍ବାହ କରିଦେବ । କିନ୍ତୁ ଆମ୍ଭେ ଏ ବିଷୟରେ ନିମିତ୍ତ ମାତ୍ର ।

 

 

ଧୃଷ୍ଟ

– ତେବେ ଆଉ କେତେ କାଳ ପର୍ଯ୍ୟନ୍ତ ଅପେକ୍ଷା କରିବା ?

 

 

କୃଷ୍ଣ

– ସୁବିଧା ହେବା ପର୍ଯ୍ୟନ୍ତ । ଯେହେତୁ “ସହସା ବିଦଧୀତ ନ କ୍ରିୟାମବିବେକଃ ପରମାପଦାଂ ପଦଂ ।” ମା ପାଞ୍ଚାଳି ! ତୁମ୍ଭର ଧର୍ମବୁଦ୍ଧି ଓ ଉଚ୍ଚ ଆଶ୍ରୟ ମୁଁ ପୂର୍ଣ୍ଣତୟା ଅବଗତ ହୋଇଅଛି । ଆଉ ଅଧୀର ହୁଅ ନାହିଁ । ଅର୍ଜୁନ ତ ତପସ୍ୟା କରିବାକୁ ଯାଇଅଛନ୍ତି, ତାହାଙ୍କର ଆଗମନାନନ୍ତର ସିନା କୌଣସି କଥା ସ୍ଥିର କରିବା ସମ୍ପ୍ରତି ତୁମ୍ଭେ ଦ୍ୟୂତାପହୁତସର୍ବସ୍ୱ ନୟକୋବିଦ ନଳଙ୍କୁ ଦମୟନ୍ତୀ ଶୁଶ୍ରୂଷା କଲା ପରି ପତିସେବା ପରାୟଣା ହୁଅ, ଅବଶ୍ୟ ଭାଗ୍ୟୋଦୟ ହେବ ।

 

 

ଦ୍ରୌପ

– ମହାଭାଗ ! ମୁଁ ତାହା ଜାଣେ; ତଥାପି ନଳ ମହାରାଜା ହାରିଥିଲେ ସତ୍ୟ, କିନ୍ତୁ ସେ ଘଟନାରେ ଭାଇ ଭାର୍ଯ୍ୟାର ପଣ ହୋଇ ନ ଥିଲା ଓ ଦମୟନ୍ତୀଙ୍କର ସୁଦ୍ଧା ଏ ଦାରୁଣ ଅପମାନ ହୋଇ ନ ଥିଲା । ଆହା, ଆପଣ ହେଲେ ସେହି ମାରାତ୍ମକ ଦ୍ୟୂତକ୍ରୀଡ଼ାବେଳେ ଉପସ୍ଥିତ ହୋଇଥିଲେ ଆମ୍ଭର କି ଏ ଦୁର୍ଦ୍ଦଶା ହୋଇଥାନ୍ତା ?

 

 

କୃଷ୍ଣ

– ସାଧୁଶୀଳେ ! ମୁଁ କଣ କରିବି ? ଏ ଅବାନ୍ତରରେ ସୌଭପତି ଶାଲ୍ୱ ଦ୍ୱାରକାକ୍ରମଣ କରି ଯେଉଁ ଉତ୍‍କଟ ଅନିଷ୍ଟ କଲା, ତାହା ବର୍ଣ୍ଣନାତୀତ । ମୁଁ ସହସା ସେ ଦୁଷ୍ଟକୁ ଉପଯୁକ୍ତ ଦଣ୍ଡ ଦେଇ ଏ ଦୁଃସମ୍ୱାଦ ଶୁଣି ଧାଇଁ ଆସୁଅଛି । ମୁଁ ଉପସ୍ଥିତ ଥିଲେ ଛାର ଦୁର୍ଯ୍ୟୋଧନର କି କାମନାପୂର୍ଣ୍ଣ ହୋଇଥାନ୍ତା ?

 

 

ଭୀମ

– ଶ୍ରୀକୃଷ୍ଣ ମହାଭାଗ । ଆର୍ଯ୍ୟଙ୍କଠାରୁ ଧର୍ମୋପଦେଶ ଶିକ୍ଷା କରି ଶାଲ୍ୱ ଯୁଦ୍ଧରେ ଋଷିବ୍ରତ ଅବଲମ୍ୱନ କଲେ ନାହିଁ କାହିଁକି ?

 

 

ଧୃଷ୍ଟ

– ଏ କି କଥା, ପରପରାଭବ ସହନ କି କ୍ଷତ୍ରିୟ ଯୁବା ପକ୍ଷରେ ଶିରଚ୍ଛେଦ ତୁଲ୍ୟ ନୁହେ ?

 

 

ଦ୍ରୌପ

– ଭାଇ ! ସତ୍ୟ କହିଅଛ । ଅଚିନ୍ତ୍ୟମହମ କ୍ଷାତ୍ରବୃତ୍ତିର ପ୍ରଭାବ ଶାନ୍ତଭାବାପନ୍ନ ମୁନିବ୍ରତ ପରି କେବଳ ଆଶ୍ରମର ସଂକୀର୍ଣ୍ଣ ସୀମାବଦ୍ଧ ନୁହେ । ଉପାର୍ଜନୈକଲକ୍ଷ୍ୟ ବଣିକ୍‍ବୃତ୍ତି ପରି ବିପଣିଗର୍ଭସ୍ଥ ନୁହେ । ତାହାର ଉଦୀୟମାନ ବୈଭବ ସର୍ବତ୍ର ଅବାରିତ, ଉଦାରତା ଭୁବନବ୍ୟାପକ, ପ୍ରସାର ଚତୁଃସାଗରାବଲୀଢ଼, କୁଟିଳତା ଦୁର୍ଭେଦ୍ୟ, ଦଣ୍ଡନୀତି ଆତ୍‍ମୀୟସହଚର ଅଟେ ।

 

 

ଭୀମ

– ପ୍ରିୟେ ! ଦଣ୍ଡନୀତିଶୂନ୍ୟ ରାଜାର ରାଜୋପାଧି ହାସ୍ୟାସ୍ପଦ ଓ ଶୂନ୍ୟଗର୍ଭ ନୁହେ କି ? ଆଚ୍ଛା, ଆଉ ଗୋଟିଏ କଥା, ନିରୀହ ବନବାସୀ ଋଷିଗୁଡ଼ିକ ତ ଆର୍ଯ୍ୟଙ୍କର ସତ୍ୟନିଷ୍ଠା ଓ ଧର୍ମଭୀରୁତା ସମ୍ୱନ୍ଧରେ ସୁଦୀର୍ଘ ସନନ୍ଦ ଗୋଟିଏ ପ୍ରଦାନ କଲେ ତଦ୍ଦ୍ୱାରା ଆମ୍ଭ ସପ୍ତପୁରୁଷ ପର୍ଯ୍ୟନ୍ତ ବୈକୁଣ୍ଠ ପ୍ରାପ୍ତ ହେବେ ସନ୍ଦେହ ନାହିଁ । ତେବେ ସେହି ବ୍ୟବସ୍ଥାପକମାନେ “ଦ୍ୟୂତଂ ସମାହୟଂ ଚୈବ ରାଜା ରାଷ୍ଟ୍ରାନ୍ନିବର୍ତ୍ତୟେତ୍‌ । ରାଜ୍ୟାନ୍ତକରଣାବେତୌ ଦ୍ୱୈଦୋଷୌ ପୃଥିବୀକ୍ଷିତାଂ ।” ଇତ୍ୟାଦି ଦ୍ୟୂତଦୋଷପ୍ରକାଶକ ଭୂରି ଭୂରି ବାକ୍ୟ ଉଲ୍ଲିଖିତ କରିଥିଲାବେଳେ ଆମ୍ଭ ମହାରାଜ ସେହି ଋଷିମାନଙ୍କ ଗୌରବାସ୍ପଦ ହୋଇ ନିଜେ ଦ୍ୟୂତକ୍ରୀଡ଼ାରତ ହେଲେ କାହିଁକି ?

 

 

କୃଷ୍ଣ

– ଭୀମସେନ ମହାଭାଗ ! ଏ କି ବ୍ୟଙ୍ଗୋକ୍ତି ! ମହାରାଜ କି ସ୍ୱେଚ୍ଛାପ୍ରଣୋଦିତ ବା କର୍ମଫଳାକାଂକ୍ଷୀ ହୋଇ ଦୁରୋଦରାକୃଷ୍ଟ ହୋଇଥିଲେ ଏବଂ ପ୍ରକୃତପକ୍ଷରେ ଯୁଧିଷ୍ଠିର କି ତ୍ରିଲୋକମାନ୍ୟ ଓ ମହନୀୟ ନୁହନ୍ତି ? ତଦୀୟ ବିଶୁଦ୍ଧତା ବିଷୟରେ ବ୍ରହ୍ମର୍ଷି ସମାଜର ଯେଉଁ ଅବିଚଳିତ ଧାରଣା ଅଛି, ତାହା କି ସର୍ବସାଧାରଣଲଭ୍ୟ ମନେ କରିଅଛ ? ସତ୍ୟରକ୍ଷାର ମହିମା କି ସୁଲଭ ବ୍ୟାପାର ଅଟେ ? ଦେଖ, “ଅଦ୍ୟାପିନୋଜ୍‌ଝତି ହରଃ କିଳ କାଳକୂଟଂ କୂର୍ମୋ ବିଭର୍ତ୍ତି ଧରଣୀଂ ଖଳୁ ପୁଷ୍ଠକେନ । ଅମ୍ଭୋନିଧିର୍ବହତି ଦୁର୍ବହବାଡ଼ବାଗ୍ନିଂ ଅଙ୍ଗୀକୃତଂ ସୁକୃତିନଃ ପରିପାଳୟନ୍ତି

 

 

ନକୁ

– ତଥାପି, “ଦଣ୍ଡଃ ଶାସ୍ତି ପ୍ରଜାଃ ସର୍ବାଃ ଦଣ୍ଡ ଏବାଭିରକ୍ଷତି । ଦଣ୍ଡଃ ସୁପ୍ତେଷୁ ଜାଗର୍ତ୍ତ ଦଣ୍ଡଂ ଧର୍ମଂ ବିଦୁର୍ଜନାଃ ।” ଇତ୍ୟାଦି ଦଣ୍ଡର ପ୍ରାଧାନ୍ୟକୁ ନେଇ ଋଷିମାନେ କ୍ଷାତ୍ରଧର୍ମ ପକ୍ଷରେ କରଣୀୟତା ପ୍ରତିପାଦନ କରି ନାହାନ୍ତି କି ?

 

 

ଭୀମ

– ଭାଇ ! ସେ ନିରୀହ ଓ ଦୁର୍ବଳ ଋଷିମାନେ କ୍ଷାତ୍ର ଜାତିର ଉତ୍‍କର୍ଷତାଦ୍ୟୋତକ ପ୍ରଶଂସାବାଦଗୁଡ଼ିକ ଉଲ୍ଲେଖ କରି ନ ଥିଲେ ବଳିଷ୍ଠ ରାକ୍ଷସମାନେ କି ଏମାନଙ୍କୁ ଧୂଳିସାତ୍‌ କରି ନାମାବଶିଷ୍ଟ କରି ଦିଅନ୍ତେ ନାହିଁ ? “ପ୍ରାହୁଣିକ ହସ୍ତେ ସର୍ପମାରଣଂ” ନୋଚେତ୍‌ ଆଜି କି କ୍ଷାନ୍ତ ହୋଇଥାନ୍ତେ ?

 

 

ଯୁଧି

– ଭାଇ ! ତୁମ୍ଭର ଏ ବିଦ୍ୱେଷଦୂଷିତ ବାକ୍ୟର ଅର୍ଥ ମୋତେ ଆଶ୍ଚର୍ଯ୍ୟାନ୍ୱିତ କରୁଅଛି । ଆମ୍ଭେମାନେ ସ୍ଥୂଳବୃଦ୍ଧି ହୋଇ ଅପାରମହିମ ଋଷିମାନଙ୍କ ପ୍ରତି ମିଥ୍ୟାଧିକ୍ଷେପ କରିବା ଉଚିତ ନୁହେ । ଅବଶ୍ୟ ମୁଁ ବିରାଟ ଅନ୍ୟାୟର କାର୍ଯ୍ୟ କରିଅଛି, ମୋର ଅବିନୟ ହେତୁ ତୁମ୍ଭେମାନେ ସୁକୁମାର ରାଜକୁମାର ହୋଇ ବିସଙ୍କଟ ଅରଣ୍ୟପଥରେ ଅସୀମ କ୍ଳେଶ ପାଉଅଛ । ତୁମ୍ଭର ଭ୍ରାତୃଭକ୍ତିକି ଧନ୍ୟବାଦ । ତଥାପି; ଭାଇ ! “ପାର୍ଥିବ ପରମାଣୁପକଳ୍ପିତ” ଜଳବୁଦ୍‌ବୁଦୋପମ ଅନିତ୍ୟ ଶରୀରଧାରୀ ଜୀବନରେ ଅନନ୍ତସ୍ଥାୟୀ ଆଶା ପୋଷଣ କରି ଭୁକ୍ତଭୋଗା ବସୁନ୍ଧରା ଲାଗି ବୈରସଂସ୍ଥାପନା କରିବାଟା କି ଅସୁନ୍ଦର ନୁହେ ? ଦେଖ, “ଦୃଷ୍ଟ୍ୱାତ୍‍ମନିଜୟେ ବ୍ୟଗ୍ରାନ୍‌ ନୃପାନ୍‌ ହସତି ଭୂରିୟଂ । ଅହୋ ମା ବିଜିଗୀଷନ୍ତି ମୃତ୍ୟୋଃ କ୍ରୀଡ଼ନକା ନୃପାଃ ।” ଭାଇ ! “ଧର୍ମୋରକ୍ଷତି ରକ୍ଷିତଃ” ଏହି ମହାମନ୍ତ୍ରକୁ ଉପାସନା କର, ଅନନ୍ତ କଲ୍ୟାଣବିଧାୟକ ପରମେଶ୍ୱର ସମସ୍ତ ବିଷୟ ସୁମୀମାଂସା କରିବେ । “ସନ୍ତୋଷନନ୍ଦନବନଂ ଶାନ୍ତିରେବ ହି କାମଧୁକ୍‌ ।”

 

 

ଧୃଷ୍ଟ

– ନାହିଁ ନାହିଁ, “ଅସନ୍ତୁଷ୍ଟାଃ ଦ୍ୱିଜା ନଷ୍ଟାଃ ସନ୍ତୁଷ୍ଟାଇବ ପାର୍ଥିବାଃ ।” ଯୁଧିଷ୍ଠିର ମହାରାଜ ! ଆଚ୍ଛା, ଆପଣ ଯଦି ଏପରି ନିସ୍ପୃହ, ତେବେ ବିରାଟ ରାଜସୂୟ ବୈଭବକୁ ଆଦର ସହିତ ସ୍ୱୀକାର କଲେ କାହିଁକି ?

 

 

ଦ୍ରୌପ

– ମହାରାଜ ! ଆପଣଙ୍କ ସମକ୍ଷରେ ଏ ଅବୋଧୀ ସ୍ତ୍ରୀ ପ୍ରଣୟ ହେତୁ ଯାହା ଜଣାଉଅଛି, ତାହା ଅଧିକ୍ଷେପ ବୋଲି ମନେ କରିବେ ନାହିଁ । ମହେନ୍ଦ୍ର ତୁଲ୍ୟବିକ୍ରମ ପୂର୍ବବଂଶୀୟ ରାଜୋପାର୍ଜିତ ରାଜ୍ୟଲକ୍ଷ୍ମୀକି ମତ୍ତମାତଙ୍ଗ କୁସୁମମାଳାର ଗୌରବ ନ ବୁଝି ପଦଦଳିତ କଲା ପରି ତ୍ୟାଗ କରିବା କେଉଁ ବିଜ୍ଞୋଚିତ କାର୍ଯ୍ୟ ? “ଶଠେ ଶାଠ୍ୟଂ” ଏ ନୀତି କି ବିବେକ ହୃଦୟରୁ ଉନ୍ମୂଳିତ ହୋଇଗଲା ? ବହ୍ନି ଶୀତଳ ହୋଇଗଲେ ସମସ୍ତେ କି କରମର୍ଦିତ କରି ଦେବେ ନାହିଁ ? ସହୋଦରମାନଙ୍କ ଦୀନ ମଳିନ ବେଶ, ବୁଭୁକ୍ଷିତ ବାଳକଗଣର ଅବସ୍ଥା ଓ ସହଧର୍ମିଣୀର ଏ କାତର କ୍ରନ୍ଦନ ସୁଦ୍ଧା ତୁମ୍ଭର ସେହି ଧାରଣାକୁ ବିଚଳିତ କରୁ ନାହିଁ ? ଆପଣଙ୍କ ଧମନୀରେ ତେଜୀୟାନ୍ କ୍ଷାତ୍ର ରକ୍ତର ବିନ୍ଦୁ ହେଲେ ଧାବିତ ହେଉ ନାହିଁ ? “ଶମେନ ସିଦ୍ଧିଂ ମୁନୟୋ ନ ଭୂଭୃତଃ ।” ଏହାର ଅର୍ଥ କି ଏପରି ମୂଲ୍ୟହୀନ ହୋଇଗଲା ? ଆଚ୍ଛା, ଆପଣ ଯଦି ଏପରି କ୍ଷମାର କ୍ରୀତଦାସ ହେଲେଣି, ତେବେ ଧନୁ ଶରକୁ ତ୍ୟାଗ କରି ଦିଅନ୍ତୁ ନୋଚେତ୍‌ ମୋ ହସ୍ତରେ ପ୍ରଦାନ କରନ୍ତୁ, ମୁଁ ବୀରାଙ୍ଗନା, ଏହାର ସମୁଚିତ ପ୍ରତିକ୍ରିୟା କରିବି ।

 

 

ନକୁ

– ପ୍ରିୟେ ! ସତ୍ୟ କହିଅଛି । କ୍ଷୁଦ୍ର ପିପୀଲିକା ସୁଦ୍ଧା ପାଦାହତି ସହି ନ ପାରି ସୂକ୍ଷ୍ମଦନ୍ତରେ ଦଂଶନ କରି ଦେଉଥିବା ସ୍ଥଳେ ଆମ୍ଭେ କି ତଦପେକ୍ଷା ନ୍ୟୂନ ?

 

 

ସହ

– ଏ କି କଥା, ଧୂଳି ସୁଦ୍ଧା ପାଦାଘାତ ମାତ୍ରେ ଚୂଡ଼ା ପର୍ଯ୍ୟନ୍ତ ଉତ୍‍ଥିତ ହେଉଅଛି । ଆମ୍ଭେ ରାଜପୁତ୍ର ହୋଇ କୁରୁସଭାର ସେ ଯେଉଁ ଶୋଚନୀୟ ଅପମାନ ତାହା ସହ୍ୟ କରିବା କି ଦୂଷଣୀୟ ନୁହେ ?

 

 

ଦ୍ରୌପ

– ମହାରାଜ ! ଆପଣଙ୍କୁ ଯଦି ଶତ୍ରୁହତ୍ୟା କ୍ରୂର କାର୍ଯ୍ୟ ବୋଲି ପ୍ରତୀତି ହେଉଅଛି, ତେବେ ଭାଇମାନଙ୍କୁ ଅନୁଜ୍ଞା ଦିଅ, ସେମାନେ ଯାଇ ଯଦୁ, ବୃଷ୍ଣି, ପାଞ୍ଚାଳ ଓ କେକୟଙ୍କୁ ସଙ୍ଗେ ଘେନି ଶତ୍ରୁ ସଂହାର କରିବେ । ଯାହାଙ୍କର ଅଲଘ୍ୟ ଆଦେଶକୁ ନିର୍ମାଲ୍ୟ କୁସୁମ ପରି ସମସ୍ତ ରାଜମଣ୍ଡଳୀ ଗ୍ରହଣ କରୁଥିଲେ, ଯେ ଅକାତର ଭାବରେ ପ୍ରତ୍ୟହ ଲକ୍ଷସଂଖ୍ୟକ ବ୍ରାହ୍ମଣର ଭୋଜ୍ୟ ସମ୍ପାଦନ କରୁଥିଲେ, ତାହାଙ୍କର ଏ କଠିନ ଶିଳାଶୟନ, କନ୍ଦମୂଳାଶନ ଦେଖି ମୋର ହୃଦୟ ଫାଟି ଯାଉ ନାହିଁ ? ସ୍ୱେଚ୍ଛାଚାରୀ ମୃଗେନ୍ଦ୍ରର ସ୍ୱର୍ଣ୍ଣପିଞ୍ଜରା ରୋଧ ସୁଦ୍ଧା ପରାଭବ ବିଷୟ ନୁହେ କି ?

 

 

ଯୁଧି

– ପ୍ରିୟେ ! ସମସ୍ତ କଥା ଶୁଣିଲି, ଅବଶ୍ୟ ଏ ପ୍ରଣୟସମ୍ଭାରର ପରାକାଷ୍ଠା ପରିଚୟ ଦେଉଅଛି । ତଥାପି “କ୍ଷମା ଧର୍ମଃ କ୍ଷମା ଯଜ୍ଞଃ କ୍ଷମା ବେଦାଃ କ୍ଷମା ଶ୍ରୁତଂ । ଯ ଏତଦେବ ଜାନାତି ସ ସର୍ବଂ କ୍ଷନ୍ତୁମର୍ହତି ।” ଅତଏବ ସମ୍ପ୍ରତି ଶାନ୍ତ ହୁଅ, ଭବିଷ୍ୟଦୃଷ୍ଟିରେ ଦେଖିଲେ ଭରତ ବଂଶ ପ୍ରତି ବିଧାତା ଅବଶ୍ୟ ବିମୁଖ ହେଲେଣି । ସାଧୁ ବୀଜ ହେଉ ବା ଅସାଧୁ ବୀଜ ହେଉ ରୋପଣର ଅବବ୍ୟହିତ ପରେ ତ ଫଳୋନ୍ମୁଖ ହୁଏ ନାହିଁ ।

 

 

ଭୀମ

– ଆର୍ଯ୍ୟ ! “ଅଗ୍ନିଦୋ ଗରଦଶ୍ଚୈବ ଶସ୍ତ୍ରପାଣିର୍ଧନାପହଃ । କ୍ଷତ୍ରଦାରାପହାରୀ ଚ ଷଡ଼ୈତେ ଆତତାୟିନଃ ।” ତେବେ ଆତତାୟିର କି ଶାସ୍ତି ?

 

 

ଦ୍ରୌପ

– ନାଥ ! ଚତୁର୍ବର୍ଗର ପ୍ରଥମସ୍ଥାନ ଧର୍ମ କି କେବଳ ମୁନିବୃତ୍ତିରେ ପର୍ଯ୍ୟବସିତ ? ଏହା କଦାପି ନୁହେ, ତାହାର ନାମ କର୍ତ୍ତବ୍ୟନିଷ୍ଠାପରତା । ଅଥଚ କ୍ଷତ୍ରିୟର ବୈରିସଂହାର ଅନର୍ଥକ ହିଂସା ରୂପରେ କଦାପି ପରିଣତ ହେବ ନାହିଁ ।

 

 

ଯୁଧି

– ଯାଜ୍ଞସେନି ! ତେବେ ତୁମ୍ଭମାନଙ୍କର ଅଭିପ୍ର।ୟ କଣ ?

 

 

ଦ୍ରୌପ

– ମହାରାଜ ! ଅଦ୍ୟାପି ମୋର ଅଭିପ୍ରାୟ ବୁଝି ନାହଁ ? ଏହି ଆଲୁଳିତ କେଶପାଶ ଭବଦୀୟ ପ୍ରଶ୍ନର ସୁସ୍ପଷ୍ଟ ଉତ୍ତର ଦେଉ ନାହିଁ ?

 

 

ଭୀମ

– ଆର୍ଯ୍ୟ ! କୈତବନିଦ୍ରିତ ବ୍ୟକ୍ତିକୁ ସହସ୍ର ଭେରି ହେଲେ ସୁଦ୍ଧା ଜାଗ୍ରତ ନ କଲା ପରି ଆପଣ ସମସ୍ତ କଥା ଅବଗତ ହୋଇ ଉଦାସୀନ ଭାବରେ ପ୍ରଶ୍ନ କଲେ ଆମ୍ଭେ କି ଉତ୍ତର ଦେଇପାରିବୁ ? ଶ୍ରବଣ କରନ୍ତୁ ! ନୃଶଂସ ଧାର୍ତ୍ତରାଷ୍ଟ୍ରମାନେ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ସେହି ଭୀମ ନୁହେ, ଭୀମର କଙ୍କାଳ ମାତ୍ର ।

 

 

ଧୃଷ୍ଟ

– ସନ୍ଦେହ କଣ ?

 

 

ଯୁଧି

– ଆଚ୍ଛା, ଏ ବିଷୟରେ ଏତେଦୂର ତର୍କ ବିତର୍କ କରିବା ଅନାବଶ୍ୟକ । ସର୍ବଧର୍ମଗୋପ୍ତା ଶ୍ରୀକୃଷ୍ଣ ହିଁ ଏହାର ସୁମୀମାଂସା କରନ୍ତୁ ।

 

 

ଦ୍ରୌପ

– ଏ ଉପଯୁକ୍ତ କଥା, ଶ୍ରୀକୃଷ୍ଣ ମହାଭାଗ ! ଏଣିକି କୋକିଳର କୁହୁତାନରେ ହିଁ ବସନ୍ତାଗମ ସ୍ଥିର ହେଲା ପରି ଆପଣଙ୍କର ସଦ୍‌ବାକ୍ୟରୁ ହିଁ ଆମ୍ଭର ସୌଭାଗ୍ୟୋଦୟ ହେବ । ଅତଏବ ନିସ୍ୱକ୍ଷପାତ ଭାବରେ କାଳୋଚିତାନୁଯାୟୀ ମନ୍ତବ୍ୟ ପ୍ରକାଶ କରନ୍ତୁ, ଆମ୍ଭେ ତାହା ଶିରୋଧାର୍ଯ୍ୟ କରି କଦାପି ଦ୍ୱିରୁକ୍ତି କରିବୁ ନାହିଁ ।

 

 

କୃଷ୍ଣ

– (ହସି) ମୁଁ ପୁଙ୍ଖାନୁପୁଙ୍ଖତୟା ସମସ୍ତ ବିଷୟ ଅବଗତ ହେଲି । ପ୍ରତ୍ୟେକ କଥାରେ ସତ୍ୟ ଓ ସାର ନିହିତ ଅଛି । କିନ୍ତୁ ଅବସ୍ଥା ଦୃଷ୍ଟିରେ ଦେଖିବାକୁ ଗଲେ, ଏକଦିଗରେ ଶତ୍ରୁ ହନନୋଦ୍ୟମ ଯେପରି ବାଞ୍ଛନୀୟ, ଅନ୍ୟ ଦିଗରେ ମହାନୁଭାବ ଯୁଧିଷ୍ଠିରଙ୍କର ସତ୍ୟରକ୍ଷା ସୁଦ୍ଧା ତତୋଽଧିକ ପାଳନୀୟ । ଅତଏବ ଏ ଜଟିଳ ସମସ୍ୟାର ସୂକ୍ଷ୍ମ ନିଷ୍ପତ୍ତି ଏହି କି, ଆମ୍ଭେ ସର୍ବପ୍ରଥମେ ମହାରାଜାଙ୍କର ମାନ ମର୍ଯ୍ୟାଦା ରକ୍ଷା କରି ପରେ ଶତ୍ରୁକ୍ଷୟ ଲାଗି ଚେଷ୍ଟା କରିବା । ଯୁଧିଷ୍ଠିରଙ୍କ ପରି ସତ୍ୟବାକ୍‌ ବ୍ୟକ୍ତି ଧର୍ମର ପବିତ୍ର ଦ୍ୱାରରେ ଦ୍ରୋହୀ ହେଲେ ତାହା ଭରତ ବଂଶ ପକ୍ଷରେ କଳଙ୍କର ବିଷୟ । (ଧୌମ୍ୟଙ୍କୁ ଚାହିଁ) ଧୌମ୍ୟ ମହାଭାଗ । ଏ ବିଷୟରେ ଆପଣଙ୍କର ଅଭିପ୍ରାୟ କଣ ?

 

 

ଧୌମ୍ୟ

– ସନ୍ଦେହ କି,ଏହି ଅନନ୍ତ ଧରାଧାମରେ ପ୍ରଚଣ୍ଡବୀର୍ଯ୍ୟ କାର୍ତ୍ତବୀର୍ଯ୍ୟ ପ୍ରଭୃତି ଅସଂଖ୍ୟ ରାଜନ୍ୟବୃନ୍ଦର ବୀର ଇତିହାସ ଜାଗରିତ ଅଛି ସତ୍ୟ, ତଥାପି ସତ୍ୟସନ୍ଧିରୂପେ ଅବତୀର୍ଣ୍ଣ ହୋଇଥିବା ମହାତ୍ମାଙ୍କ କଥା ବିରଳ ନୁହେ କି ? ଅତଏବ ମୋ ମତରେ ଆପଣଙ୍କ ଅଭିପ୍ରାୟ ଅବଶ୍ୟ ଅନୁଲ୍ଲଙ୍ଘନୀୟ ।

 

 

ଦ୍ରୌପ

– ଶ୍ରୀକୃଷ୍ଣ ମହାଭାଗ ! ତେବେ ବନବାସ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ?

 

 

କୃଷ୍ଣ

– ଅବଶ୍ୟ, ପାଞ୍ଚାଳି ! ତୁମ୍ଭ ଯାତନାକାରିର ଉପଯୁକ୍ତ ଦଣ୍ଡପର୍ଯ୍ୟନ୍ତ ମୋ ମନରେ ସୁଦ୍ଧା ଶାନ୍ତି ନାହିଁ ।

 

 

ଭୀମ

– ପରିଶେଷରେ ତାହା ତ ହେଲା, ଗଳଦ୍‌ଘର୍ମ ହୋଇ ଗର୍ଜନ କରିବାର ହିଁ କେବଳ ବିଶିଷ୍ଟ ଲାଭ

 

 

କୃଷ୍ଣ

– ଯୁଧିଷ୍ଠିର ମହାଭାଗ ! ମୋହର କିଛି କହିବାର ଅଛି ।

 

 

ଯୁଧି

– ଏ କି କଥା, ଅବଶ୍ୟ ଆଦେଶ ଦେଇପାର, ମୁଁ ଅବହିତ ଅଛି ।

 

 

କୃଷ୍ଣ

– ତୁମ୍ଭ ଭାଇ ଅର୍ଜୁନ ତପୋରତ ହୋଇ ଅଛନ୍ତି, ଶୀଘ୍ର ପ୍ରତ୍ୟାଗମନର ସମ୍ଭାବନା ନାହିଁ । ଅତଏବ ଅନୁଗ୍ରହ କରି ମୋ ପ୍ରିୟ ଭଗିନୀ ସୁଭଦ୍ରାଙ୍କୁ ଅନୁଜ୍ଞା ଦିଅନ୍ତୁ, ସେ ସପୁତ୍ରା ହୋଇ ମୋ ଅନ୍ତଃପୁରରେ ବିଶ୍ରାମ କରିବେ । ବଳଦେବ ସୁଦ୍ଧା ଆପଣଙ୍କୁ କହିବା ଲାଗି ମୋତେ ପଦେ ପଦେ ଆଦେଶ ଦେଇଅଛନ୍ତି । ମୁଁ ଭାଗିନେୟଙ୍କୁ ଉପଯୁକ୍ତ ଶସ୍ତ୍ରଶିକ୍ଷା ଦେଇ ସମୟରେ ହାଜର କରାଇବି ।

 

 

ଯୁଧି

– ତାହା ଭବଦୀୟ ଇଚ୍ଛାର କଥା ।

 

 

ଦ୍ରୌପ

– ଆହା ! ଆଜି ଆମ୍ଭେ ରାଜ୍ୟରେ ଥିଲେ ତୁମ୍ଭ ପରି ଆତ୍ମୀୟ ଜନଙ୍କ ସମାଗମରେ କେତେ ଉତ୍ସବର ଆୟୋଜନ ହୋଇଥାନ୍ତା । କଣ କରିବୁଁ, ବିଧି ତ ଆମ୍ଭ ପ୍ରତି କଟୁ କଟାକ୍ଷ କ୍ଷେପଣ କରିଅଛି, ଆମ୍ଭର ସୌଭାଗ୍ୟ କାହିଁ ? (ଅଶ୍ରୁ ପୋଛିବା)

 

 

କୃଷ୍ଣ

– ରାଜପୁତ୍ରି ! ହୃଦୟର ସହିତ ଆଦର ଅପେକ୍ଷା ଉତ୍ସବ ସମ୍ମାନ କିଛି ଗୁରୁତର ନୁହେ । ମୁଁ ପ୍ରତ୍ୟେକ ସମୟରେ ଆସି ତୁମ୍ଭର ସମସ୍ତ ତତ୍ତ୍ୱ ନେଉଥିବି ।

 

 

ଧୃଷ୍ଟ

– ପ୍ରିୟ ଭଗିନୀ ! ଭାଗିନେୟମାନଙ୍କୁ ତ ମୁଁ ସଙ୍ଗରେ ନେଇଯିବି, କିନ୍ତୁ ତୁମ୍ଭେ ସୁଦ୍ଧା ଏ ଯାତନା ସହ୍ୟ କରି ଅରଣ୍ୟ ପଥରେ କି ହେତୁ ଭ୍ରମଣ କରିବ ? ମୋ ଅନ୍ତଃପୁରକୁ ଅଳଂକୃତ କର । ସେ କଣ ତୁମ୍ଭର ଗୃହ ନୁହେ ?

 

 

ଦ୍ରୌପ

– ଭାଇ ! ଏ ଅବସରରେ ମୁଁ ର୍ତ୍ତାଙ୍କୁ ତ୍ୟାଗ କରି ଅନ୍ୟ ସ୍ଥାନକୁ ଯିବି ? ମୁଁ କି ଏଡ଼େ ସ୍ୱାର୍ଥପିଶାଚିନୀ ? ତାହା କଦାପି ହେବ ନାହିଁ । ଏଣିକି ଏହି କଣ୍ଟକାକୁଳ ଭୁଭାଗହିଁ ମୋହର ଆସ୍ତରଣ, ଭୁଜଲତାହିଁ ଉପାଧାନ, ଚନ୍ଦ୍ରହିଁ ପ୍ରଦୀପ, ପତିଭୁକ୍ତାବଶିଷ୍ଟ କନ୍ଦମୂଳହିଁ ମୋହର ସୁଧାମିଷ୍ଟ ଭୋଜନ, ମୃଗୀଗଣହିଁ ସହଚରୀ । ମୁଁ ପତିଦେବଙ୍କ ଚରଣସେବା କରି କୁରୁକୁଳ ନିର୍ମୂଳ ହେବା ସଂକଳ୍ପରେ ଅପୂର୍ବ ବ୍ରତ ଅବଲମ୍ୱନ କରିବି, ତୁମ୍ଭେ ମୋତେ ଅନୁରୋଧ କର ନାହିଁ ।

 

 

ଧୃଷ୍ଟ

– ତେବେ ତୁମ୍ଭ ଇଚ୍ଛା ।

 

 

ଭୀମ

– ଧୃଷ୍ଟଦ୍ୟୁମ୍ନ ମହାଶୟ ! ତୁମ୍ଭ ଭଗିନୀ ତ ତୁମ୍ଭ କଥାକୁ ନିରାକରଣ କଲେ, ଅନୁଗ୍ରହ କରି ମୋତେ ହେଲେ ଆହ୍ୱାନ କର, ମୁଁ ତୁମ୍ଭ ଭାବନାରେ ଆଜଗରୀ ବୃତ୍ତି କରିବି ।

 

 

ଧୃଷ୍ଟ

– (ହସି) ଆଃ ! ସ୍ଥୁଳୋଦର ପୂରଣ କରିବାଟା କି ଜୀବନର ମୁଖ୍ୟ ବ୍ରତ କଲ ?

 

 

କୃଷ୍ଣ

– ଯୁଧିଷ୍ଠିର ମହାରାଜ ! ନମସ୍କାର, ମୁଁ ବିଦାୟ ନେଉଅଛି ।

 

 

ଯୁଧି

– (ଉଠି କୃଷ୍ଣଙ୍କୁ ଆଲିଙ୍ଗନ କରି) ଯାଅ, ତୁମ୍ଭର ଶୁଭୋବର୍କ ହେଉ । ସମସ୍ତ ବିଷୟରେ ତୁମ୍ଭେହିଁ ଆମ୍ଭର ଅଭିଭାବକ ।

 

(ସର୍ବେ ଯଥୋଚିତ ସମ୍ମାନ କରି ନିଷ୍କ୍ରାନ୍ତ)

ପ୍ରଥମ ଦୃଶ୍ୟ ସମାପ୍ତ ।

***

 

ଦ୍ୱିତୀୟ ଦୃଶ୍ୟ

 

(ସ୍ଥାନ – ଅମରାବତୀର ଅର୍ଜୁନଙ୍କର ଶୟନକକ୍ଷ ଦ୍ୱାର । ଚିତ୍ରଲେଖା ସହିତ ଉର୍ବଶୀ ପ୍ରବେଶ)

 

ଉର୍ବ

– ସଖି ଚିତ୍ରଲେଖା ! ଚିତ୍ରସେନଙ୍କ ମୁଖରୁ ଅର୍ଜୁନଙ୍କର ଶୌର୍ଯ୍ୟ, ବୀର୍ଯ୍ୟ, ଗାମ୍ଭୀଯ୍ୟାଦି ଗୁଣ ଶୁଣି ଓ ନେତ୍ରୋତ୍ସବକର ଅକୃତି ଏବଂ ସ୍ୱଭାବମିଷ୍ଟ ପ୍ରବୃତ୍ତି ପ୍ରଭୃତି ପ୍ରତ୍ୟକ୍ଷ କରି ମନ ସ୍ୱତଃପ୍ରବୃତ୍ତ ହୋଇ ତାହାଙ୍କ ନିକଟକୁ ଧାବମାନ ହେଉଅଛି । ଅହୋ, କି ଅପ୍ରତିମ ବିକ୍ରମବୃତ୍ତାନ୍ତ ! ଦ୍ୱନ୍ଦ୍ୱଯୁଦ୍ଧରେ ବିରୁପାକ୍ଷଙ୍କୁ ସୁଦ୍ଧା ଜୟ କରି ପାଶୁପତାସ୍ତ୍ର ଲାଭ କଲେ ।

 

 

ଚିତ୍ର

– ସଖି ଉର୍ବଶୀ ! ତୁମ୍ଭେ ସୁଦ୍ଧା ଶିବ ସମ ଗୁରୁତର ବଶିମାନଙ୍କୁ ବଶୀକରଣ କରି ପରମାଦ୍ଭୁତ ରୂପାସ୍ତ୍ରଲାଭରେ ପ୍ରତିଷ୍ଠାକୁ ବ୍ୟକ୍ତ କରି ନାହଁ କି ? ସ୍ମରଣ ଥାଉ, ମହେନ୍ଦ୍ରକୁମାର ଦୁର୍ନିବାର କାଳକେୟ ଓ ନିର୍ବାତ କବଚକୁ ଜୟ କରିଅଛନ୍ତି ସତ୍ୟ, ତଥାପି ଅଦ୍ୟ ଏହି ନିଶାର ପ୍ରେମ ସଂଗ୍ରାମରେ ତୁମ୍ଭଠାରେ ଅବଶ୍ୟ ପରିଚୟ ସ୍ୱୀକାର କରିବେ ।

 

 

ଉର୍ବ

– (ହସି) ଚିତ୍ରଲେଖା ! ଦାରୁଭେଦୀ ଭୃଙ୍ଗ ନଳିନୀରେ ଆବଦ୍ଧ ହେବା ତ ପ୍ରତ୍ୟକ୍ଷସିଦ୍ଧ, ସେ କଥା ଛାଡ଼ । ମୁଁ ଅନାହୂତଭାବରେ ତାହାଙ୍କ ନିକଟକୁ କିପରି ଯିବି ? ସେ ମୋ ପ୍ରତି କି ରୂପ ବ୍ୟବହାର କରିବେ, ଭାବି ପଦେ ପଦେ ଲଜ୍ଜା ଆବରଣ କରୁଅଛି ।

 

 

ଚିତ୍ର

– ଉର୍ବଶୀ ! ଅମରପୁରର ଲଲନ୍ତିକା ଓ ଲାବଣ୍ୟସାମ୍ରାଜ୍ୟର ଅଧୀଶ୍ୱରୀ ହୋଇ ଏ କି ଶଙ୍କା-? ତୁମ୍ଭେ କି ବାତାମ୍ବୁପର୍ଣ୍ଣାଶନ ଉର୍ଦ୍ଧ୍ୱରେତା ଅସଂଖ୍ୟ ସଂଯମିଗଣର ଯୋଗଗ୍ରନ୍ଥି ଶିଥିଳ କରି ତଦୀୟ ହୃଦୟକୁ ଅଙ୍ଗରାଗରେ କର୍ବୁରିତ କରି ଦେଇ ନାହିଁ ? ବିଶିଷ୍ଟ ଭୂମଣ୍ଡଳାଖଣ୍ଡଳମାନେ ହରିଣ ପରି ତୁମ୍ଭ ତୀକ୍ଷ୍‍ଣ କଟାକ୍ଷ ଶରରେ ବିଦ୍ଧ ଓ ଆତ୍ମବିସ୍ମୃତ ହୋଇ ଦାସାନୁଦାସ ହୋଇ ଯାଇ ନାହାନ୍ତି ? ଅଦ୍ୟାପି ଅନେକ ସ୍ୱକୃତି କି ତୁମ୍ଭ ଶ୍ରୀଅଙ୍ଗକାମନାରେ ପଲ୍ଲବତଳ୍ପରେ ଗଡ଼ୁ ନାହାନ୍ତି ? ରୂପୈକପକ୍ଷପାତୀ ମନ୍ନଥ ପ୍ରସାଦରୁ ତୁମ୍ଭର ଭୁବନମୋହନ ରୂପ ଦେଖି କାହାର ଧୈର୍ଯ୍ୟଚ୍ୟୁତ ନ ହେବ? ହ୍ରୀ ଅବଶ୍ୟ ସ୍ତ୍ରୀଜାତିର ସହଭୂ । ତଥାପି ଆମ୍ଭ ସମାଜ ପକ୍ଷରେ ଅଶୋଭାକର ।

 

 

ଉର୍ବ

– ଚିତ୍ରଲେଖା ! ସମସ୍ତ ପ୍ରତିଷ୍ଠାଭାର ମୋ ଉପରେ ନ୍ୟସ୍ତ କରି ଦେଇ ଉଦାସୀନା ହୋଇ ରହୁଅଛୁ କାହିଁକି ? ତୁ ସୁଦ୍ଧା କି ଅସଂଖ୍ୟ ସୁରତାପରାଧିମାନଙ୍କୁ ପଦାନତ କରି ସେମାନଙ୍କ ଶରୀର ଅଲକ୍ତାଙ୍କିତ କରି ଦେଉ ନାହୁଁ ?

 

 

ଚିତ୍ର

–ଉର୍ବଶୀ ! ମନେକର, ପ୍ରଥମରେ ସ୍ତ୍ରୀଜାତି, ଦ୍ୱିତୀୟରେ ବାରାଙ୍ଗନା, ତୃତୀୟତଃ ସ୍ୱର୍ଗର ଅପ୍‍ସରା, ଚତୁର୍ଥରେ ସୁବିଚକ୍ଷଣା, ପଞ୍ଚମରେ ଅନୁଭବଶାଳିନୀ, ଆମ୍ଭର ଚାତୁର୍ଯ୍ୟର କଥା କାହିଁକି ? କିନ୍ତୁ ତୁମ୍ଭେ ଅପ୍‌ସରାକୁଳର ଅଧୀଶ୍ୱରୀ ବୋଲି ତୁମ୍ଭର ସମ୍ମାନ ଆମ୍ଭ ଅପେକ୍ଷା ଅଧିକ । ହଁ, ମନେପଡ଼ିଲା, ଅର୍ଜୁନ ଏଠାରେ ସାଙ୍ଗୋପାଙ୍ଗ ଗାନ୍ଧର୍ବ ବିଦ୍ୟାଧ୍ୟୟନ କରୁଅଛନ୍ତି-। ଅତଏବ କଠିନ ତାଳଦ୍ୱାରା ତାହାଙ୍କୁ ପରାସ୍ତ କରି ଦେବାକୁ ହେବ ।

 

 

ଉର୍ବ

– ଅବଶ୍ୟ, ତୋର ସୁସଜ୍ଜିତ ମର୍ଦଳ ତାହାଙ୍କର ହସ୍ତରେ ଦେଇଥାଅ ।

 

 

ଚିତ୍ର

– ତେବେ ତୁମ୍ଭେ ପ୍ରଥମରେ ହିଁ ରାଗ ସଞ୍ଚାର କରିବ ନାହିଁ କି ?

 

 

ଉର୍ବ

– ସଖି ! ତେବେ ତୁ କ୍ରିୟା ପ୍ରତି ଲୟ ସ୍ଥାପନ କରିଅଛୁ ପରା ?

 

 

ଚିତ୍ର

– ଉର୍ବଶୀ ! ତୁମ୍ଭ ପରି ସଙ୍ଗୀତବିଚକ୍ଷଣା ସମକ୍ଷରେ ମୋର କି ସାମର୍ଥ୍ୟ ଅଛି ? ଅତଏବ ତୁମ୍ଭେହିଁ ସମସ୍ତ ବିଷୟ ନିର୍ବାହ କର ।

 

 

ଉର୍ବ

– ସଖି ! ଏ ପରିହାସୋକ୍ତି ଥାଉ । ଦେଖ, ପଦ୍ମିନୀର ପରିମଳରେ ଭୃଙ୍ଗ ସିନା ଆକୃଷ୍ଟ ହୋଇ ଆସିବାର କଥା ଏ ଘଟନାରେ ବିପରୀତ ପ୍ରତୀତି ହେଉ ନାହିଁ କି ?

 

 

ଚିତ୍ର

– ହଁ, ତାହା ତ ଅଛି । ଅଭିମାନୀନି ! ଚନ୍ଦ୍ରଆଶାୟିନୀ ଚକୋରୀ, ବାରିଦଅଭିଳାଷିଣୀ ଚାତକିନୀ ଇଚ୍ଛାପୂରଣ ଲାଗି ବହିର୍ଗତ ହେଉ ନାହାନ୍ତି କି ? ପ୍ରେମରାଜ୍ୟରେ ଉଚ୍ଚ, ନୀଚ, ଗୁରୁତ୍ୱ, ଲଘୁତ୍ୱର ନାମହିଁ ନାହିଁ; କେବଳ ଅଭେଦ ଭାବହିଁ ପୂର୍ଣ୍ଣମାତ୍ରାରେ ଆଧିପତ୍ୟ କରିଅଛି । ଆଜ୍ଞା, କହ ତ, ସତ୍ୟ କି ନା ?

 

 

ଉର୍ବ

– ଠିକ୍‍ କଥା । ଅଳଙ୍କାର ଗ୍ରନ୍ଥକାର ଅଭିସାର କଥା ନାନା ବୈଚିତ୍ର୍ୟରେ ଲେଖିଅଛନ୍ତି ।

 

 

ଚିତ୍ର

– ସଖି ଉର୍ବଶୀ ! ସରସ ଗ୍ରନ୍ଥକର୍ତ୍ତାଙ୍କ ବୁଦ୍ଧିବିନିଯୋଗ ଆମ୍ଭ ପରି କଳାବତୀମାନଙ୍କର ପ୍ରସାଦପ୍ରସୂତ ବୋଲି କହ । ସମସ୍ତ କଥା ଅନୁଭବ ପରେହିଁ ଲିପିବଦ୍ଧ ହେବା ସମୀଚୀନ । ଆଚ୍ଛା, କହ ତ ଭଲା, ଜନ୍ମାନ୍ଧ କେଡ଼େ ମସ୍ତିଷ୍କବାନ୍‌ ହେଉ ଶଶିତାରକା- ସୁମଞ୍ଜୁଳ ଅନନ୍ତ ପଥର ଶୋଭା କିପରି ଚିତ୍ରଣ କରିବ ?

 

 

ଉର୍ବ

– ସଖି ! ସମ୍ପ୍ରତି ଆମ୍ଭେ ମହେନ୍ଦ୍ରନନ୍ଦନର ସୀମାତିକ୍ରମଣ କଲେଣି ପରା ?

 

 

ଚିତ୍ର

- ସଖି ଉର୍ବଶୀ ! ସୁଗନ୍ଧଲବ୍ଧା ଭୃଙ୍ଗୀ ପରି ଆତ୍ମବିସ୍ମୃତା ହେଉଛ କାହିଁକି ? ମହେନ୍ଦ୍ରନନ୍ଦନର ଦ୍ୱାରରେ ଆସି ହାଜର ହେଲେଣି । ଏଣେ ଦେଖ, ସ୍ୱର୍ଣ୍ଣଦୀତରଙ୍ଗକଣବାହୀ ପାରିଜାତପରିମଳାପହାରୀ ସୁରାଙ୍ଗନାସୁରତ ଶ୍ରମସ୍ୱେଦାପନୋଦନକାରୀ ନୈଶ ବାତ ମନ୍ଦ ମନ୍ଦ ପ୍ରସରୁ ଅଛି ।

 

 

ଉର୍ବ

– ସଖି ! ସତ୍ୟ କହିଅଛୁ । (ଚତୁର୍ଦିଗ ନିରୀକ୍ଷଣ କରି)

 

“ଦିଶେ କି ମନୋହର ବନଧର” ପ୍ରତି । ୨ ।

ଆହା କି ରସମୟ ଏ ସମୟ ଲୀଳା ।

ଚତୁର୍ଦ୍ଦିଗ ପୁଷ୍ପାଶୁଗ ରସଭରେ ଭାସିଲା । ପଦ ।

 

ସୁପ୍ରସନ୍ନେ ତାରାତତି ସଙ୍ଗେ ରଙ୍ଗେ ନିଶାପତି ପ୍ରକାଶୁଁ କୁମୁଦବତୀ କି ଭଙ୍ଗିରେ ହସିଲା-।୧।

 

ସୁମସୌରଭ ମିଶ୍ରିତ ସମୀରବଶୁଁ ଚଳିତ ଲତାଦୋଳେ ମଧୁ ବ୍ରତ ମାରସ୍ତବ ଘୋଷିଲା-।୨।

 

ବୀଣାରବ କରମ୍ୱିତ ଦେବାଙ୍ଗନାମୁଖସୃତ ବିଚ୍ଛେଦ ମଞ୍ଜୁସଙ୍ଗୀତ ଶ୍ରବକୁ ଉଲ୍ଲାସିଲା-।୩।

 

ଚନ୍ଦ୍ରାତପକ୍ରୀଡ଼ାସକ୍ତ ମତି ଦମ୍ପତିଭାଷିତ ପୁଷ୍ପାସବ ବାସଯୁକ୍ତ ହୋଇ ଚିତ୍ତ ତୋଷିଲା ।

 

ଚିତ୍ର

– ସଖି ! ହେଟି ଅର୍ଜୁନଙ୍କର ଶୟନାଗାର, ଏଣିକି ମୋତେ ବିଦାୟ ଦିଅ ।

 

 

ଉର୍ବ

– ଚିତ୍ରଲେଖା ! ମୋତେ ଏକାକୀ ଛାଡ଼ି ବାହାରି ଯିବୁ ?

 

 

ଚିତ୍ର

– ସଖି ଉର୍ବଶୀ ! ତୁମ୍ଭେ ଆମ୍ଭ କୁଳର ଶିକ୍ଷୟିତ୍ରୀ ହୋଇ ଆଜି ଏ କି ଅପରୂପ ବାକ୍ୟାଳାପ-? ଦିକ୍‍କାଳଗଣ ଯାହାର କ୍ରୀଡ଼ାକନ୍ଦୁକ, ଅମରବାର ଯାହାର ଅନୁଗ୍ରହ ଭିକ୍ଷୁକ, ଗନ୍ଧର୍ବାପ୍‍ସରସ ଯାହାର ଶୋଭାଗାନବୈତାଳିକ, ଅସଂଖ୍ୟ ସ୍ୱକୃତି ଯାହାର ସଙ୍ଗ କାମନାରେ ତପୋରତ ହୋଇ ସ୍ୱଶରୀରକୁ ବାଲ୍ମୀକ କରିଅଛନ୍ତି, ଅମ୍ୱରୀଷ, ମାନ୍ଧାତା, ନହୁଷାଦି ଅମରପୁରବାସୀ ମହୀମହେନ୍ଦ୍ରମାନେ ଯାହାର ପ୍ରଣୟବାଞ୍ଛକ, ସପରିବାର ମନ୍ନଥ ଯାହାର ପୃଷ୍ଠସହାୟକ, ଯାହାର ଲୀଳାବିଳାସ ତ୍ରିଲୋକୀ ଉଚ୍ଚାଟକ, ଏତେ କଥା କାହିଁକି, ସ୍ୱୟଂ ନାରାୟଣ ଯାହାର ଜନକ, ସେ ଏକାକିନୀ ? ଆଛା ତୁମ୍ଭେ ଥାଅ, ମୁହିଁ ଦ୍ୱାରୀଦ୍ୱାରୀ ସମ୍ବାଦ ଦେବି । (ଯାଇଁ ଦ୍ୱାରରେ କରାଘାତ କରି) ଏଠାରେ କିଏ ଅଛ ?

 

 

 

(ସହସା ଦ୍ୱାସ୍ଥ ପ୍ରବେଶ କରି ଦୁହିଙ୍କି ଅଭିବାଦନ କରିବା)

 

 

ଦ୍ୱାସ୍ଥ

– କି ଆଦେଶ ?

 

 

ଚିତ୍ର

– ତୁମ୍ଭର ପ୍ରଭୁ କେଉଁଠାରେ ?

 

 

ଦ୍ୱାସ୍ଥ

– ସେ ଶୟନକକ୍ଷରେ ।

 

 

ଚିତ୍ର

– ଆଚ୍ଛା ତୁ ଶୀଘ୍ର ଯାଇ କହ କି, “ଉର୍ବଶୀ ତୁମ୍ଭ ଦର୍ଶନ କାମନାରେ ଦ୍ୱାରଦେଶରେ ହାଜର ଅଛନ୍ତି ।”

 

 

ଦ୍ୱାସ୍ଥ

– ଯେ ଆଜ୍ଞା । (ନିଷ୍କ୍ରାନ୍ତ)

 

 

ଉର୍ବ

– ଚିତ୍ରଲେଖା ! ପ୍ରେମର ପଥ କୁସୁମରାଶି ପରି ସୁକୋମଳ ହେଲେ ସୁଦ୍ଧା ସହସ୍ର ବାଧାବିଘ୍ନପୂର୍ଣ୍ଣ । ଦେଖ, ସୁକୋମଳା ସୌରଭିଣୀ ନଳିନୀର ନାଳ କିପରି ସୁତୀକ୍ଷ୍ନକଣ୍ଟାକାକୁଳ । ଆଚ୍ଛା କହ ତ, ତାହାଙ୍କର ପ୍ରଥମ ସାକ୍ଷାତ୍‌ ବେଳେ କେଉଁ ସନ୍ଦର୍ଭରେ ମନୋଭାବ ବ୍ୟକ୍ତ କରିବି ?

 

 

ଚିତ୍ର

– ସଖି ଉର୍ବଶୀ ! ହେଟି ସେ ଆସୁଅଛନ୍ତି, ତୁମ୍ଭେ ଆଉ ଏ ବିଷୟରେ ଅଧିକ ପ୍ରଶ୍ନ କର ନାହିଁ-। ସ୍ୱଭାବତଃ ଅନୁରାଗହିଁ ସକଳ ସମାଧୀ କରିବ । ମୁଁ ବିଦାୟ ହେଉଅଛି । (ନିଷ୍କ୍ରାନ୍ତ)

 

 

ଉର୍ବ

– (ଦୂରରୁ ଅର୍ଜୁନଙ୍କୁ ଦେଖି) ଆହା, ସୁପ୍ତୋଥିତ ବୀର ଯୁବାଙ୍କର କି ନିଦ୍ରାଳସ ନୟନକୋକନଦ ! ଏହାଙ୍କୁ ମୁଁ ମୁହୁର୍ମୁହୁଃ ଦେଖିଲେ ସୁଦ୍ଧା ନିତ୍ୟ ନୂତନ ପ୍ରତୀତ ହେଉଅଛନ୍ତି-

 

 

 

(ସହସା ଅର୍ଜୁନ ପ୍ରବେଶ କରି ଆଶ୍ଚର୍ଯ୍ୟାନ୍ୱିତ ହୋଇ ଉର୍ବଶୀଙ୍କି ଚାହିଁ)

 

 

ଅର୍ଜୁ

– ଦେବି ! ପ୍ରମାଣ କରୁଅଛି । ଆଶ୍ଚର୍ଯ୍ୟର ବିଷୟ, ତୁମ୍ଭେ ଏକାକିନୀ ? ଏହି ଅର୍ଦ୍ଧରାତ୍ର ସମୟରେ ?

 

 

ଉର୍ବ

– (ମନ୍ଦେ ହସି) ରାଜପୁତ୍ର ! ମୋ ପ୍ରତି ଏ କି ସମ୍ମାନ ? ମୁଁ ଅନେକ ଆଶା ହୃଦୟରେ ପୋଷଣ କରି ଆସିଥିବାଠାରେ ଏ ପ୍ରଶ୍ନ ଉଚିତ ହେଲା ?

 

 

ଅର୍ଜୁ

– ମୋଠାକୁ ଆସିଅଛନ୍ତି କାହିଁକି ?

 

 

ଉର୍ବ

– ଚିତ୍ରସେନଙ୍କ ଆଦେଶରୁ ।

 

 

ଅର୍ଜୁ

– ଚିତ୍ରସେନଙ୍କ ଆଦେଶରୁ ? ଭାଗ୍ୟର ବିଷୟ, କାରଣ ଅବଗତ ହୋଇ ପାରିବି ତ ?

 

 

ଉର୍ବ

– (ସ୍ୱଗତ) ଭଗବନ୍‌ ମନ୍ନଥ ! କୁସୁମସାୟକର ପ୍ରଭାବ କି ସ୍ୱଭାବକୋମଳ ହୋଇଗଲା ? (ପ୍ରକାଶ୍ୟ) ସୁନ୍ଦର ! ଆପଣଙ୍କ ଆଗମନ ଦିବସ ସୁଧର୍ମାରେ ଯେଉଁ ଅଭ୍ୟର୍ଥନା ସଭା ହୋଇଥିଲା, ତାହା ସ୍ମରଣରେ ଅଛି ତ ?

 

 

ଅର୍ଜୁ

– ଅବଶ୍ୟ, ପୂର୍ଣ୍ଣମାତ୍ରାରେ ଅଛି, ମହେନ୍ଦ୍ରଙ୍କର ସେ ସମାଦର କି ଜନ୍ମାନ୍ତରେ ଭୁଲି ପାରିବି ?

 

 

ଉର୍ବ

– ସେଦିନ କି ଅପ୍‌ସରାଗଣ ନୃତ୍ୟଗୀତ କରୁ ନ ଥିଲେ ?

 

 

ଅର୍ଜୁ

– ହଁ, ତାହା ସୁଦ୍ଧା ସ୍ମରଣରେ ଅଛି ।

 

 

ଉର୍ବ

– ତନ୍ମଧ୍ୟରେ ମୋତେ ସୁଦ୍ଧା ଦେଖିଥିବେ ପରା ?

 

 

ଅର୍ଜୁ

– ହଁ, ବିଶେଷ ଭାବରେ ।

 

 

ଉର୍ବ

– ଅତଏବ ଦେବରାଜ ଆପଣଙ୍କ ମନୋଗତ ଭାବ ବୁଝି ଚିତ୍ରସେନ ଦ୍ୱାରା ଆପଣଙ୍କ ନିକଟକୁ – (ଅର୍ଦ୍ଧୋକ୍ତିରେ କୋଣାୟିତ ଦୃଷ୍ଟିରେ ଅର୍ଜୁନଙ୍କୁ ଚାହିଁ ମୁଖରେ ଚେଳାଞ୍ଚଳ ଦେଇ ଈସଦ୍ଧାସ କରିବା)

 

 

ଅର୍ଜୁ

– (ସ୍ୱଗତ) ଆଶ୍ଚର୍ଯ୍ୟର ବିଷୟ, ମୁଁ ଏ ଘଟନାର ମୌଳିକ ହେତୁ ଲେଶ ମାତ୍ର ବୁଝି ପାରିଲି ନାହିଁ । (ପ୍ରକାଶ୍ୟ) ଆଚ୍ଛା, ମୋର ମନୋଭାବ ଇନ୍ଦ୍ରଦେବ କେଉଁ ପ୍ରଣାଳୀରେ ଅବଗତ ହେଲେ, ତାହା ଅନୁଗ୍ରହ କରି ପ୍ରକାଶ କରି ପାରିବ ତ ?

 

 

ଉର୍ବ

– (ସ୍ୱଗତ) ହାୟ, କି ଅରସିକ ସମ୍ଭାଷଣ ! ଉର୍ବଶୀ ଜୀବନରେ ଆଜି ଏ କି ନୂତନ ଘଟନା !

 

(ପ୍ରକାଶ୍ୟ)

 

“ଧୀରହୀର ସୁନ୍ଦର” ପ୍ରତି ।୩।

ବିଜ୍ଞବର ନାଗର, ଉଚିତ କି ଏ କଠୋର ବ୍ୟବହାର ଭାବ ବୀର ।ପଦ।

ଦୋଷରହିତ ସୂର

କର ସ୍ପର୍ଶ କରି ସତ୍ୱର ବିମୋହିତା କଞ୍ଜଲତାର

ତାପ ନ ନାଶିଲେ ତାର ହେବ କେଉଁ ପ୍ରତୀକାର ।୧।

 

ନାଗବଲ୍ଲିବ୍ରତତୀ

ଦେଖ ଚନ୍ଦନତରୁ ପ୍ରୀତି ଭାଳି ଗଲେହେଁ ସୌମ୍ୟମୂର୍ତ୍ତି

ଭାଷ ତ ସେ ତାହା ପ୍ରତି ଆଚରେ କି ନିରାକୃତି ।୨।

 

ନୀରଧର ବିଶାଳ

ନୀଳ ବକ୍ଷସ୍ଥଳେ ବିଚାର ଚଞ୍ଚଳାର ଉଦ୍ଦାମ ଖେଳ

କାହାର ମୋହିତକର ନୋହେ ବାରେ ସ୍ମର ଧୀର ।୩।

 

ଆପଣଙ୍କ ଦର୍ଶନାବଧି ମୋହର ଯେଉଁ ଭାବନା ସହସ୍ରମୁଖୀ ହୋଇଅଛି, ତାହା ସାମାନ୍ୟ ବାକ୍ୟ ଦ୍ୱାରା କଣ ବୋଲି ଜଣାଇବି ? ସେ ଦିନର ସପ୍ରେମ ଚାହାଣି ଅଦ୍ୟାପି ମୋ ହୃଦୟରେ ଅଙ୍କିତ ହୋଇ ରହି ଯାଇଅଛି ।

 

ଅର୍ଜୁ

– (କର୍ଣ୍ଣ ଛୁଇଁ) ଶିବ ଶିବ ! କି ଭ୍ରମପୂର୍ଣ୍ଣ ଧାରଣା ! କି ପାପ କଥା ଶ୍ରବଣ କଲି ! ଦେବି ! ସେ କୁତୂହଳ ସତୃଷ୍ଣ ଦୃଷ୍ଟିର ଅଭିପ୍ରାୟ କଦାପି ସେପରି ନୁହେ ।

 

 

ଉର୍ବ

– (ସବୈମନସ୍ୟରେ) ତେବେ ତାହାର ଅର୍ଥ ?

 

 

ଅର୍ଜୁ

– ତାହାର ଅର୍ଥ ଏହି କି, ଆମ୍ଭର ପୂର୍ବପୁରୁଷରେ ପୁରୋରବା ଚକ୍ରବର୍ତ୍ତୀ ଏହି ଅଲୋକ ସାମାନ୍ୟ ରୂପ ଧାରିଣୀ ସୁରାଙ୍ଗନାଙ୍କଠାରୁ ମହାନୁଭାବ ଆୟୁଙ୍କୁ ଜନ୍ମ କରାଇଥିଲେ । ଆମ୍ଭେମାନେ ତାହାଙ୍କର ହିଁ ବଂଶଧର, ଏହା ବିନା ଅନ୍ୟ କଣ ଅଛି ?

 

 

ଉର୍ବ

– ହାୟ, କି ଘଟନାବୈଚିତ୍ର୍ୟ ! ସୁନ୍ଦର ! ଏ ଅଧୀନା ମନ୍ନଥପରବଶ ଅଥଚ ପ୍ରେମଭିକାରିଣୀ ହୋଇ ଏତେଦୂର ଧାଇଁ ଆସିଥିବାଠାରେ ଏ କି ବଞ୍ଛନାବାକ୍‌ଶଲ୍ୟ ?

 

 

ଅର୍ଜୁ

– (କର ଯୋଡ଼ି) ଦେବି !

 

“ଚିନାଲି” ପ୍ରତି ।୪।

କରଇ ବନ୍ଦନା,

ମୁରହରସୁନନ୍ଦନା, ବରଜ ଏ ନୀଚ କାମନା ।ପଦ।

ନୀତିରହିତ ପ୍ରୀତିଲପିତ

ଭାଷ ନା, ରୋଷମନା ନୋହି ଯାଅ ଅଧୁନା,

ମା ଘେନି ମୋ ନିବେଦନା ।୧।

ଭାବ କିଞ୍ଚିତେ ତାବକ ଚିତ୍ତେ

ଜଗତେ ଜନେ ମୋତେ ହସିବେ ସିନା ସତେ,

ହା ! ବୁଡ଼ିଲି ଶୋକସ୍ରୋତେ ।୨।

 

ର୍ଶନାବଧି ତୁମ୍ଭଙ୍କୁ ପୁତ୍ରବତ୍ସଳା କୁନ୍ତୀ ଓ ଶଚୀଙ୍କ ପରି ମାନ୍ୟ କରୁଅଛି ।

 

ଉର୍ବ

– ହାୟ ! ବେଗବତୀ ପ୍ରେମପ୍ରବୃତ୍ତିର କି ବିପରୀତ ଗତି ? ମହାଭାଗ ! ସର୍ବଜନ ଆଦରଣୀୟା ବେଶ୍ୟା ଜାତିର କୁଳାଚାର ଲେଶ ହେଲେ ବୁଝିପାରିଲ ନାହିଁ ? ଆମ୍ଭେ ବିରାମଦାୟିନୀ ନିଦ୍ରାଦେବୀ, ଏୈଶ୍ୱର୍ଯ୍ୟଶାଳିନୀ ରାଜ୍ୟଲକ୍ଷ୍ମୀ, ଅଖଣ୍ଡମଣ୍ଡଳା ଭୂଦେବୀ ପରି ବଂଶାନୁକ୍ରମଭୋଗ୍ୟା ଓ ବିଶୁଦ୍ଧଚରିତ୍ରା ଅଟୁ । ଆହା, କୋଟିସଂଖ୍ୟକ ସୁକୃତି ଯାହାର ଦର୍ଶନାଶାରେ ସର୍ବଦା ଉତ୍‍କଣ୍ଠିତ, ତାହାର ଆଜି ଏ କାତର ପ୍ରାର୍ଥନା ? ମନ୍ନଥପ୍ରତିଷ୍ଠା କି ଭସ୍ମୀଭୂତ ହୋଇଗଲା ?

 

 

ଅର୍ଜୁ

– ଆହା ! ପବିତ୍ର ସ୍ୱର୍ଗରାଜ୍ୟରେ ସୁଦ୍ଧା ଏ ପୈଶାଚିକ ଅଭିନୟ ? ପ୍ରପିତାମ! ତୁମ୍ଭର ପାଦତଳେ ପଡ଼ି ପ୍ରାର୍ଥନା କରୁଅଛି କି, ସେ ପାପ କଥା ବାହାର କର ନାହିଁ, ମୋତେ ଶୁଣିବାକୁ ସୁଦ୍ଧା ଲଜ୍ଜା ବୋଧ ହେଉଅଛି ।

 

 

ଉର୍ବ

– ଆହା ! ଆଜି ବିଫଳମନୋରଥ ହୋଇ ରମ୍ଭାଦି ସହଚରୀଙ୍କି ଏ ନିର୍ଲଜ୍ଜ ମୁଖ କିପରି ଦେଖାଇବି ? କାମବିମୋହରୁ କେଡ଼େ ଗର୍ବିତ ଶିରକୁ ଆଜି ନମ୍ର କରିଦେଲି । ସୁନ୍ଦର ! ସୁଧାମୟୀ କୌମୁଦୀକି ଶୀତାର୍ତ୍ତ ଅସୁଖ ବୋଧ କଲା ପରି ମୋତେ ନିରାକରଣ କରିବାର ଉଚିତ ହେଲା ? କ୍ରୂର ମନ୍ନଥତାପରେ ମୋଶରୀର ଜଳି ଯାଉଅଛି । ଥରେ ପ୍ରେମାଳାପବାରି ସେଚନ କରି ତାହାକୁ ଶାନ୍ତ କରିବ ନାହିଁ ? ହାୟ, ଏବେ ମୋର କି ଗତି-? (ଅଶ୍ରୁ ପୋଛିବା)

 

 

ଅର୍ଜୁ

– ତୁମ୍ଭେ ସହସ୍ରବିଧ ବେଶ୍ୟାଚାତୁରୀ ଗ୍ରନ୍ଥରୁ ସରସ ଅଧ୍ୟାୟ ଆବୃତ୍ତି କଲେ ସୁଦ୍ଧା ମୋ ମନ କଦାପି ବିଚଳିତ ହେବ ନାହିଁ । ଏ ଭାବଭଙ୍ଗୀ ଏତିକିରେ ଅନ୍ତ ହେଉ । ପୂର୍ବ ରାଜାମାନେ କି କୁଭ୍ରମରେ ପଡ଼ି ଏ ଅସତ୍ସଙ୍ଗ କରିଥିଲେ, ତାହା ସେମାନଙ୍କୁ ବିଦିତ । ଏହିପରି ଅସ୍ଥାନ ପ୍ରେମାନୁବନ୍ଧ ଅଜ୍ଞାନ ପଶୁଶ୍ରେଣୀ ବିନା ଜ୍ଞାନବାନ୍‌ ଜାତିର ସର୍ବଥା ଦୂଷଣୀୟ । ମୁଁ ପବିତ୍ର ବଂଶରେ କଦାପି କଳଙ୍କକାଳିମା ଲିପ୍ତ କରି ପାରିବି ନାହିଁ । ତୁମ୍ଭ ଇଚ୍ଛା ।

 

 

ଉର୍ବ

– (କ୍ରୋଧରେ) କାପୁରୁଷ ! କଣ କହିଲ ? ବେଶ୍ୟା ରସିକତା କି ଗୋଟିଏ ଘୃଣ୍ୟ କାର୍ଯ୍ୟ ଅଟେ ? ଲୋକମାନ୍ୟ ସୁନାଶିର ପ୍ରଭୃତି କି ଏଡ଼େ ଦୁର୍ବଳ ହୃଦୟ ହୋଇଗଲେ ? ଓହୋ, କି ବଂଶଗରିମା ! ଚନ୍ଦ୍ରଙ୍କଠାରୁ ତୁମ୍ଭ ମାତାଙ୍କ ପର୍ଯ୍ୟନ୍ତ ଅବୈଧ ପ୍ରଣୟରେ ଯେଉଁ କୀର୍ତ୍ତି ସଞ୍ଚୟ କରି ରଖିଅଛନ୍ତି, ତାହାର କି ମହୋଜ୍ଜ୍ୱଳ ପ୍ରତିଷ୍ଠା ? ପଙ୍ଗୁ ଉପରେ ଗଙ୍ଗା ତରଙ୍ଗ ପରି ମୁଁ ଆଜି ଯେଉଁ ଅନୁଗ୍ରହ କରିଥିଲି, ତାହା ଅନୁଭବ କରିବାକୁ ତୁମ୍ଭର ସୌଭାଗ୍ୟ କାହିଁ ? ତୁମ୍ଭର ଏ ଅରସିକତାକୁ ଧିକ୍‌ ହେଉ ! ଯେଉଁ ଉର୍ବଶୀର ଈଷତ୍‌ କଟାକ୍ଷପାତରେ ଅଚେତନ ବିନ୍ଧ୍ୟର ବନ୍ଧ୍ୟୋପଳ ସୁଦ୍ଧା ତରଳ ହୋଇ ଯାଇଥାନ୍ତା, ତାହାର ଆଜି ଏ ଅସହନୀୟ ଅପମାନ ? ହାୟ, କି କୁଳିଶକଠୋର ହୃଦୟ ! ନିର୍ଲଜ୍ଜ ! ମୋର ଅଭିଶାପ ଘେନି ଶୀଘ୍ର ନପୁଂସକ ହୋଇଯାଅ । (ନିଷ୍କ୍ରାନ୍ତ)

 

 

ଅର୍ଜୁ

– (ତ୍ରସ୍ତଭାବରେ କ୍ଷଣକାଳ ଚିନ୍ତା କରି) ଅହୋ ! ବିନା ମେଘରେ ଅଶନିପାତ ପରି କି ମର୍ମାହତ ଘଟନା ? ଧର୍ମମାର୍ଗ କି ଏପରି ବନ୍ଧୁର ଅଟେ ? ଏହା ଆତ୍ମୀୟଜନଙ୍କର କର୍ଣ୍ଣଗତ ହେଲେ ସେମାନେ କି କ୍ଳେଶାନୁଭବ କରିବେ ? ଏଣିକି ମୋର ଭବିଷ୍ୟତ୍‌ ଜୀବନ ତମୋମୟ ହୋଇଗଲା । ଅରଣ୍ୟରେ ଭାଇ ଭାର୍ଯ୍ୟଙ୍କୁ ଏକାକୀ ଛାଡ଼ି ଶତ୍ରୁ ବଧ ଲାଗି ଶସ୍ତ୍ରବିଦ୍ୟା ଶିକ୍ଷା କରିବାକୁ ସ୍ୱର୍ଗପର୍ଯ୍ୟନ୍ତ ଧାଇଁ ଆସି ପରିଶେଷରେ ଏହି ଅପୂର୍ବ ଉପଲବ୍ଧି ? ହାୟ, ବେଶ୍ୟାଜନର କି କୁଟିଳ ବୁଦ୍ଧିକୁହେଳିକା ? ଧର୍ମସଂହାରିଣୀ, ଅର୍ଥପିଶାଚିନୀ, କାମବିଦ୍ୱେଷିଣୀ, ମୋକ୍ଷବିରୋଧିନୀ କୁଳଟା ଜନର ଚିତ୍ତବୃତ୍ତି ଜଳଦକୋଳଗତା ଚପଳା, ଅଧୀରତରା ପିପ୍‍ସଲ ଜୀର୍ଣ୍ଣ ପର୍ଣ୍ଣମାଳା, ଭୂତାବିଷ୍ଟା ବାନରୀ, ମରୁଦୁଚ୍ଚଳିତା ବୈଜୟନ୍ତୀ ପରି କି ଚଞ୍ଚଳ ଅଟେ ? ଆହା, କି କାଳକୂଟପୂର୍ଣ୍ଣ ହୃଦୟ ? ଏହି ପଣ୍ୟସ୍ତ୍ରୀକୁଳର ବଚନରେ ସତ୍ୟ ନାହିଁ, ହୃଦୟରେ ସାରଲ୍ୟ ନାହିଁ, ପ୍ରେମରେ ନିର୍ଦୋଷତା ନାହିଁ, ଅଛି କେବଳ ମିଥ୍ୟା, ପ୍ରତାରଣା ଓ ମାରାତ୍ମକ ଅର୍ଥପିପାସା । ଅତଏବ କବି ସତ୍ୟ କହିଅଛନ୍ତି, “ଜାତ୍ୟନ୍ଧାୟ ଚ, ଦୁର୍ମୁଖାୟ ଚ, ଜରାଜୀର୍ଣ୍ଣା ଖିଳାଙ୍ଗାୟ ଚ, ଗ୍ରାମୀଣାୟ ଚ, ଦୁଷ୍କୁଳାୟ ଚ,ଗଳତ୍‌କୁଷ୍ଠାଭିଭୂତାୟ ଚ, ଯଚ୍ଛନ୍ତୀଷୁ ମନୋହରଂ ନିଜବପୁଂ ଲକ୍ଷ୍ମୀଲବ ଶ୍ରଦ୍ଧୟା ପଣ୍ୟସ୍ତ୍ରୀଷୁ ବିବେକକଳ୍ପଲତିକାଶସ୍ତ୍ରୀଷୁ ରଜ୍ୟେତକଃ ।” ଯାହା ହେଉ “ଈଶ୍ୱରେଚ୍ଛା ଳୀୟସୀ ।” ମୁଁ ଶୀଘ୍ର ଏ ସମାଚାର ଚିତ୍ରସେନଙ୍କୁ ଜଣାଇ ଇନ୍ଦ୍ରଙ୍କର କର୍ଣ୍ଣଗୋଚର କରାଇବି । (ନିଷ୍କ୍ରାନ୍ତ)

 

ପ୍ରଥମ ଅଙ୍କ ସମ୍ଫୂର୍ଣ୍ଣ ।

***

 

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ

 

(ଦ୍ୱୈତବନର ଏକ ପ୍ରଦେଶ – ଜମାତବେଶୀ ନରସିଂହ ଦାସ, ପ୍ରେମାନନ୍ଦ ଦାସ, ହନୁମାନ ଦାସ, ରାମପ୍ରସାଦ, ଗିରିଧର ଦାସ ପ୍ରବେଶ)

 

ହନୁ

– ଗୁରୁ ମହାରାଜ ! ଜାଗାଟି ତ ସୁନ୍ଦର ହୋଇଅଛି, ଆଜି ଏଠାରେ କି ଆସନ କରିବା ?

 

 

ପ୍ରେମା

– ହନୁମାନ ଦାସ ! ବେଶ କହିଅଛ, ଆଚ୍ଛା, ଆମ୍ଭର ହାତୀ, ଘୋଡ଼ା, ଓଟ ଏ ସବୁ ଧରି ବାକି ବାବାଜିଗୁଡ଼ିକ କେଉଁଠାରେ ରହିଲେ ?

 

 

ନର

– ଗୁରୁ ମହାରାଜ ! ସଞ୍ଜବେଳ ହୋଇଯିବାରୁ ସେମାନେ ବାଟ ବଣା ହୋଇଥିବେ ପରା-?

 

 

ରାମ

– ଅନେକ ମୂର୍ତ୍ତି ଅଛନ୍ତି, ଭୟ କିଛି ନାହିଁ । ହେଲେ ଆମପାଇଁ ଅନେକ ଧୁରାଣ୍ଡି ହେବେଟି-?

 

 

ଗିରି

– ରାମପ୍ରସାଦ ଭାଇ ! ସେମାନଙ୍କ ପାଖରେ ତ ମଇଦା, ଚିନି, ଘିଅ, ଅଟା ସବୁ ରହିଗଲା, ଠାକୁରଙ୍କ କାମ କିପରି ଚଳିବ ?

 

 

ପ୍ରେମା

– ଗିରିଧର ! ଆସନ କର, ପଛେ ଦେଖିବା ।

 

 

 

(ସର୍ବେ କମ୍ୱଳ ପାରି ଦେବତା ପ୍ରଭୃତି ରଖି ବସିବା)

 

 

ନର

– ହନୁମାନ ଭାଇ ! ଏ ବଣର ନାମଟା ସେ କଣ ବୋଲି କହୁଥିଲାଟି ?

 

 

ହନୁ

– କହୁଛି, ହଁ, ଥ, ଥ, ଦେଖ ଭାଇ ! ଜିଭ ଅଗରେ ଥିଲା, ଭୁଲିଗଲି । (ବିଚାରି) ଏକ, ଦୁଇ – ହଁ ମନେ ପଡ଼ିଲା – ଦୁଇତବନ ।

 

 

ଗିରି

– ଦୁଇତ ନୁହେ ହେ, ଦ୍ୱୈତବନ ।

 

 

ରାମ

– ନାଟା କେଡ଼େ କଟମଟିଆ ହେ ! ଜିଭ ଲେଉଟୁ ନାହିଁ, ଏକା ଥରେ ଅଦଡ଼ ଧାଡ଼ିର କଥା-

 

 

ପ୍ରେମା

- ନରସିଂହ ଦାସ ! ମୁଁ ଶୁଣିଅଛି, ପାଣ୍ତବମାନେ ଏହି ବନରେ ଏକା ରହିଅଛନ୍ତି ।

 

 

ଗିରି

– ଗୁରୁ ମହାରାଜ ! ତେବେ ଜାଣି ଜାଣି ବାଘ ଦଲିରେ ରହିଲା ପରି ଏଠାରେ କାହିଁକି ? ଚାଲ ବେଇଗି ବାହାରି ଯିବା ।

 

 

ନର

– କାହିଁକି ? ପାଣ୍ଡବମାନେ କି ଦୁଷ୍ଟ ଲୋକ ? ତାଙ୍କର ଯୋଉଁ ଗୁଣ ଋଷିମାନେ କହି ପାରୁ ନାହାନ୍ତି । ସେ ପୁଣି ଦଣ୍ଡକ, ନିମିଷ, ପୁଷ୍କର, ଗୟା, ପ୍ରୟାଗ, ଇମିତିକାର ଅନେକ ତୀର୍ଥ କରି ଦାନ ପୁଣ୍ୟ କରୁଅଛନ୍ତି । ଋଷିମାନେ ତ ତାଙ୍କର ପ୍ରାଣ ।

 

 

ହନୁ

– ଆହେ ! ସିମିତି ଜାଣିବା ଋଷିମାନେ ସିନା ତାଙ୍କର ପ୍ରାଣ, ଆମକୁ ଦେଖିବା ତକ୍ଷଣେ ବୋଲିବେ ହାଣ ।

 

 

ରାମ

– ସତ କହିଲ ! ତାଙ୍କୁ ନେବେ ସାଥେ ସାଥେ, ଆମକୁ ଦେବେ ମୁଥେ ମୁଥେ ।

 

 

ପ୍ରେମା

– ସେମାନେ ଖାଇବେ ସିଧା, ଆମେ ଖାଇବା ବିଧା ।

 

 

ଗିରି

– ଆହେ ! ମୁଁ ଶୁଣିଥିଲି, ଯୁଧିଷ୍ଠିରଙ୍କର ଭୀମ ବୋଲି ଗୋଟିଏ ମୋଟା ଭାଇ ଅଛି, ସେଉଟା ଯେ ଦୁଷ୍ଟ, ସୌଗନ୍ଧକ ଫୁଲପାଇଁ ଯକ୍ଷଗୁଡ଼ାକୁ ଯୋଉଁ ମାଡ଼ ମାଇଲା, କିସ କହିବି ! ଗନ୍ଧମାଦନଟାଯାକ ମଡ଼ା କୁଢ଼ ହୋଇଗଲା ।

 

 

ପ୍ରେମା

– ଗିରିଧର ! ଧୀରେ ଧୀରେ କଥା କହ, କାଳେ ସେ ଶୁଣିଲେ ରାଗିବେଟି ।

 

 

ଗିରି

– ସେ ରାଗିଲେ ମୁଁ ଭାଗିବି ଯେ ।

 

 

ରାମ

– ବାଘ ମୁହଁରୁ ଯାଇ ପାରିବା ନାହିଁଟି । କାଳେ କଥା ପଡ଼ିଲେ ମୁଁ ତାଙ୍କ ଆଗରେ ନ ରହି ଆମର ଗୁରୁ କହୁଥିଲେ ବୋଲି କହି ଦେବି ।

 

 

ପ୍ରେମା

– ଚୁପ, ମୋ ମୁଣ୍ଡରେ ସେ ଅଳାଚକ୍ର କାହିଁକି ? ଶୁଣିଅଛି, ଯେଉଁ ଭୀମ ତେଡ଼େ ବଡ଼ ବଳୀ ଜଟାସୁରଟାକୁ ଗୋଟାରଙ୍ଗେ ଚିରି ଦେଲା, ତାଙ୍କ ଆଗରେ ମୋ ନାମ କହି ଦେବୁ ? ଆଚ୍ଛା କଥା, ଯମ ମୋ ପାଞ୍ଜି ପୋଛି ଦେବ ନାହିଁ ?

 

 

ନର

– ଗୁରୁ ମହାରାଜ ! କଥାଟା ତେତେଦୂର ଯିବ କାହିଁକି ? କାଳେ ସେ କୋପିଲେ ଦାନ୍ତରେ କୁଟାଗୁଡ଼ିଏ ଧରି ବାଡ଼ ପରି ଦଣ୍ଡେ ଦଣ୍ଡେ ଗୋଡ଼ତଳେ ପଡ଼ିଯିବା ।

 

 

ଗିରି

– ହନୁମାନ ଭାଇ ! ଭୀମକୁ ସମସ୍ତେ ଡ଼ରିଲେଣି, ଅଜଗର ସାପୁଟାଏ ପୁଣି ସାଧ୍ୟ କରି ଦେଇଥିଲା ।

 

 

ପ୍ରେମା

– ଆରେ ! ଆଉ ଥରେ ତାଙ୍କର ନାମ ଧଇଲୁ ? ଆମ୍ଭମାନଙ୍କର ଡ଼ିହରେ ବାଇଗଣ ରୁଆ ହେବାକୁ ଦୈବ ଲେଖିଲାକିରେ ?

 

 

ରାମ

– ନାହିଁ ମହାରାଜ ! ଅଜଗର ତ ଅଜଗର, ତା ବୋପାର କି କ୍ଷମତା ଅଛି ଭୀମକୁ ମାରିବ-? ତାଙ୍କ ବଡ଼ ଭାଇ ଯୁଧିଷ୍ଠିର ଯାଇ ସେଇଲାଗେ ତାଙ୍କୁ ମୋକ୍ଷ କରିଦେଲେ ।

 

 

ନର

– ଆହେ ! ସେ ଅଜଗରଟା ପୁଣି ନହୁଷ ଚକ୍ରବର୍ତ୍ତୀ ! ଶାପରୁ ସେ ସେମିତି ହୋଇ ଯାଇଥିଲେ ।

 

 

ହନୁ

– ମୁଁ ଶୁଣିଥିଲି, ଯୁଧିଷ୍ଠିରଙ୍କର ମଝିଆଁ ଭାଇ ଅର୍ଜୁନ ସ୍ୱର୍ଗରୁ ଆସିବା ଦିନ ଯୋଉଁ କୌତୁକ ହେଲା, ଏତେ ଋଷି ପୁଣି ଦେଖିବାକୁ ଆସିଥିଲେ ଯେ, ବଣଯାକ ଗୋଟିଏ ଯାତ୍ର ପରି ହୋଇଗଲା ।

 

 

ଗିରି

– ଆହେ ! ଅର୍ଜୁନ ବୋଲିବାରୁ ମନେ ପଡ଼ିଲା । ସେ ପୁଣି ଉର୍ବଶୀଙ୍କ ଶାପରୁ ନପୁଂସକ ହୋଇଗଲେ ।

 

 

ପ୍ରେମା

– ହଁ ହୋଇଥିଲେଣି, ଋଷିମାନେ କହୁଥିଲେ, ସେଇଟା ପୁଣି ତାଙ୍କୁ ଉପକାର ହେଲା । ଦେବରାଜଙ୍କ କୃପାରୁ ପାଣ୍ଡବମାନଙ୍କ ଅଜ୍ଞାତବାସ ବର୍ଷକ ମାତ୍ର ଅର୍ଜୁନ ନପୁଂସକରୂପେ ରହିବେ, ପରେ ଯୋଉଁ ଅର୍ଜୁନକୁ ସେ ଅର୍ଜୁନ ହେବେ ।

 

 

ରାମ

– ହେଲେ ଯୁଧିଷ୍ଠିର ଏଡ଼େ ବଡ଼ ରାଜା ହୋଇ ବଣରେ ବୁଲି ବୁଲି ବଡ଼ କଷ୍ଟ ପାଇଲେ । ରାମ ରାମ !

 

 

ଗିରି

– କଷ୍ଟ ହେଲା ସତ, ହେଲେ ରାମ ଆଉ ନଳଙ୍କଠାରୁ ଅଧିକ ନୁହେ, ସେମାନେ ତ ମାଇପ ସୁଦ୍ଧା ହରାଇଥିଲେ ।

 

 

ନର

– ୟାଙ୍କର ତ ପାଖରେ ଅସଲ ମାଇକିନା ଅଛି ।

 

 

ହନୁ

– ହଇ ହେ, ଗୋଟିଏ ସ୍ତ୍ରୀ ପାଞ୍ଚଟା ଗୃହସ୍ତ କରି ସତୀ କିମିତି ବୋଲାଉଛି ହେ ?

 

 

ଗିରି

– କିଛି ନ ବୁଝି ସାନ ତୁଣ୍ଡରେ ବଡ଼ କଥା କହି ପକାଉଛି । ମୁଁ ବଡ଼ ବଡ଼ ଋଷିଠାରୁ ଶୁଣିଛି, ସେ ପୁଣି ଗୋଟାଏ ପତି ପାଖରୁ ଆସିଲା ପରେ ଅଗ୍ନିରେ ଗାଧୁଆନ୍ତି ।

 

 

ନର

– ମ ! ପୋଡ଼ିଯାନ୍ତି ନାହିଁ କି ହେ ?

 

 

ପ୍ରେମା

– ସେଥିପାଇଁ ଏକା ସେ ସତୀରେ ଲେଖା ହୋଇଅଛନ୍ତି ।

 

 

ରାମ

– ହେଲେ ଦୁର୍ଯ୍ୟୋଧନ ଯେତେ କଷ୍ଟ ଦେଇଅଛି, ଭୀମ ଅର୍ଜୁନ ତାକୁ ଆଉ ରଖିବେ କି ? ସତ୍ୟାନାଶ କରିଦେଇ ରକ୍ତ ଚିତା ଘେନିବେ ନା ?

 

 

ପ୍ରେମା

– ହଁ, ଦୁର୍ଯ୍ୟୋଧନର ନା’ରୁ ମନେ ପଡ଼ିଲା, ସେ ପୁଣି ଘୋଷଯାତ୍ରା କରିବାକୁ ଏଠାକୁ ଆସିଅଛନ୍ତି ?

 

 

ହନୁ

-ପାଣ୍ଡବମାନେ ଏଠାରେ ଥିବା ଜାଣିଶୁଣି ଏଠାକୁ ଆସିଲେ କାହିଁକି ?

 

 

ରାମ

– ଠିକ୍‌ କଥା, ଏଠାକୁ ଆସିବାର ଅର୍ଥ କଣ ?

 

 

ପ୍ରେମା

– ଶେଷରେ ଅନର୍ଥ ଏକା ଅର୍ଥ, ଆଉ କଣ ଅଛି ?

 

 

ଗିରି

– ଗୁରୁ ମହାରାଜ ! ଏ ସବୁ କଥାରେ ଆମ୍ଭର କି କାର୍ଯ୍ୟ ? ଦେଖ ଅନ୍ଧାର ହେଲାଣି, ଠାକୁରଙ୍କର କି ଆଳତି କରିବା ନାହିଁ ?

 

 

ପ୍ରେମା

– ଭଲ ମନେ ପକାଇଲ । ଆସ, ସତେ ଅନେକ ବିଳମ୍ୱ ହେଲାଣି ।

 

(ସର୍ବେ ଶିଙ୍ଗା, ଶଙ୍ଖ, ଘଣ୍ଟା, ତୁରୀ ବଜାଇ ଗୀତ ଗାଇବା, ପ୍ରେମାନନ୍ଦ ଆଳତି କରିବା)

 

ଗୀତ -

“ଦୁଃଖନାଶନ ଗରୁଡ଼ାସନ” ପ୍ରତି । ୫ ।

ସଜଳଜଳଦବଚନ ବରଦ ଜଗତଜନଶରଣ ହେ । ପଦ ।

ମନ୍ଦରଧର ନନ୍ଦତନୟ,

ମନ୍ଦର ପର ମଙ୍ଗଳମୟ,

ଶମନକଦନ ଗହନ ଦହନ ପରମ ଶର୍ମ ବରେଣ୍ୟ ହେ । ୧ ।

 

ଅମରବର ସପକ୍ଷ ରକ୍ଷକ,

ଲକ୍ଷସଂଖ୍ୟକ ରକ୍ଷଧ୍ୱଂସକ,

ହରଷରସର ସର ଖଗବର ଚରମ ଚଣ ହୋ । ୨ ।

 

ପରନ୍ତପ ପ୍ରଜ୍ଞ ପରମପଦ –

ପ୍ରଦ ପଦ୍ମଭବପ୍ରଣତପଦ,

ନନ୍ଦକନନ୍ଦନ ସ୍ୟନ୍ଦନ ଚରଣକର ବନଜବଦନ ହେ । ୩ ।

 

ସର୍ବେ – “ଭୂମୌ ସ୍ଖଳିତପାଦାନାଂ ଭୂମିରେବାବଲମ୍ୱନଂ ।

ତ୍ୱୟି ଜାତାପରାଧାନାଂ ତ୍ୱମେବ ଶରଣଂ ପ୍ରଭୋ” ।

(ତ୍ରିବାର ଦଣ୍ଡପ୍ରଣାମ କରି ବସିବା)

 

ପ୍ରେମା

– ଆଚ୍ଛା, ଏଣିକି କରିବା କଣ ?

 

 

ରାମ

– ଗୁରୁ ମହାରାଜାଙ୍କ ଯାହା ଇଚ୍ଛା ।

 

 

ପ୍ରେମା

– ଆଚ୍ଛା, ମୁଁ ଗୋଟିଏ କଥା କହୁଅଛି ଶୁଣ, ବେଳକୁବେଳ ଅନ୍ଧାରଟା ତ କାଳିଆ ଭୂତ ପରି ମାଡ଼ି ବସିଲାଣି, ଜିନିସପତ୍ରଗୁଡ଼ାକ ତ ଦୂରରେ ରହିଗଲା, ଖୋଜି ଲୋଡ଼ି ଆଣିବାକୁ ତ ବାଟ ଦିଶୁ ନାହିଁ, ଆଜି ପଙ୍ଗତର କଥା ଶୂନ୍ୟ ହେଲା, ପେଟ ପୋଡ଼ିବାରୁ ନିଦ ତ ଲାଗିବ ନାହିଁ, ଆସ ହିସାବଟା ହେଲେ ଠିକ୍‌ କରିଦେବା ।

 

 

ହନୁ

– ଗୁରୁ ମହାରାଜ ! କି ହିସାବ ?

 

 

ପ୍ରେମା

– ଏ ବର୍ଷର ଜମାଖର୍ଚ୍ଚ-

 

 

ଗିରି

– ଗୁରୁ ! ଆମ୍ଭେ ତ ଜମାତ, ଜମାର କଥା କହନ୍ତୁ, ଖର୍ଚ୍ଚ ହେବ କାହିଁକି ?

 

 

ପ୍ରେମା

– ତୁମ୍ଭମାନଙ୍କୁ ଜଣା ନାହିଁ, ଖର୍ଚ୍ଚ ମଧ୍ୟ ଅନେକ ହୋଇଅଛି, କାହିଁ ମୋଠାରେ ବେଶି ଧନ ଥିଲା ପରି ଦିଶୁ ନାହିଁ ।

 

 

ରାମ

– କଣ ହେଲା ? ଧନ ନାହିଁ ? ଆଚ୍ଛା କହୁଛନ୍ତି ! ତୁମ୍ଭ କଥା ଶୁଣି ତ ମୋ ତୁଣ୍ଡ ପିତା ଉକୁଟି ଗଲାଣି । ମୁଁ ଏକା ଏ ବର୍ଷ ଦେଲି ପାଞ୍ଚଶ ସୁନିଆଁ ।

 

 

ପ୍ରେମା

– ତା ଭିତରୁ ମୋର ପାଉଣା କେତେ ବୁଝିଛ ?

 

 

ନର

– ପାଉଣାର କଥା କଣ ? ଆମ୍ଭେ ମିଶିଲାବେଳେ ତ ସମାନରୂପେ ଭାଗ କରିବାର ନିଶ୍ଚୟ ହୋଇଥିଲା ।

 

 

ପ୍ରେମା

– ନାହିଁ ନାହିଁ, ସେପରି ନ କହ, ମୁଁ ଅଧିକାରୀ ହୋଇଥିବାରୁ ଷୋଳପଣରୁ ଛ ପଣ ମୋର, ବାକି ସବୁ ସମାନ ଭାଗ ହେବ ।

 

 

ଗିରି

– ଏ କି କଥା ? ଧାଇଁଧପଡ଼କୁ ମାଣ୍ଡିଆଜାଉ, ବସିବା ଲୋକ ତବତ ଖାଉ । ସିମିତିକାର କେବେ ହେବ ନାହିଁ ।

 

 

ହନୁ

– ମହାରାଜ ! ମୁଁ ଆଉ ତୁମ୍ଭ ପାଖରେ ରହିପାରିବି ନାହିଁ । ମୋ ଟଙ୍କାଗୁଡ଼ିକ ବେଗରେ ଦେଇ ପକାଅ ।

 

 

ରାମ

– ମହାରାଜ ! ଧନ ପ୍ରାଣ ଏକା, ଆମେ କଣ ଅସଲ ବାବାଜି ଯେ, ଟଙ୍କାଗୁଡ଼ିକ ତୁମ ପାଦପୂଜା କରିଦେବୁଁ ବୋଲି ମନେ କରିଛ ? ଠିଆଗୋଡ଼ରେ ଅସଲ କରିଦେବୁଟି ।

 

 

ନର

– ନୁହେ କଣ, ପାଞ୍ଚଣବାଡ଼ିରେ ଗୋରୁମୁଣ୍ଡ ଥାପିଲା ପରି ଆମ୍ଭେ ଏହାଙ୍କୁ ଲୋକେ ବୁଝିବାକୁ ରଖିଛେ, ଏ କଣ ସତେ କର୍ଣ୍ଣଗୁରୁ ?

 

 

ହନୁ

– ଟଙ୍କା ପାଖରେ କର୍ଣ୍ଣଗୁରୁ କଣ ହେ ? ଅର୍ଣ୍ଣ ଗୁରୁକୁ ତ ଠିକଣା ନାହିଁ ।

 

 

ଗିରି

– ଠିକ୍‌, ଠିକ୍‌, ଆହେ ! ଆମେ ତ କିଏ କୋଉଁଠୁ ଅଠର ଜାତିରୁ ଗୋଟିଆ ହୋଇ ଆସିଛି । ଆମେ ତ କିଏ ଚଷା, କିଏ ବାଉରି, କିଏ ପାଣ, ଆମର କାହିକିଁ ଏ ବୈରାଗିଟାଣ ?

 

 

ପ୍ରେମା

– (ସ୍ୱଗତ) ଏମାନଙ୍କୁ ଜୋର କରି କହିବି, ଠୋ କରି ପ୍ରାଣଟା ନେଇଯିବେ, ଧନଗୁଡ଼ିକ ତ ମୋ ହାତରେ ପଡ଼ିଛି, ଏବେ ଏମାନଙ୍କ ମନଘେନା କଥା କହି ବେଳ କାଳ ଜାଣି ହରିଣଡ଼ିଆଁ କରିଦେବି । (ପ୍ରକାଶ) ତୁମ୍ଭେମାନେ ଜମାତ ହୋଇ ମୋର ଜମାତ କିଏ ସେ ଟିକିଏ ହେଲେ ବୁଝି ପାରିଲ ନାହିଁ । ଆମେ ତ ସମସ୍ତଙ୍କ ଆଖିରେ ଧୂଳି ମାରି ଖଇବା ଜାତି-। ଆମର ଖର୍ଚ୍ଚ କାହିଁକି ହେବ ? ସବୁଗୁଡ଼ିକ ଜାଗ୍ରତରେ ରଖିଅଛି । ତୁମ ଇଛା ହେଲେ ମତେ ଦିଅ, ନୋହିଲେ ସବୁଗୁଡ଼ିକ ନିଅ, ମୋର କି ପିଲା ଝିଲା ଭାସି ଯାଉଛନ୍ତି ?

 

 

ରାମ

– ଗୁରୁ ମହାରାଜ ! ଆମେ ନ ଜାଣି ଅପରାଧ କରିଅଛୁଁ, କ୍ଷମାକର ।

 

 

ପ୍ରେମା

–ଛାଡ଼ ସେ କଥା, ଆମେ ତ ସବୁଗୁଡ଼ାକ ଭାଇ ପରି, ହେଲେ ଆମର ଏ ବୃତ୍ତଟା ବଡ଼ ଲାଭକର କଥାଟି ।

 

 

ନର

– କିସ କହୁଛ, ଯଥାକଥାରେ ଭଲ ଜଟଟିଏ, ତୁମ୍ଭ, ଚିମୁଟା, ଛାଲ, ପାଉଁସ, ଏତେକରେ ତ ସଂସାର ସାରି ଦେବା ।

 

 

ହନୁ

– ଆମେ ସଂସାରୀ କି ହେ ? ଆମେ ଷଣ୍ଢପରି, ଆମ ବେକରେ କି ପଘା ? ମଳି ଧୂଳିରୁ ବାହାର ହୋଇ ସବୁ ସୁଖ ପାଇବା ଜାତି ।

 

 

ଗିରି

– ହଁ, ମନେ ପଡ଼ିଲା, ଭାଇମାନେ ! ଆମେ ତ ଏକାପ୍ରାଣ ପରି ରହିଛେ, ଗୋଟିଏ ସମୟରେ ଯୋଉଁ କୌତୁକ ହେଲା !

 

 

ରାମ

– କଣ ହେଲା ?

 

 

ଗିରି

– ଗୋଟିଏ ଗ୍ରାମକୁ ଯାଇ ଏମିତି କୌଶଳ କଲି ଯେ, ସେମାନେ ସାକ୍ଷାତ୍‌ ମହାତ୍ମା ବୋଲି ମତେ ଚତୁର୍ମ୍ୟାସ୍ୟାରେ ରହିବାକୁ ବଡ଼ ପ୍ରାର୍ଥନା କଲେ ।

 

 

ହନୁ

– ତହିଁ ଉତ୍ତାରୁ ?

 

 

ଗିରି

– ମୋର ତ ତାହା ଲୋଡ଼ାଥିଲା, ହଁ କଲି । ଆହା, ସେମାନଙ୍କର ଯୋଉ ଭକ୍ତି,ଖଇବା ପିଇବା କଥା ଛ।ଡ଼, ଦିଣ୍ଡା ଦିଣ୍ଡା ଭୁଆସୁଣୀ ପିଲାଯାକ ଆସି କାହାର ପେଟ ଫଳୁ ନାହିଁ, କାହାର ଘଇତା ପଚାରୁ ନାହିଁ, ଓଷ ଦିଅ ବୋଲି ଯୋଉ ସେବା କଲେ !

 

 

ନର

– ବଟୁଆରେ ଚେର ମୂଳ ପୁଞ୍ଜିଏ ଗୁଞ୍ଜି ନ ଥିଲେ କି ?

 

 

ଗିରି

– ଏତକ ନ ଜାଣି ଆମେ ବୈରାଗୀ କେମିତି ହେ ? ଆହା, କଳାମେଘ ଆକାଶଯାକ ଢାଙ୍କି ଦେଇଥାଏ, ତହିଁରେ ବେଳେବେଳେ ବିଜୁଳି ଘଡ଼ଘଡ଼ି ମାରୁଥାଏ, ରୋଜ ରୋଜ ପାଣିବର୍ଷା, ଇମିତି ସମୟରେ ସୁନା କଣ୍ଢେଇ ପରି ସେମାନେ ଆସି ସେବା କରୁଥାନ୍ତି । କଣ କହିବି, ସେ କଥା ମନେ ପଡ଼ିଲେ ରୋମ ଟାଙ୍କୁରି ଉଠୁଛି ।

 

 

ପ୍ରେମା

– ସତ ସତ, ମୋ ମତରେ ଅଳସୁଆ ହେଲେ ଜମାତରେ ମିଶିଯିବ । କେତେ ଲୋକ ମାନ୍ୟ କରିବେ, କେତେ ପଦାର୍ଥ ଖାଇବ, କେତେ ଦେଶ ଦେଖିବ, କେତେ ଅନୁଭବ କରିବ, କେତେ କମାଇବ । ଏହାର ଗୋଟିଏ ରହସ୍ୟ ଅଛି ।

 

 

 

ସବଳ ଲୋକଙ୍କୁ ବିନୟେ କହିବ

ଦୁର୍ବଳକୁ ଦେବ ଧକ୍କା,

ବେଳକାଳ ଜାଣି ଯେ ଧନ ରଖିବ

ସେ ଏକା ଜମାତେ ପକ୍‍କା ।

 

ରାମ

– ଗୁରୁ ମହାରାଜାଙ୍କ ପ୍ରସାଦରୁ ଆମ୍ଭେ ଏହା ଉତ୍ତମରୂପେ ଶିଖିଅଛୁଁ ।

 

 

ଗିରି

– (ଆକର୍ଣ୍ଣ କରି) ରହ ରହ, ଏ କଣ ଦୂରରେ ଚହଳ ଶୁଭୁଅଛି ?

 

 

ନର

– ହରି ହେ ! ଆମ ଦଳ ଲୋକଙ୍କ ଚହଳ ପରି ଲାଗୁଅଛି ।

 

 

ହନୁ

– ସତ କହିଲ, ଚାଲ ବାଟ ଓଲଗି ସେଠାକୁ ଯିବା । ନ ଖାଇଲେ ମୁଁ ରହି ପାରିବି ନାହିଁ ।

 

 

ପ୍ରେମା

– ଅର୍ଣ୍ଣମୟ ପିଣ୍ଡ, ଆଚ୍ଛା କହିଲ, ଚାଲ ଯିବା ।

 

 

ସର୍ବେ

– ଜୟ ସୀତା ରାମ !

 

(ନିଷ୍କ୍ରାନ୍ତ)

***

 

ଦ୍ୱିତୀୟ ଦୃଶ୍ୟ

 

(ସ୍ଥାନ – ଦ୍ୱୈତ ବନର ଏକପ୍ରାନ୍ତ । ସପରିବାର ଦୁର୍ଯ୍ୟୋଧନ, ଦୁଶାଃସନ, କର୍ଣ୍ଣ, ଶକୁନି ପ୍ରବେଶ)

 

ଦୁର୍ଯୋ

– ସଖେ ଅଙ୍ଗରାଜ ! ଏହି ଦ୍ୱୈତବନ ସୁଷମାବିଭବରେ ଅଦ୍ୱିତୀୟ ହୋଇଅଛି-

 

 

କର୍ଣ୍ଣ

– ସନ୍ଦେହ କି ! ଏ ଗୋଟିଏ ଅଦ୍ଭୁତ ଜଗତର ବିରାଟ ପ୍ରଦର୍ଶନୀ ପରି ଅନୁଲକ୍ଷିତ ହେଉଅଛି

 

 

ଶକୁ

– ଅତ୍ରତ୍ୟ ତାଳ ତମାଳ ହିନ୍ତାଳ ରସାଳ ନାରିକେଳ ସରଳ ପ୍ରଭୃତି ଦ୍ରୁମାବଳୀ ପରସ୍ପର ଜଗୀଷାରେ ଶିରୋନ୍ନମନ କରି ସମୃଦ୍ଧିଶାଳିତାର କି ସୁସ୍ପଷ୍ଟ ସାକ୍ଷ ଦେଉଅଛନ୍ତି ।

 

 

ଦୁଃଶା

– ଏଣେ ଦେଖ, ଏହି ଅରଣ୍ୟାନୀ ସୀମାନ୍ତବର୍ତ୍ତୀ ପ୍ରକାଣ୍ଡମୂର୍ତ୍ତି ଭୂଧରବ୍ରାତ ସ୍ତର ସ୍ତର ହୋଇ ବ୍ୟୋମାବଳଲୀଢ଼ ହୋଇଅଛି ।

 

 

ଦୁର୍ଯୋ

– ମହାସତ୍ତ୍ୱ କଦମ୍ୱର ଆଶ୍ରୟ ପ୍ରଦାୟକ, ଶକୁନ୍ତବ୍ରାତର ସନ୍ତୋଷପ୍ରଦ ତୀର୍ଥ, ଶାନ୍ତି ଓ ଭୟାନକ ରସର ସମ୍ମିଶ୍ରଣ ସ୍ଥଳୀ, ସୁମିଷ୍ଟ ଫଳୈଶ୍ୱର୍ଯ୍ୟଶାଳୀ, ସୁକୃତୀନିବାସୈକଯୋଗ୍ୟ ବିଳାସିବିଳାସୋପଭୋଗ୍ୟ, ଦ୍ରଷ୍ଟବ୍ୟ ଜଗତର ସାରସ୍ୱରୂପ, ଶ୍ୟାମାୟମାନ କାନନ ପ୍ରଦେଶରେ ସୁପୁଷ୍ପିତ ସୁମନଗୁଚ୍ଛଗୁଡ଼ିକ ସୁନୀଳ ବିହାୟସରେ ସମୁଜ୍ଜ୍ୱଳ ତାରକାପୁଞ୍ଜ ପରି କି ଲୋଭନୀୟ ହୋଇଅଛି ।

 

 

ଶକୁ

– ମହାରାଜ ! ଏଣେ ଦେଖ, ଘନରସାଟବୀର ଅନତିଦୂରରେ ପନସାଦି ଫଳବୃକ୍ଷଗୁଡ଼ିକ କୁଟୁମ୍ୱୀ ନିଜ ସନ୍ତାନଙ୍କୁ ବହନ କଲା ପରି କକ୍ଷରେ, ବକ୍ଷରେ, ସ୍କନ୍ଧରେ, ଶିରରେ ଫଳମାନଙ୍କୁ କିପରି ଧାରଣ କରିଅଛନ୍ତି ।

 

 

କର୍ଣ୍ଣ

– ମାମୁ ! ସତ୍ୟ କହିଅଛ, ତନ୍ମଧ୍ୟରୁ କେତେଗୁଡ଼ିଏ ପାଦପ ଫଳଭରନମିତ ହୋଇ ସଦ୍‍ଗୁଣସମ୍ପନ୍ନ, ବିନୟାବନତ ସ୍ୱକୃତୀ ପରି ସ୍ୱଭାବମଧୁରତାର ଚୂଡ଼ାନ୍ତ ପରିଚୟ ଦେଉ ନାହାନ୍ତି କି ?

 

 

ଦୁଃଶା

– ଆହା ! ଏଣେ ବେଣୁଗୁଳ୍‍ମାନ୍ତରାଳରେ ଦିବାଭୀତ କୌଶିକ କଦମ୍ୱର କି ବିକୃତ ଘୃତ୍‍କାର ! ଗରିନିତମ୍ୱସ୍ୟନ୍ଦନୀ ନିର୍ଝରିଣୀର କି ଝର୍ଝର ନିନାଦ ! କଠିନଶିଳାପୃଷ୍ଠଶାୟୀ ଭଲ୍ଲୁକକୁଳର କି ଗୁଣୁଗୁଣୁ ସ୍ୱନ !

 

 

ଦୁର୍ଯୋ

– ଭାଇ, ସତ୍ୟ କହିଅଛି, ଏ ଦେଖ, ବାରଣରକ୍ତପିପାସୁ ଧାବମାନ କଣ୍ଠୀରବକୁଳର କି ଉନ୍ନଦ ସ୍ୱନ, ସ୍ୱାପଦପଦଦଳିତ ଶୁଷ୍କପତ୍ରର କି ମର୍ମର ଧ୍ୱନି, ପ୍ରେମାକୁଳ ଶକୁନ୍ତବ୍ରାତର କଳ କୂଜିତ ସୁଦ୍ଧା ଚତୁର୍ଦିଗ ବାଚାଳିତ କରୁଅଛି ।

 

 

କର୍ଣ୍ଣ

– ଏ ଦିଗରେ ବନମହିଷ ବିଷାଣଭିଦ୍ୟମାନ ବଲ୍ମୀକବିବରୋଦ୍‍ଗତ ସମଦ ଦ୍ୱନ୍ଦ୍ୱଶୁକବୃନ୍ଦର ଉତ୍କଟ ଫୁତ୍‍କାର କିପରି ଶୁଭୁଅଛି ।

 

 

ଶୁକୁ

– (ଚାହିଁ) ମହାରାଜ ! ହେଟି, ମୁସ୍ତାର୍ଦ୍ରପଙ୍କମଳିନା ବରାହପଦ୍ଧତି ଏବଂ ନବୀନ ତୃଣକବଳନ ଶ୍ୟାମଳା ହରିଣ ରୋମନ୍ଥଫେନ ସଂହତି ।

 

 

ଦୁର୍ଯୋ

– ଆହା ! ଏହି ଅରଣ୍ୟଭୂମି ସ୍ଥାନେ ସ୍ଥାନେ ନବପ୍ରସବିନୀ ମୃଗୀଗର୍ଭରୁଧିରଲୋହିତା, ମୃଗନାଭିଗନ୍ଧନୀ, ଦନ୍ତାବଳମଦଜଳମଳିନା, ବନ୍ଧନଚ୍ୟୁତ ସୁମନ ସମୂହା ସ୍ତରଣା, ପରାଗପଟଳ ପାଂଶୁଳା, ଦୁଷ୍ଟସ୍ୱାପଦ ଦ୍ୱନ୍ଦାହବଭଗ୍ମବିଷାଣଦନ୍ତନଖ ପିଞ୍ଜର ଶର୍କରିଳା, ପକ୍ୱଜମ୍ୱୁରସପିଚ୍ଛିଳା, ମରନ୍ଦପୂର୍ଣ୍ଣାଳବାଳା ହୋଇ କି ରମଣୀୟତରା ଦିଶୁଅଛି ।

 

 

କର୍ଣ୍ଣ

– ମହାରାଜ ! ସମାନ୍ତାତ୍‌ କୁଶ, କୁସୁମ, ଶମୀ, ପଳାଶ, ଗୁବାକ, ନାରିକେଳ ଦୂର୍ବା ପୂର୍ଣ୍ଣ ହୋଇ ଅଚିରନିବୃତ୍ତ ବିବାହବେଦୀ ପରି କି ମନୋମୁଗ୍‍ଧକର !

 

 

ଦୁର୍ଯୋ

– ସଖେ, କରିକରେଣୁର ପଦ୍ମଗନ୍ଧ ପୁଷ୍କରବାରିବିନିମୟ, ବିହଙ୍ଗ ବିହଙ୍ଗୀର ନୀବାରଦାନାଦାନ, ମୃଗ ମୃଗୀର ଶୃଙ୍ଗକଣ୍ଡୂୟନ, ମୟୂରୀ ସମକ୍ଷରେ ସମୁତ୍‍କଣ୍ଠ ନୀଳକଣ୍ଠକୁଳର ମଣ୍ଡଳୀକୃତ ତାଣ୍ଡବ ପ୍ରଭୃତିରୁ ଅନୁମିତ ହୁଏ, ପଶୁପକ୍ଷି ଶ୍ରେଣୀର ସୁଦ୍ଧା କି ସୁନିବିଡ଼ ପ୍ରେମାନବନ୍ଧ !

 

 

ଦୁଃଶା

– ଏହିପରି ବନରେ ଅଧିଷ୍ଠାନ କରି ମୁନିମାନେ ମନରେ ପ୍ରଶାନ୍ତତା, ଜ୍ଞାନରେ ବିଶୁଦ୍ଧତା, ଧ୍ୟାନରେ ନିଶ୍ଚଳତା ଅନୁଭବ କରିବାଟା ଆଶ୍ଚର୍ଯ୍ୟର ବିଷୟ ।

 

 

ଦୁର୍ଯୋ

– ଏହି ପ୍ରାକୃତିକ ଶୋଭାସମ୍ଭାରକୁ ବିଶ୍ୱଚିତ୍ରକର ସଂଯତ ଚିତ୍ତରେ କି ଅଚିନ୍ତ୍ୟ କଳ୍ପନାତୂଳି ଧରି ଅଙ୍କିତ କରିଅଛନ୍ତି !

 

 

ଶକୁ

– ମହାରାଜ ! ଆମ୍ଭର ଏ ଉଲ୍ଲାସପ୍ରଦ ଘୋଷଯାତ୍ରାରେ ଭୀଷ୍ମ ଦ୍ରୋଣାଦିମାନେ ଯୋଗ ଦେଲେ ନାହିଁ କାହିଁକି ? ଏହିପରି ଶୁଭ ସୁଯୋଗ କି ଜନ୍ମାନ୍ତରେ ହେଲେ ଉପଲବ୍‍ଧି କରି ପାରିବେ ?

 

 

ଦୁଃଶା

– ମାତୁଳ ! ଆପଣ ଅବଗତ ଥିବେ, “ଦଶକେନ ନିବର୍ତ୍ତନ୍ତେ ମନଃ ସର୍ବେନ୍ଦ୍ରୟାଣି ଚ-।” ଏହିପରି ଅନେକ ଦଶକ ଅତିକ୍ରାନ୍ତ ହୋଇଥିବାଠାରେ ଆଉ ସେମାନଙ୍କ ଜୀବନରେ ବିନୋଦର ରେଖା କାହିଁ ? ଯେଉଁ ବିଷମ ଅବସ୍ଥାରେ ଯୌବନ ସୁଖ ସ୍ମରଣୈକବେଦ୍ୟ, ଇନ୍ଦ୍ରିୟଗଣ କର୍ମବିହୀନ, ବିଳାସିତା ଅସୁଖପ୍ରଦ, ନିରୁତ୍ସାହ ଚିରମିତ୍ର, ଅବସାଦ ଆତ୍‍ମସହଚର ହୁଏ ।

 

 

କର୍ଣ୍ଣ

– ଦୁଃଶାସନ ! ଜ୍ଞାନବାନ୍‌ ବୃଦ୍ଧମାନଙ୍କ ପ୍ରତି ଅବହେଳା ଓ ବିଦ୍ରୂପୀକରଣ କରିବା ତୁମ୍ଭର କି ସ୍ୱଭାବସିଦ୍ଧ ହେଲାଣି ? ସେମାନଙ୍କ ଅନୁପସ୍ଥିତିର ଅନେକ କାରଣ ଅଛି-

 

 

ଦୁର୍ଯୋ

– ଆଚ୍ଛା, କି କାରଣ ?

 

 

କର୍ଣ୍ଣ

– ମୌଳିକ କାରଣ ଏହି କି, ପାଣ୍ଡବମାନେ ଏ ବନରେ ବାସ କରିଅଛନ୍ତି ।

 

 

ଶକୁ

– ଠିକ୍ କଥା, ସୁତରାଂ ଯୁଧିଷ୍ଠିର ରାଜ୍ୟଚ୍ୟୁତ ହେଲେ ସୁଦ୍ଧା ଏହିପରି ଭୁବନମୋହନ ଅରଣ୍ୟରେ ବାସ କରିଥିବାରୁ ତାହାଙ୍କୁ ମହାସୁଖୀ କହିବାକୁ ହେବ-

 

 

ଦୁର୍ଯୋ

– ମାତୁଳ ! ଏ କି କଥା ? ଯଦ୍ୟପି ବନବାସୀ ମତ୍ରେ ସୁଖୀ, ଭିଲ୍ଲମାନେ ସୁଦ୍ଧା ସେହି ଶ୍ରେଣୀଭୁକ୍ତ ହେବେ ନାହିଁ କି ? ତାହା କଦାପି ନୁହେ । ସନ୍ତତ ବିବିଧ ଚିନ୍ତାକ୍ରାନ୍ତ ହୋଇ ଅମରରାଜ୍ୟରେ ଆବାସ କଲେ ସୁଦ୍ଧା କି ସୁଖ ଅଛି ? ଏପରି କହକି, ଆମ୍ଭ ପରି ବିଭବଶାଳୀ ହୋଇ ଆରଣ୍ୟକ ସୁଖାନୁଭୂତି କଲେହିଁ ସୁଖିପର୍ଯ୍ୟାୟଭୁକ୍ତ ହୋଇପାରେ ।

 

 

ଦୁଃଶା

– ଯାହାହେଉ, ଅପହୃତସର୍ବସ୍ୱ ଯୁଧିଷ୍ଠିର ଆମ୍ଭର ଏ ଅପର୍ଯ୍ୟାପ୍ତ ବିଭବ ଦେଖି ନୟନ ଲୋତକପୂର୍ଣ୍ଣ ଓ ହୃଦୟ ବିଦୀର୍ଣ୍ଣ କରି ଦେବେ ।

 

 

ଶକୁ

– ସନ୍ଦେହ କଣ ? ଶତ୍ରୁବିଭବଦର୍ଶନ ଅବଶ୍ୟ ଚକ୍ଷୁଃଶୂଳ ହେବାର କଥା ଏବଂ ଆମ୍ଭ ଆଗମନର ଏହାହିଁ ଉଦ୍ଦେଶ୍ୟ ।

 

 

କର୍ଣ୍ଣ

–ବିଶେଷତଃ ଦ୍ରୌପଦୀର ରମଣୀସୁଲଭ ହୃଦୟ ଅବଶ୍ୟ ଦୁଃଖଭାରାକ୍ରାନ୍ତ ହୋଇଯିବ ।

 

 

ଦୁର୍ଯୋ

–ସଖେ ଅଙ୍ଗରାଜ ! ଭୀମାର୍ଜୁନ ସୁଦ୍ଧା ଶରବିଦ୍ଧ ହରିଣଶାବକ ପରି ଅବଶ୍ୟ ମ୍ରିୟମାଣ ହେବେ ।

 

 

ନେପଥ୍ୟେ

– ବିନାନୁମତିରେ ଅରଣ୍ୟପ୍ରବେଶ କରି ଶାନ୍ତିଭଙ୍ଗ କରିବା ସମୁଚିତ ନୁହେ । ଶୀଘ୍ର ଦୂର ହୁଅ, ନୋଚେତ୍‌ ଘୋର ଅନିଷ୍ଟର ସମ୍ଭାବନା ।

 

 

ଦୁର୍ଯୋ

– (ଆକର୍ଣ୍ଣ କରି ହସି) ସଖେ ଅଙ୍ଗରାଜ ! ଏ କି ପ୍ରଳାପ ? ଏହି ଆସନ୍ନମୃତ୍ୟୁ ବ୍ୟକ୍ତି ଆମ୍ଭର ପ୍ରଭାବ କି ଅଦ୍ୟାପି ବୁଝି ନାହିଁ ?

 

 

କର୍ଣ୍ଣ

– ମହାରାଜ ! ଏହା କୌଣସି ବିବେକବିହୀନ ଶବରଜନର ପ୍ରଳାପ ହୋଇଥିବ ।

 

 

ଶକୁ

– ଆମ୍ଭମାନଙ୍କୁ ନ ଚିହ୍ନି ଏପରି କହି ଦେଇଅଛି । ଦେଖିବ, ହଠାତ୍‌ ସମ୍ମୁଖୀନ ହେବା ମାତ୍ରେ କିପରି ତ୍ରସ୍ତ ହୋଇଯିବ ।

 

 

ଦୁଃଶା

– (ଉଚ୍ଚୈସ୍ୱରରେ) କିଏସେ ତୁ ?

 

 

ପୁନର୍ନେପଥ୍ୟେ

– ଆରେ ଅଜ୍ଞ ! ରାଜପୁତ୍ର ହୋଇ ଭଦ୍ରୋଚିତ ବ୍ୟବହାର ଲେଶ ସୁଦ୍ଧା ବୁଝି ନ ପାରି ଏକବଚନ ପ୍ରୟୋଗ କରୁଅଛ ? “କିଏସେ ତୁ ?” ଯେ ତୁମ୍ୱ ଔଦ୍ଧତ୍ୟପ୍ରବାହକୁ ଅବହେଳାରେ ରୁଦ୍ଧ କରିଦେବ, ସେହି ସେତୁ ।

 

 

କର୍ଣ୍ଣ

– ମହାରାଜ ! ବାକ୍‍ପଟିମାଦ୍ୱାରା ଅନୁମିତ ହୁଏ, ଏ ସାଧାରଣ ବ୍ୟକ୍ତି ନୁହନ୍ତି । ଶୀଘ୍ର ଶସ୍ତ୍ରାସ୍ତ୍ର ସଂଯତ କର ।

 

 

ଦୁର୍ଯୋ

– (ହସି) ଆମ୍ଭେ ମହାବୀର ପରା ? ଛାର ବିଭୀଷିକା ମାତ୍ରେ ତ୍ରସ୍ତ ହେବା ?

 

 

ଦୁଃଶା

– ଏ କାପୁରୁଷ କି ମୃତ୍ୟୁମୁଖକୁ କୁସୁମତଳ୍‍ପ ମନେ କରିଅଛି ?

 

 

 

(ସହସା ଗନ୍ଧର୍ବଙ୍କ ସହ ଚିତ୍ରସେନ ପ୍ରବେଶ)

 

 

ଚିତ୍ର

– ପୁନର୍ବାର ଆଦେଶ ଦେଉଅଛି କି, ଶୀଘ୍ର ଏଠାରୁ ଅନ୍ତର ହୁଅ । ତୁମ୍ଭପରି ନିଷ୍କର୍ମା କାପୁରୁଷଙ୍କ ଏ ସ୍ଥାନ ପ୍ରବେଶଯୋଗ୍ୟ ନୁହେ ।

 

 

ଦୁର୍ଯୋ

– (କ୍ରୋଧରେ) ଆରେ ତୋର ସୁଦ୍ଧା ଆଦେଶ ? ରସନାସଂଯତ କର । କିନାଶମହିଷଗ୍ରୈ ବେୟଘଣ୍ଟାଧ୍ୱନି ଶ୍ରବଣ ଲାଗି ଏଡ଼େ ଉତ୍‍କଣ୍ଠା କାହିଁକି ? ଆରେ ଅନ୍ଧ ! ଆମ୍ଭମାନଙ୍କୁ କି ଚିହ୍ନି ପାରୁ ନାହୁଁ ?

 

 

ଚିତ୍ର

– ଉତ୍ତମରୂପେ । ଆରେ ଅନ୍ଧପୁତ୍ର ! ଖାଲି ତତେ ନୁହେ, ତୋର ନୀଚପ୍ରକୃତି ଓ ପାପବୁଦ୍ଧିକି ସୁଦ୍ଧା ।

 

 

ଶକୁ

– ଆଚ୍ଛା, ତୋର ନାମ କଣ ?

 

 

ଚିତ୍ର

– ପୃଷ୍ଠଲମ୍ୱିତ ତୂଣୀର ତୀରମାନଙ୍କରେ ଅଙ୍କିତ ହୋଇଅଛି । ଆବଶ୍ୟକ ହେଲେ ସେହି ପରିଚୟ ଦେବ ।

 

 

ଦୁଃଶା

–(କ୍ରୋଧରେ) ଏତେଦୂର ଆସ୍ପର୍ଦ୍ଧା ! (ଗଦା ସଂଯତ କରିବା)

 

 

ଚିତ୍ର

– ଆରେ ବାତୁଳ ! ମହେନ୍ଦ୍ରାଦେଶରୁ ମୁଁ ମହାରାଜାଙ୍କର ଛାୟାନୁଗତ ହୋଇଥିବାଠାରେ ତୋର ଏ ନୀଚ ବିଭୀଷିକା ପ୍ରତି କି ଭ୍ରୂକ୍ଷେପ କରିବି ?

 

 

ଦୁର୍ଯୋ

–ଆରେ, ମୁଁ ସସାଗରା ଧରାର ଏକଛତ୍ର ଆଧିପତ୍ୟ କରୁଥିବାଠାରେ ଆଉ ମହାରାଜ କିଏ ?

 

 

ଚିତ୍ର

– ଦୁରଭିମାନି ଦୁର୍ଯ୍ୟୋଧନ ! ମହାରାଜାଙ୍କୁ ଏତେ ଅଳ୍ପ ସମୟରେ ଭୁଲିଗଲୁ ? ପୂଜ୍ୟପାଦ ମହର୍ଷିବଂଶ ଯାହାଙ୍କର ଶୁଭଚିନ୍ତକ, ଇନ୍ଦ୍ରୋପେନ୍ଦ୍ର ଯାହାଙ୍କର ପୃଷ୍ଠପୋଷକ, ବୀରଚୂଡ଼ାମଣି ଭୀମାର୍ଜୁନ ଯାହାଙ୍କର ଅନୁଜ୍ଞାପାଳକ, ତୋ ପରି ଲକ୍ଷସଂଖ୍ୟକ ରାଜନ୍ୟବୃନ୍ଦ ଯାହାଙ୍କର ଅନୁଗ୍ରହଭିକ୍ଷୁକ, ତ୍ରିଲୋକୀ ସତ୍ୟସନ୍ଧତିଳକ, ବିରାଟ ରାଜସୂୟଯାଜକ, ପାଣ୍ଡବକୁଳନାୟକ, ଯୁଧିଷ୍ଠିର ମହାରାଜାଧିରାଜ, ଯାହାଙ୍କର ଅତୁଳ ପବିତ୍ର ସମ୍ପଦ ତୋ ପରି ପାପିଷ୍ଠର ଶ୍ୱାନଭୋଗ୍ୟ ହୋଇଅଛି । କି ? ବୁଝି ପାରିଲ ତ ?

 

 

ଦୁର୍ଯ୍ୟେ

– (କ୍ରୋଧରେ) ଆରେ ବୃଥାପ୍ରଳାପି ! ତୋତେ ଏବଂ ତୋର ପ୍ରଭୁ ଯୁଧିଷ୍ଠିରକୁ ସୁଦ୍ଧା ମୁଁ ଲେଶ ଗଣନା କରୁ ନାହିଁ । ଦୁଃଶାସନ । ଭୀଷଣ ଗଦାଦ୍ୱାରା ଶୀଘ୍ର ଏହାର ଶିର ଚୂର୍ଣ୍ଣ କର ।

 

 

 

(ସର୍ବେ ଯୁଦ୍ଧୋଦ୍ୟତ ହେବା)

 

 

ଚିତ୍ର

– ଗନ୍ଧର୍ବଗଣ ! ଆଉ କଣ ଅପେକ୍ଷା କରୁଅଛ ? ସୁତୀକ୍ଷ୍‍ଣ ବିପାଠଦ୍ୱାରା ଶୀଘ୍ର ଏ ମୂର୍ଖକୁ ସୁପାଠିତ କର ।

 

 

ଗନ୍ଧର୍ବ

– ଯେ ଆଜ୍ଞା !

 

 

 

(ସର୍ବେ ମିଶି ତୁମୁଳସଂଗ୍ରାମ କରିବା, ଚିତ୍ରସେନ, କର୍ଣ୍ଣ, ଦୁଃଶାସନ, ଶକୁନିଙ୍କି ମୂର୍ଚ୍ଛିତ ପରେ ଦୁର୍ଯ୍ୟୋଧନକୁ ନିଃଶସ୍ତ୍ର କରି ଧରିବା ।)

 

 

ଚିତ୍ର

– ଗନ୍ଧର୍ବଗଣ ! ଶୀଘ୍ର ଏ ପାପିଷ୍ଠ ଦୁର୍ଯ୍ୟୋଧନକୁ ବନ୍ଧନ କରି ଘେନି ଯାଅ, ଭୈରବୀପୀଠରେ ଏହାକୁ ପଶୁବଳି ଦେବା ।

 

 

ଗନ୍ଧ

– ଯେ ଆଜ୍ଞା । (ଦୁର୍ଯ୍ୟୋଧନକୁ ବନ୍ଧନ କରି ଚିତ୍ରସେନ ସହ ନିଷ୍କ୍ରାନ୍ତ)

 

 

ଦୁର୍ଯ୍ୟୋଧନର ଭୃତ୍ୟଗଣ

– (ଉଚ୍ଚୈଃସ୍ୱରରେ) ହାୟ ହାୟ ! ଆମ୍ଭ ମହାରାଜା ଦୁର୍ଯ୍ୟୋଧନଙ୍କୁ ବାନ୍ଧି ଘେନି ଯାଉଅଛନ୍ତି । କୌଣସି ମହାତ୍ମା ପ୍ରାଣଦାନ ଦିଅ, ପ୍ରାଣଦାନ ଦିଅ ।

 

 

 

(ସହସା ଭାଇଙ୍କ ସହ ଯୁଧିଷ୍ଠିର ପ୍ରବେଶ କରିବା, ଭୃତ୍ୟଗଣ ଯୁଧିଷ୍ଠିରଙ୍କ ପାଦତଳେ ପଡ଼ିବା)

 

 

ଭୃତ୍ୟ

– କରୁଣାସିନ୍ଧୋ ଯୁଧିଷ୍ଠିର ମହାରାଜ ! ଆମ୍ଭ ମହାରାଜ ଦୁର୍ଯ୍ୟୋଧନଙ୍କୁ ଗନ୍ଧର୍ବ ହସ୍ତରୁ ରକ୍ଷା କରି ସମସ୍ତଙ୍କୁ ପ୍ରାଣଦାନ ଦିଅ ।

 

 

ଯୁଧି

– ହାୟ ! କି ଅସହନୀୟ ପରାଭବ ? କର୍ଣ୍ଣ ପ୍ରଭୃତି ମୂର୍ଚ୍ଛିତ ହୋଇ ଯାଇଅଛନ୍ତି । ଭୃତ୍ୟଗଣ ! ଶୀଘ୍ର ଏମାନଙ୍କୁ ସଚେତ କର, ମୁଁ ଏଥିରେ ପ୍ରତିବିଧାନ କରୁଅଛି ।

 

 

ଭୃତ୍ୟ

– ଯେ ଆଜ୍ଞା । (କହି ସଚେତ କରିବା)

 

 

ଭୀମ

– ସେନାସନାଥ ହୋଇ ମହାପ୍ରୟାସରେ ଯେଉଁ କାର୍ଯ୍ୟ କରିବା ମନସ୍ଥ କରିଥିଲେ, ଇଶ୍ୱରାନୁଗ୍ରହରୁ ତାହା ଅନାୟାସରେ ସାଧିତ ହୋଇଗଲା । ବାଃ ! ସମୁଚିତ ହୋଇଅଛି-

 

 

ଅର୍ଜୁନ

– ଆହା ! ଧର୍ମ ମନ୍ଦିରର ଭିତ୍ତି କି ଦୃଢ଼ତର ନିବଦ୍ଧ?

 

 

ନକୁ

– (ହସି) ମୁଁ ଶୁଣୁଥିଲି କି, ଏମାନେ ଆମ୍ଭକୁ ସମ୍ପଦ ଦେଖାଇବାକୁ ଆସିଥିଲେ । ଆହା ! ଏ ମହୋତ୍ସବ ଏବେ ଦେଖୁଛି କିଏ ?

 

 

ସହ

– ପାପକାମିର ସଙ୍କଳ୍ପମୟ ଶରରେ କାଳକୂଟ ରହିଅଛି ବୋଲିବା କଥା ମିଥ୍ୟାମୂଳକ ନୂହେ ।

 

 

 

(କର୍ଣ୍ଣାଦି ଚୈତନ୍ୟ ଲାଭ କରି ସମ୍ମୁଖରେ ଯୁଧିଷ୍ଠିରାଦିଙ୍କୁ ଦେଖି ବିଷଣ୍ଣବଦନରେ ଖଣ୍ଡେଦୂରରେ ଉଭା ହେବା)

 

 

ଯୁଧି

– ମାତୁଳ ମହାଭାଗ ! କି ଅନାଲୋଚିତ କାର୍ଯ୍ୟ କଲ । ଦୁର୍ଯ୍ୟୋଧନ ବିନା କି ବୃଦ୍ଧ ଜ୍ୟେଷ୍ଠତାତ ଜୀବନ ରଖି ପାରିବେ ?

 

 

ଭୀମ

– ହୀନବାର୍ଯ୍ୟ ଦୁଃଶାସନ ! ଆଉ କୁରୁସଭାର ସେ ଉଚ୍ଛ୍ରୁଙ୍ଖଳ ସ୍ୱଭାବ କାହିଁ ? ସ୍ମରଣରେ ଅଛି ? “ତୋର ବକ୍ଷଶୋଣିତାକ୍ତ ହସ୍ତରେହିଁ ପ୍ରିୟତମାର କେଶ ବନ୍ଧନ କରିବି” ଏବେ ସେ ସଙ୍କଳ୍ପ ପୂର୍ଣ୍ଣ କରିବାଟା କି ଦୁଷ୍କର ମନେ କରିଅଛୁ ? ଛି ! ମୁର୍ଚ୍ଛିତ ଜନାଘାତରେ ପୌରୁଷ କଣ ?

 

 

ଅର୍ଜୁ

– ବିକ୍ରମାଞ୍ଚିତ କର୍ଣ୍ଣ ! ଛାର ମୃଦୁ ଯୁଦ୍ଧରେ ଏକା ଉଦ୍ଦଣ୍ଡ କୋଦଣ୍ଡ ଧରି ଧରାତଳ୍ପ କରି ଦେଲ ?

 

 

ଯୁଧି

– ଭାଇମାନେ ! ତୁମ୍ଭେ ଧର୍ମଜ୍ଞ ହୋଇ ଏମାନଙ୍କର ଶୋଚନୀୟ ଅବସ୍ଥା ବେଳେ ଏହିପରି ବାକ୍‌ଶଲ୍ୟ ବୋଧ କରିବା ଉଚିତ ନୁହେ । ଏଥିର ପ୍ରତିକ୍ରିୟା ଚିନ୍ତା କର ।

 

 

ଭୀମ

– ଆଉ କି ପ୍ରତିକ୍ରିୟା ? ଯଥେଷ୍ଟ ହୋଇଅଛି । ମୂଳ ଶତ୍ରୁ ତ ଧ୍ୱଂସ ହେଲା, ଏବେ ହେଲେ ଆଜ୍ଞା ଦିଅ, ପାପସହକାରୀ ନରାଧମତ୍ରୟର ଉଷ୍ମରକ୍ତଦ୍ୱାରା ଗଦାତୃଷାକୁ ନିବାରଣ କରିବି ।

 

 

ଯୁଧି

– ଭାଇ ! ଏ କି ରୁକ୍ଷଭାଷଣ, ଶତ୍ରୁ ପଦାନତ ହେଲା ବେଳେ ଏପରି ଭର୍ତ୍ସନା କରିବାଟା କି ନୀତିଶାସ୍ତ୍ରଗର୍ହିତ ନୁହେ ?

 

 

ଭୀମ

– ଆର୍ଯ୍ୟ ! ଅଦ୍ୟାପି ସେ ନୀତିଶାସ୍ତ୍ରମର୍ଯ୍ୟାଦାକୁ କି ଅକ୍ଷୁଣ୍ଣଭାବରେ ରଖିଅଛି ? ଯେଉଁ ପାପିଷ୍ଠ କୁରୁମାନେ ବିଷ ଦେଇ, ଅଗ୍ନି ଦଗ୍ଧ କରି, ରାଜ୍ୟ ହାରି, ପରିଶେଷରେ ଧର୍ମପତ୍ନୀକି ସୁଦ୍ଧା ବିରାଟ ସଭାରେ ଅପମାନ କରିଥିଲେ, ଯେଉଁମାନଙ୍କ ହେତୁ ଆମ୍ଭେ ରାଜପୁତ୍ର ହୋଇ ପଶୁବତ୍‌ ଆତପ ବର୍ଷାରେ ବିବର୍ଣ୍ଣ ଓ କ୍ଷୁଧାରେ ଶୀର୍ଣ୍ଣ ହୋଇଅଛୁଁ, ତାଙ୍କ ପ୍ରତି ପୁନର୍ବାର କରୁଣା ? ଆଚ୍ଛା, ତୁମ୍ଭର ଅଭିପ୍ରାୟ କଣ ?

 

 

ଯୁଧି

– ଭାଇ ! ଶାନ୍ତ ହୁଅ, ମଣି ଶାଣଯନ୍ତ୍ରରେ କ୍ଷୀଣକଳେବର ହେଲେ ସୁଦ୍ଧା ତାହାର ପୂର୍ବ ମୂଲ୍ୟ ବା ବିସୃମର ଜ୍ୟୋତିର ହ୍ରାସ ହୁଏ ? ଅତଏବ ଶୀଘ୍ର ଦୁର୍ଯ୍ୟୋଧନଙ୍କୁ ମୁକ୍ତ କର ।

 

 

ଭୀମ

– ତାହା ମୋହଦ୍ୱାରା କଦାପି ହେବ ନାହିଁ । (ପରିକ୍ରମ କରିବା)

 

 

ଯୁଧି

– ଭାଇ ! ମୁଁ ଜ୍ୟେଷ୍ଠ ପରା ? ମୋର ଅନୁଜ୍ଞା ଉଲ୍ଲଘଂନ କରିବ ?

 

 

ଭୀମ

– ଜ୍ୟେଷ୍ଠ ଅବଶ୍ୟ ଶ୍ରେଷ୍ଠ, କିନ୍ତୁ ଏ ଅବସରରେ ମୁଁ ଆପଣଙ୍କର ଭାଇ ନୁହେ, ପଞ୍ଚ ପାଣ୍ଡବ ସ୍ଥାନରେ ଚାରି ପାଣ୍ଡବ ବୋଲି ଅର୍ଥ କର ।

 

 

ଯୁଧି

–(ଅର୍ଜୁନଙ୍କୁ ଚାହିଁ) ଭାଇ ! ତୁମ୍ଭେ ସୁଦ୍ଧା ଏ ପଥରେ କି ପଥିକ ହେବ ?

 

 

ଅର୍ଜୁ

– (କର ଯୋଡ଼ି) ମୋ ପ୍ରତି ଏ କି କଠୋର ଭାଷଣ ? ମୁଁ କେବେ ଆପଣଙ୍କ ଆଜ୍ଞାକୁ ଅବଜ୍ଞା କରିଥିଲି ? ଆଦେଶ ହେଲେ ଶରୀର ମମତା ତ୍ୟାଗ କରି ମୃତ୍ୟୁର ସୁଦ୍ଧା କଣ୍ଠାଲିଙ୍ଗନ କରିବାକୁ ପ୍ରସ୍ତୁତ ଅଛି ।

 

 

ଯୁଧି

– ଆନନ୍ଦର କଥା, ତେବେ ଯାଅ, ଆଉ ଦ୍ୱିରୁକ୍ତି କର ନାହିଁ ।

 

 

ଅର୍ଜୁ

– (ପ୍ରଣାମ କରି ଗମନୋଦ୍ୟତ ହେବା)

 

 

ଭୀମ

– ଭାଇ ! ତୋହର ସୁଦ୍ଧା ମସ୍ତିଷ୍କ କି ବିକୃତ ହୋଇଗଲା ?

 

 

ଅର୍ଜୁ

– ଆର୍ଯ୍ୟ ! “ଜ୍ୟେଷ୍ଠ ଭ୍ରାତା ପିତା ସମଃ” ସେ ଆମ୍ଭଙ୍କୁ ଆଜନ୍ନରୁ ପାଳନ କରିଅଛନ୍ତି ପରା ?

 

 

ଭୀମ

– ତେବେ ମୁଁ ସୁଦ୍ଧା ଜ୍ୟେଷ୍ଠତ୍ୱର ଅର୍ଦ୍ଧାଂଶ ଅଧିକାରୀ ନୁହେ କି ?

 

 

ଅର୍ଜୁ

– ଅବଶ୍ୟ, ତଥାପି ସେ ପ୍ରଭୁ ପରା ? ରାଜାଜ୍ଞା ଶିରୋଧାର୍ଯ୍ୟ ନୁହେ କି ? (ନିଷ୍କ୍ରାନ୍ତ)

 

 

ଭୀମ

– ସୌବଳ ! କାହିଁ, ସେ ଦିନର ଦ୍ୟୂତଶଳାକା କି ସଙ୍ଗରେ ନେଇ ଆସି ନାହଁ ?

 

 

ନକୁ

– ଆଉ ଜୟ କରିବାକୁ ଅଛି କଣ ?

 

 

ସହ

– ଅଛି କେବଳ ପ୍ରାଣ ମାତ୍ର ।

 

 

ଭୀମ

– (କ୍ରୋଧରେ) କୁଳାଙ୍ଗାର ଶକୁନି ! ସେ ଦିନର ଖେଳରେ ଆର୍ଯ୍ୟଙ୍କୁ ତୁ ଜୟ କରିଅଛୁ ସତ୍ୟ, କିନ୍ତୁ ସ୍ମରଣରେ ରଖ, ବନବାସ ଶେଷରେ ଯୁଦ୍ଧକ୍ଷେତ୍ର ପାଲିକି ଆସି ପ୍ରାଣ ହୁଡ଼ କରି ଯେଉଁଦିନ ମୁଁ ଶସ୍ତ୍ରକାଠି ଗଡ଼ାଇବି, ଦେଖିବା ତୁ କିପରି ଜୟୀ ହେବୁ ?

 

 

ନେପଥ୍ୟେ

– ସଖେ ଚିତ୍ରସେନ ! ଶୀଘ୍ର ଦୁର୍ଯ୍ୟୋଧନକୁ ମୁକ୍ତ କର, ଆର୍ଯ୍ୟଙ୍କର ଆଦେଶ ହୋଇଅଛି ।

 

 

ନେ.ଚିତ୍ର

– ସଖେ ପାର୍ଥ ! ତୁମ୍ଭେ କି ଚୈତନ୍ୟଶୂନ୍ୟ ହେଲ ? ସେ ତୁମ୍ଭର ଏ ଅସୀମ କ୍ଳେଶର ମୂଳହେତୁ, ତାହା ପ୍ରତି ଏ କି ଅସ୍ୱାଭାବିକ କରୁଣା ? ମୁଁ ଏହାକୁ କଦାପି ଛାଡ଼ିବି ନାହିଁ, ଖଣ୍ଡ ଖଣ୍ଡ କରି ଦୂରଦର୍ଶୀ ଦ୍ୱିଜମାନଙ୍କ ତୃପ୍ତି ସାଧନ କରିବି ।

 

 

ଭୀମ

– (ଆକର୍ଣ୍ଣନ କରି) ଭାଗ୍ୟର କଥା ।

 

 

ଯୁଧି

– ଦୁଃଶାସନ ! ଆଉ ଭୟବିହ୍ୱଳ ହୁଅ ନାହିଁ, ଅର୍ଜୁନ ଅବଶ୍ୟ ତୁମ୍ଭର କ୍ଲେଶ ହରଣ କରିବେ । ଦେଖ, ଉଭୟ ବୀର ବାକ୍‌ବିଷୟୀଭୂତ ହେଲେଣି ।

 

 

ପୁନଃ ନେ

– ସଖେ ଚିତ୍ରସେନ ! ମୋର ସୌଜନ୍ୟ ରକ୍ଷା କରିବା ବିଧେୟ, ନୋଚେତ୍‌ ବର୍ତ୍ତମାନ ଅବସ୍ଥା ରସାନ୍ତରରେ ପରିଣତ ହେବ ।

 

 

ନେ. ଚିତ୍ର

– ସଖେ ଅର୍ଜୁନ ! ତୁମ୍ଭେ ଯାହା କହ, ସୁରରାଜାଙ୍କ ଆଦେଶରୁ ମୁଁ ଏହାକୁ କଦାପି ଛାଡ଼ିବି ନାହିଁ ।

 

 

ନେପଥ୍ୟେ

–ସୁରରାଜ ହୁଅନ୍ତୁ ବା ବିଶ୍ୱରାଜ ହୁଅନ୍ତୁ, ଯୁଧିଷ୍ଠିର ମହାରାଜାଙ୍କ ଆଦେଶ ସମ୍ମୁଖରେ ସେ ସମସ୍ତ କଦାପି କାର୍ଯ୍ୟକାରୀ ହୋଇ ପାରିବ ନାହି । ଏ ଦେଖ, ଶରପଞ୍ଜରଦ୍ୱାରା ଅନନ୍ତ ପଥ ରୋଧ କରି ଦେଉଅଛି ।

 

 

ଯୁଧି

– ସହଦେବ ! ଆଉ ସାମ୍ୟନୀତିର ପ୍ରୟୋଜନ ହେଲା ନାହିଁ । ମହୋଲ୍ୱଣ ଶସ୍ତ୍ରଚାଳନର କ୍ରିୟା ଉଜ୍ଜୃମ୍ଭିତ ହେଲା ।

 

 

ସହ

- ପରଲାଗି ଆଚ୍ଛା ଅନର୍ଥ ଉପସ୍ଥିତ ହେଲା ।

 

 

ଯୁଧି

- ପରଲାଗି ନୁହେ, ଘରଲାଗି ବୋଲି କହ ।

 

 

ଭୀମ

– ଆଃ ! ସେପରି ଭାବିଥିବାରୁ ସିନା ଆମ୍ଭର ଏ ଦଶା !

 

 

 

(ଇତ୍ୟବସରରେ ଅର୍ଜୁନକୃତ ଶରସୋପାନଦ୍ୱାରା ଦୁର୍ଯ୍ୟୋଧନ ଯୁଧିଷ୍ଠିରଙ୍କ ପାଦତଳେ ଆସି ପଡ଼ିବା ।)

 

 

ଯୁଧି

– (ଆଶ୍ୱାସନା କରି ଉଠାଇ) ଭାଇ ! ଆହା, କି କ୍ଳେଶାନୁଭବ କଲ !

 

 

ଦୁର୍ଯୋ

– (ଯୁଧିଷ୍ଠିରଙ୍କ ପାଦରେ ପ୍ରଣାମ କରି ଅଧୋବଦନରେ ରହିବା)

 

 

ଭୀମ

– ଦୁର୍ବୁଦ୍ଧି ଦୁର୍ଯ୍ୟୋଧନ ! ଏବେ କିଏ କାହା କ୍ରୀତଦାସ ହୋଇଅଛି ?

 

 

ନକୁ

– ଆମ୍ଭେ ସିନା ବନବାସୀ, ଆପଣଙ୍କ କୁସୁମକୋମଳ ଶ୍ରୀଅଙ୍ଗ କେଡ଼େ ଆୟାସ ପ୍ରାପ୍ତ ହେଲା ?

 

 

ସହ

– ଦୁର୍ଯ୍ୟୋଧନ ମହାରାଜ ! ଏଣିକି ଏ ଚଣ୍ଡ ସାହସରେ କଦାପି ପ୍ରବର୍ତ୍ତିବେ ନାହିଁ ।

 

 

 

(ସହସା ଅର୍ଜୁନ ପ୍ରବେଶ କରି ଯୁଧିଷ୍ଠିରଙ୍କୁ ବନ୍ଦନ କରିବା)

 

 

ଯୁଧି

– (ଅର୍ଜୁନଙ୍କୁ ଆଲିଙ୍ଗନ କରି) ଭାଇ ! ଦୁର୍ଯ୍ୟୋଧନଙ୍କୁ ପ୍ରାଣସଙ୍କଟରୁ ଉଦ୍ଧାର କରି ତୁମ୍ଭେ ଅକ୍ଷତଶରୀରରେ ଫେରିଥିବା ହେତୁ ମୁଁ ଅତ୍ୟନ୍ତ ପ୍ରୀତ ଅଛି ।

 

 

ଅର୍ଜୁ

– ଆର୍ଯ୍ୟଙ୍କର ନିରଙ୍କୁଶ ବାତ୍ସଲ୍ୟ ହେତୁ ତ୍ରିଭୁବନସ୍ଥ ବୀରଙ୍କୁ ସୁଦ୍ଧା ଗଣନା ନ କରିବା ସ୍ଥିତିରେ ଏ ଯତ୍ସାମାନ୍ୟ କଥା ତ ଆଶ୍ଚର୍ଯ୍ୟ ନୁହେ ।

 

 

ଯୁଧି

– ଭାଇ ଦୁର୍ଯ୍ୟୋଧନ ! ଆପଣ ହସ୍ତିନାକୁ ଗଲା ପରେ ପୂଜ୍ୟପାଦ ବୃଦ୍ଧମାନଙ୍କୁ ମୋର ଭକ୍ତିପୂର୍ବକ ପ୍ରଣାମ ଜଣାଇ ଦେବ । ହଁ, ମନେ ପଡ଼ିଲା; ତୁମ୍ଭେ ଶ୍ରମ ସ୍ୱୀକାର କରି ମୋର ଦୁଃଖିନୀ ମାତାଙ୍କୁ ସୁଦ୍ଧା କହିଦେବ କି, ତୁମ୍ଭର ଦୀନ ସନ୍ତାନ ଅଚିରରେ ହିଁ ଆସି ଶ୍ରୀଚରଣ ଦର୍ଶନ କରିବ । ଭାଇ ! ଭୁଲିଯିବ ନାହିଁଟି ? ଆମ୍ଭେ ସିନା ତୁମ୍ଭର ଶୁତ୍ରୁ, କିନ୍ତୁ ସେ ତ ନୁହନ୍ତି ।

 

 

ଭୀମ

– ଭାଇ ଦୁର୍ଯ୍ୟୋଧନ ! ଆଉ ଅଧିକ କଣ କହିବି, ଅଳ୍ପଦିନ ମଧ୍ୟରେ କୁରୁକ୍ଷେତ୍ର ମହାବେଦିକାରେ ତ ଭୀଷଣ ରଣଯାଗ ପ୍ରାରମ୍ଭ ହେବ । ସେ ସମୟରେ ମାତ୍ର ମୁଁ ଅଧ୍ୱର୍ଯ୍ୟୁ ହୋଇ ପ୍ରିୟାପରିଭବକ୍ଳେଶୋପଶାନ୍ତ ଫଳ କାମନାରେ ତୁମ୍ଭମାନଙ୍କୁ ପଶୁପ୍ରୋକ୍ଷଣ କରିଦେବି । ଚତୁର୍ଦଶ ଭୁବନସ୍ଥ କ୍ଷତ୍ରିୟପୁଙ୍ଗବମାନେ ଆସି ସହାୟ ହେଲେ ଏ ବିସଙ୍କଟ କର୍ମର କଦାପି ବିଘ୍ନ କରି ପାରିବେ ନାହିଁ । ଏବେ ବିମୁକ୍ତ ହେଲ, ଯାଅ, ତୁମ୍ଭେ ଜୀବନରେ ଥିବା ପର୍ଯ୍ୟନ୍ତ ଯୁଧିଷ୍ଠିରଙ୍କ ପାଦରେଣୁର ପ୍ରସାଦ ବୋଲି ମନେ କର ।

 

 

ଅର୍ଜୁ

– ସୂତପୁତ୍ର ! ଜାଗ୍ରତଭାବରେ ଶସ୍ତ୍ରଶିକ୍ଷା କରିଥାଅ । ଧନୁର୍ବେଦ ବିଶ୍ୱବିଦ୍ୟାଳୟର କଠୋର ପରୀକ୍ଷା ଆସନ୍ନ ହେଲାଣି । ଦେଖିବା, କିପରି କୃତକାର୍ଯ୍ୟ ହେବ ।

 

 

ନକୁ

– ମାନନୀୟ ଭୀଷ୍ମ ଦ୍ରୋଣଙ୍କ ସମ୍ମୁଖରେ ଆଉ ଏ କଳଙ୍କକାହାଣୀ ବ୍ୟକ୍ତ କରିବ ନାହିଁ ।

 

 

ସହ

– ଭାଇ ! କୁରୁକୁଳର ତିଳୋଦକ ପର୍ଯ୍ୟନ୍ତ ଆମ୍ଭ ମନରେ ଶାନ୍ତି ନାହିଁ ।

 

 

ଯୁଧି

– ଭାଇ ଦୁର୍ଯ୍ୟୋଧନ ! ଛି, ଏ ଦୁଷ୍ଟଙ୍କର କଥାକୁ ଘେନ ନାହିଁ । ମାତୁଳ ! ତୁମ୍ଭେ ଶୀଘ୍ର ଏହାଙ୍କୁ ନେଇ ହସ୍ତିନାରେ ପ୍ରବେଶ କରାଅ, ପିତା ମାତା ଅନେକ ଚିନ୍ତିତ ହେଉଥିବେ ।

 

(ସର୍ବେ ଯଥୋଚିତ ବ୍ୟବହାର କରି ବିପରୀତ ଦିଗରେ ନିଷ୍କ୍ରାନ୍ତ)

***

 

ତୃତୀୟ ଅଙ୍କ

ପ୍ରଥମ ଦୃଶ୍ୟ

 

(ସ୍ଥାନସ୍ୱଦେଷ୍ଣା ଅନ୍ତଃପୁରଅଳିନ୍ଦ । ଚଷକହସ୍ତା ସୈରିନ୍ଧ୍ରୀ ପ୍ରବେଶ)

 

ସୈରି

(ସଚିନ୍ତ) ଆହା ! ଯାତନାମୟ ଜୀବନର କି ବିଷମୟ ପରିବର୍ତ୍ତନ ! ରାଜମହିଷୀ ହୋଇ ପଦେ ପଦେ କି ଆପଦ ଅନୁଭବ କଲି ! ବିଧାତା ଏ କି ଉତ୍କଟ ପରୀକ୍ଷା କରୁଅଛି ? ପ୍ରଥମରେ ଦୁଃଶାସନଦ୍ୱାରା କେଶାର୍କଷଣ, ଦ୍ୱିତୀୟରେ ଜୟଦ୍‍ରଥର ପରାଭବ, ତୃତୀୟରେ ହିଂସ୍ରକ ଗୁହାକୁ ଗଲାପରି କୀଚକ ମନ୍ଦିରକୁ ଯାଉଅଛି । କି ଘଟନା ଘଟିବ, ତାହା ଅବୋଧ୍ୟ-। ତେବେ ଜୀବନର ପରିଣାମ କି ଏହିପରି ଏକା ସଂଘଟିତ ହେବ ?

 

“ଏନ୍ଦୁଲାକି” ପ୍ରତି ।୬।

ମୋ ପରି କେ ପାପ କପାଳେ ନ ଥିବ ଭୂମଣ୍ଡଳେ,

ଅନୁବେଳେ କି ଶାପଫଳେ ତନୁ ଜଳେ ଖେଦାନଳେ ।ପଦ।

 

ରାଜଭୂତି ସୁଖାନୁଭୂତି ଥାଉ ଜନ୍ମି ଭୂପତିକୁଳେ,

ପରବାସୀ ପରର ଦାସୀ ଆସି ହେଲି ବିଧିବଳେ ।୧।

 

ଗୁରୁଜନ ଚାରୁ ନଳିନ ପଦ ସେବା ନକଲି ତିଳେ,

ମାତା ହୋଇ ପୁତ୍ରଙ୍କୁ ମୁହିଁ ପ୍ରେମେ ନ ଧଇଲି କୋଳେ ।୨।

 

ଛିନ୍ନାଭ୍ର ପରି କିଏ କେଉଁ ଦିଗରେ । ଯକ୍ଷଙ୍କ ଆଦେଶରୁ ଏହି ବିରାଟନଗରୀରେ ଅଜ୍ଞାତବାସ କଲେ ସୁଦ୍ଧା ଲେଶ ହେଲେ କି ଶାନ୍ତି ଅଛି ? ରାଜସୂୟ ବେଳେ ଯେଉଁ ମହାରାଜାଙ୍କ ପଦପୀଠ ସେବାପ୍ରଣତ ଅସଂଖ୍ୟ ଧରାଧବ ମୌଳିମାଳାଶୋଭିତ ହୋଇଥିଲା, ସେ ହେଲେ ଆସି ବିରାଟଙ୍କ କଙ୍କ ନାମକ ସଭାସଦ; ଯେଉଁ ଭୀମ ଅରାତିକୂଳଧୂମକେତୁ, ସେ ହୋଇଅଛନ୍ତି ଏଠା ସୂପକାର; ଯେଉଁ ଅର୍ଜୁନ ମହେନ୍ଦ୍ର ତୁଲ୍ୟବିକ୍ରମ, ସେ ହୋଇଅଛନ୍ତି ନାଟ୍ୟଶାଳାରେ ଶିକ୍ଷୟିତ୍ରୀ; କୁସୁମଚାପରୂପ ନକୁଳ ସହଦେବ ଅଶ୍ୱଧେନୁପାଳକ; ସହସ୍ର ବାମ ଦଳ ଯାହାର ଅନୁଜ୍ଞା ପାଳନକୁ କୃତାର୍ଥ ମନେ କରୁଥିଲେ, ସେହି ମୁଁ ପୁଣି ସେବାପରାୟଣା ସୈରିନ୍ଧ୍ରୀ । ଏ ସକଳ ଭାବିଲେ ବେଳକୁବେଳ ହୃଦୟ ଅବସନ୍ନ ହେଉଅଛି । କାହାକୁ କହିବି, କିଏ ମୋ ଗୁହାରି ଶଣିବ ? ହା ଆର୍ତ୍ତତ୍ରାଣ ! ତୁମ୍ଭ ବିନା ଆଉ କିଏ ମୋର ଗତି ଅଛି ? ସୁଦେଷ୍ଣାଙ୍କୁ ଅନେକବାର ପ୍ରାର୍ଥନା କଲି, କିନ୍ତୁ ସେ ଭ୍ରାତୃପ୍ରେମରେ ଆବଦ୍ଧ ହୋଇ ମୋ କଥାରେ ଲେଶ ଧ୍ୟାନ ନ ଦେଇ ସେହି ରୂପମାତ୍ରଦର୍ଶନାନ୍ଧକାମୁକ କୀଚକ ନିକଟକୁ ହିଁ ପ୍ରେରଣ କଲେ । ସିଂହୀ ଉପହାର ଧରି ଶୃଗାଳ ଗର୍ତ୍ତକୁ ଗଲା ପରି, ଯେଉଁ ମଧୁ ଦାମ୍ପତ୍ୟମାଧୁର୍ଯ୍ୟର ଅକପଟ ସାକ୍ଷ ଦେଉଥିଲା, ଯେ ରାଜସିଂହଙ୍କ ବିଳାସକୁସୁମକେଳି-ତଳ୍ପୋପାନ୍ତରେ ରହୁଥିଲା, ସେହି ମଧୁପାତ୍ର ଧରି ମୁଁ ଏବେ ନରପଶୁ ନିକଟକୁ ଯାଉଅଛି । କାଳେ ସେ ମତେ ବଳାତ୍କାରେ ଆକ୍ରମଣ କଲେ ଉପାୟ କଣ ? ଆଃ ! ସର୍ବାନର୍ଥୈକହେତୁ, କାମୁକସ୍ପୁହଣୀୟ, ଅବାଧବିପଦବହୁଳ, ଧର୍ମମାର୍ଗ ପରିପନ୍ଥୀ ନିର୍ଥକପ୍ରାୟ ପ୍ରମୋହଅନ୍ଧକୂପ ରମଣୀରୂପରାଶିକି ଶତ ଶତ ଧିକାର ! ମୋର ଏହି ପାପରୂପହିଁ ସର୍ବନାଶର ମାର୍ଗ ପରିଷ୍କାର କରୁଅଛି ଆହା ! ପ୍ରବାହଭାସମାନ ଆବର୍ତ୍ତ ଶତଭ୍ରାନ୍ତ, ମୃଦୁ କୁସୁମ ପରି ମନର କି ଭୟାବହ ବିକ୍ଷେପ ! (କ୍ଷଣକାଳ ଚିନ୍ତାକରି) ଏ ଅବସରରେ ଆଉ ଅଧୀର ହୋଇ ବସିଲେ ପ୍ରୟୋଜନ କଣ ? ସତୀର ସମ୍ମାନ କି ଏଡ଼େ ଦୁର୍ବଳ ଓ ଏଡ଼େ ଅର୍ଥହୀନ ? ନାହିଁ ନାହିଁ, ତାହାର ପ୍ରଭାବ ସିଂହମୁଖ ପରି ଅଧର୍ଷଣୀୟ, ବଜ୍ରମଣି ପରି ଅଭେଦନୀୟ, ବୈକୁଣ୍ଠକୌସ୍କଭ ପରି ଅପ୍ରାପଣୀୟ, ତାହାର ଚତୁର୍ଦିଗରେ ଶାଣିତ ରଥାଙ୍ଗ ଭ୍ରାମ୍ୟମାନ । (ଚତୁର୍ଦିଗ ନିରୀକ୍ଷଣ କରି) ହେଟି, ଅଜ୍ଞାନମୋହିତ ଦସ୍ୟୁ ନରେନ୍ଦ୍ରଭୂତିକି ଆୟତ୍ତ କରିବାକୁ ଆକୁଳ ହେଲାପରି ପ୍ରାପ୍ତିକାମନାରେ ମୋ ଆଗମନମାର୍ଗକୁ କୀଚକ ଚାହିଁ ରହିଅଛି । ଆଚ୍ଛା, ଦେଖାଯାଉ କଣ କରିବା ହା ଭଗବନ୍‌ ! (ଉଭା ହେବା)

 

(ସହସା କୀଚକ ପ୍ରବେଶ)

 

କୀଚ

– (ଦୂରରୁ ଚାହିଁ) ଆହା ! କି ଅତୁଳନୀୟ ରୂପରାଶି ! ସନ୍ଧ୍ୟାରାଗରଞ୍ଜିତ କାଞ୍ଚନାଚଳଚୁଡ଼ା ପରି କୌଷେୟବସନାବୃତ ଶ୍ରୀଅଙ୍ଗର କି ମଧୁରିମା ! ହରହୁତାଶନଦଗ୍ଧ ମନ୍ନମଥଧୂମ ସଞ୍ଚା ପରି ଚରମଭାଗମଣ୍ଡିତ ଆଲୁଳାୟିତ କୁଞ୍ଚିତ କେଶପାଶର କି ଚିତ୍ତାକର୍ଷଣୀ ପ୍ରଭା ! ହିମାକାଶପ୍ରଭାତଧୂସରା ଶଶିଲେଖା ପରି କି ବିରହପାଣ୍ଡୁରା କପୋଳସ୍ଥଳୀ ! କି ଅବ୍ୟାଜ ମନୋହର ଶ୍ରୀମୁଖଲାବଣ୍ୟ, କି ବିଶ୍ୱଦୁର୍ଲ୍ଲଭ ମୂର୍ତ୍ତି, ମହାକୁଳୀନତା ପରିଚାୟକ କି ସୁଲକ୍ଷଣପରମ୍ପରା ! ତ୍ରିଭୁବନଶୋଭା ସାମ୍ରାଜ୍ୟର ଅଧୀଶ୍ୱରୀ ହୋଇ ସମସ୍ତଙ୍କୁ ପଦାନତ କରିବା କ୍ଷମତା ସତ୍ତ୍ୱେ ଏହାଙ୍କର ଏ ଦଶା କାହିଁକି ? (ନିକଟକୁ ଯାଇ) କାନ୍ତିକୁଳଦେବତେ-! ଏହିପରି ସାଧାରଣ ଦାସୀ କାର୍ଯ୍ୟରେ ଏଠାକୁ ଆସିବାଟା କି କିଛି କଷ୍ଟ ବୋଧ ହେଉ ନାହିଁ ?

 

 

ସୈରି

– (ବୈମନସ୍ୟ ପ୍ରକାଶ କରି) କର୍ତ୍ତବ୍ୟ କର୍ମରେ ତତ୍ପର ହେବାଟା ତ ଖେଦାବହ ବିଷୟ ନୁହେ ? ହେଟି, ତୁମ୍ଭର ଭଟିନୀ ଦେଇଅଛନ୍ତି, ଏ ପାତ୍ର ନିଅ । (ତଳେ ଥୋଇବା)

 

 

କୀଚ

– ସୁନ୍ଦରି ! ରାଜକୁଳନିବାସଚତୁରା ହୋଇ ଏ ଛାର ମର୍ଯ୍ୟାଦା ମାତ୍ର ବୁଝି ପାରି ନାହିଁ ? ପାତ୍ରର ବିନିଯୋଗ ପାତ୍ରରେ ସିନା ହୁଏ ? ଆଚ୍ଛା, ସେ କଥା ଥାଉ, ତୁମ୍ଭେ କିଏ ? ମୁଁ ଏହାର ପରିଚୟ ଲେଶ ପାଇ ପାରିବି ତ ?

 

 

ସୈରି

– ମୁଁ ଜଣେ ସ୍ତ୍ରୀ; କି, ଉତ୍ତର ମିଳିଲା ? ରାଣୀଙ୍କ ସେବାସମୟ ହେଲାଣି, ମୁଁ ଯାଉଅଛି । (ଗମନୋଦ୍ୟତ ହେବା)

 

 

କୀଚ

– (ଅଗ୍ରସର ହୋଇ) ସୌନ୍ଦର୍ଯ୍ୟାଭିମାନିନି ! ସହସ୍ର ରସିକ ରାଜପୁରୁଷ ତୁମ୍ଭ ଶ୍ରୀପଦ ସେବା କରିବାକୁ ଉତ୍‍କଣ୍ଠିତ ଥିଲାବେଳେ ତୁମ୍ଭେ ଦାସୀ କାର୍ଯ୍ୟରେ ଆତ୍‍ମସମ୍ମାନ ହରାଇବାଟା କି ଅସୁନ୍ଦର ନୁହେ ?

 

 

ସୈରି

– ପ୍ରଣୟଆଳାପକୁ ପ୍ରଶ୍ରୟ ଦିଅ ନାହିଁ, ମୁଁ ଶୁଣିବାକୁ ସୁଦ୍ଧା ଅକ୍ଷମ ।

 

 

କୀଚ

– ଆଚ୍ଛା ମନେ କର, ମୃଣାଳତନ୍ତୁଗ୍ରଥିତା ନବମାଳକାମାଳା ରସିକବକ୍ଷପୀଠକୁ ମଣ୍ଡନ କରିବା ସମୁଚିତ, ଅଥବା ବଳୀବର୍ଦ୍ଦ ଗ୍ରୀବାରେ ପଲାନା ହେବା ବିହିତ ? ଅଚିରସ୍ଥାୟୀ ଯୌବନକୁ ଛାରଖାର କରିବା ଶୋଭନୀୟ ଅଟେ କି ?

 

 

ସୈରି

– ପୁନର୍ବାର କହୁଅଛି କି, ଆଉ ସେ କଥା ବାହାର କର ନାହିଁ; ମୁଁ ପରନାରୀ ।

 

 

କୀଚ

– ପ୍ରେମମୟି ! ଯେ ତୁମ୍ଭର ଏ ନବନୀତନିନ୍ଦିତ ଶ୍ରୀଅଙ୍ଗକୁ ଏହିପରି ଘୃଣାଜନକ କାର୍ଯ୍ୟରେ ନିଯୁକ୍ତ କରାଇ ନିଶ୍ଚିନ୍ତ ହୋଇ ରହିଅଛି, ସେହି ଅରସିକକୁ ପତିତ୍ୱରେ ସ୍ୱୀକାର କରିବା କି ବିଳାସିନୀ ଉଚିତ କାର୍ଯ୍ୟ ମନେ କରିଅଛି ? ଏହା କି ଦୂଷଣୀୟ ଓ ହାସ୍ୟାସ୍ପଦ ବିଷୟ ନୁହେ ?

 

 

ସୈରି

– ସାବଧାନ, ଯଦି ଜୀବନରେ ମମତା ରଖିଅଛ, ତେବେ ଏ ପାପସଂକଳ୍ପରୁ ବିରତ ହୁଅ । ଅମିତବଳ ପାଞ୍ଚ ଜଣ ଗନ୍ଧର୍ବ ମୋର ଛାୟାନୁସରଣ କରୁଅଛନ୍ତି ।

 

 

କୀଚ

– ପ୍ରେମଲୋକେ ! ତୋହର ଅନୁକମ୍ପାଲ ଥିଲେ ମୁଁ ସେମାନଙ୍କୁ ଖାତିର କରୁ ନାହିଁ । ସେମାନେ ତ ଗନ୍ଧର୍ବ, ଅନାୟାସରେ କଷାଘାତ କରି ଆରୋହଣ କରିପାରିବି । ମୋର ଅବରୋଧ ଆକାଶକୁ ମଣ୍ଡନ କରି ନାରୀ- ନକ୍ଷତ୍ର ମଧ୍ୟରେ ଚନ୍ଦ୍ରମା ପରି ହାସ୍ୟଜ୍ୟୋତ୍ସ୍ନାକୁ ବିକୀର୍ଣ୍ଣ ଓ ସନ୍ତପ୍ତ ଜୀବନକୁ ଶୀତଳ କର ।

 

 

ସୈରି

– (କ୍ରୋଧରେ) ପାମର ! ତୋର କି ଚୈତନ୍ୟ ଭ୍ରଷ୍ଟ ହେଲା ? ପରସ୍ତ୍ରୀହରଣରୂପୀ କାଳପାଶକୁ କଣ୍ଠାଳଙ୍କରଣ କରିବାକୁ ଏଡ଼େ ଉତ୍କଣ୍ଠା କାହିଁକି ?

 

 

କୀଚ

– ମଞ୍ଜୁଭାଷିଣି ! ମୁଁ ମଦନର ଅଧୀନ ହୋଇ ଏହିପରି କଦର୍ଯ୍ୟ ହେଉଥିଲା ବେଳେ ଏ ନିର୍ମମ ବ୍ୟବହାର କି ଉଚିତ ହେଲା ? ତୁମ୍ଭର ଭର୍ତ୍ସନା ଚନ୍ଦନଲେପନ ପରି, ରୋଷାରୁଣିତ ନୟନପାତ ରକ୍ତାମ୍ୱୁଜତାଡ଼ନ ପରି ପରମାନନ୍ଦପ୍ରଦ ହେଉଅଛି । ମୋର ବିନୀତ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମୋର କମନା ପୂରଣ କର ।

 

 

ସୈରି

– (କ୍ରୋଧରେ) ମରଣୋନ୍ମୁଖ ବ୍ୟକ୍ତିର ମୁଖରୁ ଏପରି ଅନୈସର୍ଗିକ ପ୍ରଳାପ ବାହାରିବା ଅସ୍ୱାଭାବିକ ନୁହେ । ନିର୍ଲ୍ଲଜ ! ପଥ ଛାଡ଼, ପିଶାଚପ୍ରକୃତି ପରପୁରୁଷ ସହିତ ଆଳାପ କରିବାହିଁ ଯଥେଷ୍ଟ ହେଲାଣି ।

 

 

କୀଚ

– ପ୍ରାଣେଶ୍ୱରି ! ଚିର ବୁଭୁକ୍ଷିତ ବ୍ୟକ୍ତି ସମ୍ମୁଖସ୍ଥ ସୁଧାଭୋଜନକୁ କେବେ ହେଲେ କି ଉପେକ୍ଷା କରି ପାରେ ? ଆଚ୍ଛା, ମୋ ପରି ସୁରସିକ ଅନୁଗତ ଯୁବାପୁରୁଷର କଣ୍ଠହାର ହେବାଲାଗି କି ସୁଖ ବୋଧ ହେଉ ନାହିଁ ?

 

 

ସୈରି

– ଲେଶମାତ୍ର ନୁହେ, ଏ ଭାଷଣ ମତେ କାଳକୂଟ, ଏ ସ୍ଥାନ ମତେ ଗୌରବ କୂପ ପରି ପ୍ରତୀତ ହେଉଅଛି ।

 

 

କୀଚ

– ଅନୁରାଗିଣି ! ମୋର ଉତ୍ସଙ୍ଗମଣ୍ଡନା ହୋଇ ପ୍ରେମାଧିକାରିଣୀ ହେବାଲାଗି ଏଡ଼େ ଆକ୍ଷେପ କାହିଁକି ? କେଉଁଆଡ଼େ ଯିବୁ ? ଏ ମତ୍ସଦେଶରେ କାହାର ସାଧ୍ୟ ଅଛି ଯେ, କୀଚକର ଆଜ୍ଞାକୁ ଅବଜ୍ଞା କରିବ ? ମନେ କଲେ ତୁ ଯାହାର ଦାସୀକାର୍ଯ୍ୟ କରୁଅଛୁ, ସେ ସୁଦ୍ଧା ତୋହର ସେହି କ୍ରିୟା ସମ୍ପାଦନ କରିବାକୁ ପ୍ରସ୍ତୁତ କରାଇଦେବ । ବିରାଟ କେବଳ ନାମ ମାତ୍ର, ମୁଁ ଏକା ଏ ରାଜ୍ୟର ନିଗ୍ରହାନୁଗ୍ରହସମର୍ଥ ପ୍ରଭୁ ।

 

 

ସୈରି

– ଛି ! ଅଧମ, ଦୂର ହୁଅ, ତୋର ଏ ନୀଚ ପ୍ରଭୁହକୁ ଶତ ଶତ ଧିକ୍‍କାର ! (ଗମନୋଦ୍ୟତ ହେବା)

 

 

କୀଚ

– (କ୍ରୋଧରେ) ଅରସିକେ ! ଯାବତ୍ପର୍ଯ୍ୟନ୍ତ ମୋର ବୀରୋଚିତ କ୍ରୋଧପ୍ରବାହ ଉଦ୍‌ବେଳିତ ହୋଇ ତୋର ଏ କ୍ଷୁଦ୍ରାଭିମାନକୁ ପ୍ଳାବିତ କରି ଦେଇ ନାହିଁ, ଯାବତ୍ପର୍ଯ୍ୟନ୍ତ ମୋର ପ୍ରସାରିତ ବାହୁଯୁଗ ତୋର ଅଙ୍ଗସୀମାକୁ ହୃଦୟରେ ଜଡ଼ିତ କରି ବଳାତ୍କାରରେ ଅଧରମଧୁ ପାନ କରି ନାହିଁ, ସେ ଅବାନ୍ତରରେ ପ୍ରକୃତିସ୍ଥା ହୁଅ; ନଚେତ୍‌ - (ଏହା କହି ପାତ୍ରସ୍ଥ ମଧୁ ପାନ କଲାବେଳେ ଅବସର ଦେଖି ସୈରିନ୍ଧ୍ରୀ ପଳାୟନ କରିବା, କୀଚକ ପଶ୍ଚାଦ୍ଧାବନ କରି କେଶାକର୍ଷଣପୂର୍ବକ ଆଣିବା)

 

 

ସେରି

– (ଫେରି ରୋଦନ କରି) ହା ଦୀନଜନସୋଦର ! ରକ୍ଷା କର ।

 

 

କୀଚ

– (କ୍ରୋଧରେ) ଫୁଶ୍ଚଳି ! ଏବେ କେଉଁଆଡ଼େ ଯିବୁ ? ଦେଖ, ଆଜି ତତେ ସହସ୍ରାଧିକ ରକ୍ଷିତାଙ୍କ ମଧ୍ୟରେ ଅନ୍ୟତମ କରିଦେବି । ଦେଖିବା, କିଏ ତୋହର ପୃଷ୍ଠସହାୟ ହେବ-?

 

 

ସୈରି

– (କ୍ରୋଧରେ) କାପୁରୁଷ ! ତୋର ଏ ପୈଶାଚିକ ଲାଳସାପୂର୍ଣ୍ଣ ହୃଦୟରେ କୁଳିଶପାତ ହେଉ ନାହିଁ କାହିଁକି ? ପରନାରୀଧର୍ଷଣ ଅତ୍ୟାଚାର କି ତୋ ପରି ପାପଲି‌ପ୍‍ସୁ କୁଳାଙ୍ଗାରଙ୍କର କୌଳିକ ପ୍ରଥା ହୋଇଗଲା ? ଅସ୍‍ପୃଶ୍ୟ ଶ୍ୱାନ ହୋଇ ପବିତ୍ର ହବିର୍ଭାଗକାମନା ? ମତେ କି ପାଶବପ୍ରେମାକାଙ୍‍କ୍ଷିଣୀ, ରୂପମାତ୍ରୈକଜୀବିକା, ଆତ୍‍ମସମ୍ମାନହାରିଣୀ ତୋର କୁଳଟା ରମଣୀଗଣରୁ ଜଣେ ବୋଲି ମନେ କରିଅଛୁ ? ଏ ଭାବନା ନିତାନ୍ତ ଭ୍ରମପୂର୍ଣ୍ଣ । ମତେ ତୋ ପରି କୁଳପାଂଶୁଳଙ୍କର ବଂଶୋଚ୍ଛେଦିନୀ କାଳରାତ୍ରି ବୋଲି ମନେ କର ।

 

 

କୀଚ

– (ସୁରାଜଡ଼ିତ ସ୍ୱର ସହିତ କ୍ରୋଧରେ) ପାମରି ! କୌକୁଟ ବ୍ରତ ବିନା ତୁ ସାଧାରଣରେ ବଶ ହେବା ସ୍ତ୍ରୀ ନୋହୁ । (ଏହା କହି ଆକର୍ଷଣ କରି ପଦାଘାତ କରିବା)

 

 

ସୈରି

– (ବଳାତ୍କାରରେ ଛିଞ୍ଚାଡ଼ି ଦେଇ ନିଷ୍କ୍ରାନ୍ତ)

 

 

କୀଚ

– (କଚାଡ଼ି ହୋଇ ପଡ଼ି ଉଠି ଚତୁର୍ଦିଗ ଅନ୍ୱେଷଣକରି) ଆଃ ! ଏ କେଡ଼େ ମାୟାବିନୀ; ପଲକପତନ ମାତ୍ରେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା ? ମୁଁ ଏଡ଼େ ବୀର ହୋଇ ଛାର ଅବଳା ନିକଟରେ ପରାଜିତ ହେଲି ? ନାହିଁ ନାହିଁ, ପ୍ରେମହିଁ ମତେ ଏ ଅବସରରେ ଅନ୍ଧ କରିଦେଲା । ଆହା ! କି ଲୋଭନୀୟ ଲପନମଣ୍ଡଳ ! ସେହି କୋମଳ କରତାଡ଼ନ ଅଦ୍ୟାପି ମୋ ପ୍ରାଣରେ ସ୍ପନ୍ଦ ଜାତ କରୁଅଛି । ମୁଁ ସୁରସିକଗୋଷ୍ଠୀର ଶୀର୍ଷସ୍ଥାନୀୟ ହୋଇ ସହସ୍ର ରମଣୀଙ୍କି ଭୋଗ କରିଅଛି ସତ୍ୟ, ତଥାପି ଏ ଶୋଣଧରୀର ପ୍ରାପ୍ତି ବିନା ମୋ ଜୀବନରେ ଆଉ ପ୍ରୟୋଜନ କଣ ? ସତେ କି ସେ ମତେ କରୁଣାକ୍ରୀତଦାସ କରି ମୋ ଭବନକୁ ଉଜ୍ଜ୍ୱଳ, ଉଦ୍ୟାନକୁ ଶୋଭାପୂର୍ଣ୍ଣ, ବିଭବକୁ ସାର୍ଥ ଓ ଜୀବନକୁ କୃତାର୍ଥ କରିବ ? ଏବେ କଣ କରିବି, କେଉଁଆଡ଼େ ଯିବି-? ପୁନର୍ବାର କେଉଁଠାରେ ଦେଖିବି ? ଜଗତ୍‌ ଅନ୍ଧକାର ଦିଶୁଅଛି । (ବିଚାରି) ପ୍ରିୟ ଭଗିନୀ ସୁଦେଷ୍ଣାହିଁ ଏହାର ସୁମୀମାଂସା କରି ସାଧୁ ପରାମର୍ଶ ଦେବେ । ଅତଏବ ଶୀଘ୍ର ସେଠାକୁ ଯାଇ ବିହିତ ବିଧାନ କରିବି ।

***

 

ପାଣ୍ଡବ-ବନବାସ

ଦ୍ୱିତୀୟ ଦୃଶ୍ୟ

 

(ସ୍ଥାନ –ବିରାଟନଗରର ଏକ ପ୍ରଦେଶ । ଭୀମ ଓ ସହଦେବ ପ୍ରବେଶ)

 

ଭୀମ

– ଭାଇ ! ତୁମ୍ଭର କର୍ତ୍ତବ୍ୟ କର୍ମରେ ଶିଥିଳତା ଦେଖାଇ ନାହିଁ ତ ?

 

 

ସହ

– ଆର୍ଯ୍ୟ ! ଏ କି କଥା ? ମୁଁ ତୁମ୍ଭର ଅନୁଜ ହୋଇଥିବାଠାରେ ତାହା କି କେବେ ଘଟି ପାରେ ?

 

 

ଭୀମ

– ତେବେ ଏ ଅବସରରେ ଏଠାକୁ ଆସିବା ଉଦ୍ଦେଶ୍ୟ କଣ ?

 

 

ସହ

– କିଛି ବିଶେଷ ବିଷୟ ତୁମ୍ଭଙ୍କୁ ଜଣାଇବା ଲାଗି ।

 

 

ଭୀମ

– କି ବିଷୟ ?

 

 

ସହ

– ଏ ଅବାନ୍ତରେ ଆମ୍ଭ ପ୍ରତି ଯେଉଁ ମାରାତ୍ମକ ଅନର୍ଥ ସଂଘଟନ ହୋଇଅଛି, ତାହା ତୁମ୍ଭଙ୍କୁ ଅବଶ୍ୟ ଗୋଚର ହୋଇଥିବ ।

 

 

ଭୀମ

– ଦୁରାତ୍‍ମା କୀଚକର ସେହି ପାପଲିପ୍‍ସା ବିଷୟ ନୁହେ କି ?

 

 

ସହ

– ହଁ, ଠିକ୍‌, ସେଥିର ପ୍ରତିକ୍ରିୟାର ଆଲୋଚନା କରିବାଲାଗି ହିଁ ମୁଁ ଆସିଅଛି ।

 

 

ଭୀମ

– (ହସି) ଭାଇ ! ସେଥିଲାଗି ଏଡ଼େ ବ୍ୟସ୍ତ ହେବା ଆବଶ୍ୟକ ନାହିଁ, ମୁଁ ଅବଲମ୍ୱନ କରିବା ପନ୍ଥାର ରହସ୍ୟ ସକଳ ଦ୍ରୌପଦୀଙ୍କି ଜଣାଇ ଦେଲିଣି ।

 

 

ସହ

– କି ରହସ୍ୟ ? ତାହା ମୁଁ ଜାଣିଲେ କିଛି ଆପତ୍ତି ନାହିଁ ତ ?

 

 

ଭୀମ

– କି ଆପତ୍ତି ? ଶୁଣ, ମୋର କଥାନୁସାରେ ଅଦ୍ୟ ଧ୍ୱାନ୍ତ ନିଶୀଥରେ ନିସ୍ତବ୍ଧ ନାଟ୍ୟଶାଳା ମନ୍ଦିରରେ ଉପସ୍ଥିତ ହେବା ଲାଗି ଛଦ୍ମଭାବରେ ଦ୍ରୌପଦୀ ସେ ପାପିଷ୍ଠକୁ ସଙ୍କେତ କରିଅଛନ୍ତି । ସେ କାମାନ୍ଧ ଅବଶ୍ୟ ତାହା କରିବ । ତତ୍‌ପୂର୍ବରୁ ମୁଁ ସେହିଠାରେ ସଂଯତଭାବରେ ବସ୍ତ୍ରାବୃତ ହୋଇ ରହିଥିବି ।

 

 

ସହ

– ଉପଯୁକ୍ତ ପନ୍ଥା, କିନ୍ତୁ ଆର୍ଯ୍ୟ ! ଏ ବିଷୟରେ ଅତି ସତର୍କ ଓ ପ୍ରଚ୍ଛନ୍ନଭାବରେ କାର୍ଯ୍ୟ ନ କଲେ ଆମ୍ଭର ଅଳ୍ପାବଶିଷ୍ଟ ଅଜ୍ଞାତ ବାସରେ ବିଘ୍ନ ଘଟିବ, ଫଳତଃ ଆମ୍ଭମାନଙ୍କ ପୁନର୍ବାର ସେହି ଭୟାବହ ଅରଣ୍ୟବାସ ଅବଶ୍ୟ ସହିବାକୁ ହେବ ।

 

 

ଭୀମ

– ଭାଇ ! ତାହା କି ମୁଁ ଜାଣେ ନାହିଁ ? ଏ ବିଷୟରେ ନିଶ୍ଚିନ୍ତ ରହ, ଦେଖିବ, ଆଗାମୀ ସୂର୍ଯ୍ୟୋଦୟ ପୂର୍ବରୁ କୀଚକର ଶୋଚନୀୟ ମୃତ୍ୟୁସମ୍ୱାଦ ସମନ୍ତାତ୍‌ ବିରାଟନଗରୀରେ ହୁଳସ୍ଥୁଳ ପକାଇ ଦେବ ।

 

 

ସହ

– ଆଚ୍ଛା, ମୁଁ ବିଦାୟ ହେଉଅଛି, ଏ ରହସ୍ୟସମ୍ୱାଦ ଅର୍ଜୁନଙ୍କୁ ସୁଦ୍ଧା ଜଣାଇ ଦେବି-

 

 

ଭୀମ

– ତାହା ହେଉ, ମୁଁ ସୁଦ୍ଧା ଭାବୀ କାର୍ଯ୍ୟ ସୁଚାରୁରୂପେ କିପରି ନିଷ୍ପନ୍ନ ହେବ, ସେଥିଲାଗି ବିଚାର କରିବି ।

 

 

ସହ

– ନମସ୍କାର ।

 

(ଉଭୟେ ବିପରୀତ ଦିଗରେ ନିଷ୍କ୍ରାନ୍ତ)

***

 

ତୃତୀୟ ଦୃଶ୍ୟ

 

(ସ୍ଥାନ – ବିରାଟ ରାଜଭବନ । ବିରାଟ ଓ କଙ୍କ ପଣ୍ଡା ପ୍ରବେଶ)

 

ବିରା

– କଙ୍କ ମହାଶୟ ! ଅଦ୍ୟାପି କୀଚକଙ୍କ ଅନୁସନ୍ଧାନ ଲେଶ ମାତ୍ର ଉପଲବ୍ଧି ନ ହେବାରୁ ମନ ନିତାନ୍ତ ଉଦ୍‌ବେଜିତ ହେଉଅଛି ।

 

 

କଙ୍କ

– ସନ୍ଦେହ କଣ ? ତୁମ୍ଭ ଦୁହିଙ୍କ ପ୍ରେମ ତଦ୍ରୂପ, ତହିଁରେ ସେ ସୁଦ୍ଧା ଏ ରାଜ୍ୟରେ ଜଣେ ସୁପ୍ରତିଷ୍ଠିତ ହୋଇ ନ ଥିଲେ କି ?

 

 

ବିରା

– ସୁପ୍ରତିଷ୍ଠିତ ବୋଲି କଣ କହୁଅଛ ? ରାଜ୍ୟରକ୍ଷାର ମୂଳସ୍ତମ୍ଭ ବୋଲି କହ ।

 

 

କଙ୍କ

– ନୁହେ କଣ ?

 

 

ବିରା

– ପଣ୍ଡା ମହାଶୟ ! କୀଚକଙ୍କ ଆକସ୍ମିକ ତିରୋଧାନ ସମ୍ୱନ୍ଧରେ ଆପଣ କଣ ଅନୁମାନ କରୁଅଛନ୍ତି ?

 

 

କଙ୍କ

– ମହାରାଜ ! ମତେ ବୋଧ ହୁଏ, ସେ ତ ସ୍ତ୍ରୀଜିତ ଓ ପାନରତ ବ୍ୟକ୍ତି, ତାହାର ସୀମାତିକ୍ରମଣରୁ କୌଣସି ନିଗୂଢ଼ ପ୍ରକୋଷ୍ଠରେ ଚୈତନ୍ୟଶୂନ୍ୟ ହୋଇ ପଡ଼ିଥିବେ ପରା ? ଆଚ୍ଛା, ସେ ସମୟ ସ୍ଥାନ ଉତ୍ତମରୂପେ ଅନ୍ୱେଷଣା କରାଯାଇଅଛି ତ ?

 

 

ବିରା

– ଉଦ୍ୟାନ, ଭବନ, ବୀଥି, ଦେବାଳୟ, କୂପ, ତଡ଼ାଗ ପ୍ରଭୃତି ପ୍ରତ୍ୟେକ ପ୍ରଦେଶ-

 

 

କଙ୍କ

– ନୋଚେତ୍‌ ଆଖେଟକୁ ପ୍ରୟାଣ କରିଥିବେ ପରା ?

 

 

ବିରା

– ତାହା ସୁଦ୍ଧା ନୁହେ, ଯେହେତୁ ତାହାଙ୍କ ମୃଗୟାବିନୋଦସଙ୍ଗୀ ସାରମେୟ ଓ ବନ୍ଧୁକଧାରିମାନେ ବ୍ୟସ୍ତ ହେଉଅଛନ୍ତି ।

 

 

କଙ୍କ

– ଆଶ୍ଚର୍ଯ୍ୟର କଥା, ତେବେ ସେ କେଉଁଆଡ଼େ ଗଲେ (ଭାବନା କରିବା)

 

 

ବିରା

– ହଁ, ମନେ ପଡ଼ିଲା । ସୈରିନ୍ଧ୍ରୀର ସ୍ୱଭାବ କିପରି ?

 

 

କଙ୍କ

– ମହାରାଜ ! ଜଣେ ଅନ୍ତଃପୁରସ୍ଥା ରମଣୀର ସ୍ୱଭାବ ସମ୍ୱନ୍ଧରେ ମୋ ପ୍ରତି ଏ ପ୍ରଶ୍ନ କାହିଁକି ?

 

 

ବିରା

– ଅନ୍ୟ ଉଦ୍ଦେଶ୍ୟ ନୁହେ । ଏକଦା ସେ କହୁଥିଲେ କି, କଙ୍କ ପଣ୍ଡାଙ୍କୁ ମୁଁ ଉତ୍ତମରୂପେ ଜାଣେ । ଯେହେତୁ ମୁଁ ଦ୍ରୌପଦୀଙ୍କ ସୈରିନ୍ଧ୍ରୀ ହୋଇଥିଲା ବେଳେ ସେ ସୁଦ୍ଧା ଯୁଧିଷ୍ଠିର ମହାରାଜାଙ୍କ ସଭାସଦ ହୋଇଥିଲେ । ପାଣ୍ଡବମାନେ ବନବାସ କଲା ପରେ ଆମ୍ଭେ ନିରାଶ୍ରୟ ହୋଇ ଏଠାକୁ ଆସିଲୁ । ଏହା କି ସତ୍ୟ ନୁହେ ?

 

 

କଙ୍କ

– ଠିକ୍‌ କଥା ।

 

 

ବିରା

– ତେବେ ତାହାର ଚରିତ ଅବଗତ ଅଛ ବୋଲି କହ ।

 

 

କଙ୍କ

– ପୂର୍ଣ୍ଣତୟା ।

 

 

ବିରା

– ତେବେ ସେ କିପରି ସ୍ତ୍ରୀ, ପ୍ରକାଶ କରୁ ନାହିଁ କାହିଁକି ?

 

 

କଙ୍କ

– ମନ୍ଦ ନୁହନ୍ତି । ଆଚ୍ଛା ମହାରାଜ ! କ୍ଷମା କରିବେ । କୀଚକଙ୍କ ତିରୋଧାନ ଅବସରରେ ସୈରିନ୍ଧ୍ରୀର କଥା ଉଥିାପନ କରିବା ଉଦ୍ଦେଶ୍ୟ କଣ ?

 

 

ବିରା

– ପଣ୍ଡା ମହାଶୟ ! ତୁମ୍ଭ ନିକଟରେ ଗୋପନୀୟ କଣ ଅଛି ? ଶୁଣ, ଦୁଇ ଦିନ ପୂର୍ବେ ମୁଁ ଅନ୍ତଃପୁର ଅଳିନ୍ଦରେ ଏକାକୀ ବିଚରଣ କଲାବେଳେ ଉଦ୍‌ବିଗ୍ନମନା କମ୍ପିତକଳେବରା ସୈରିନ୍ଧ୍ରୀ ଆସି କହିଲା କି, କୀଚକ ମୋ ପଛେ ପଛେ ଲାଗି ବିରକ୍ତ କରି ଦେଲାଣି । ରକ୍ଷା କର, ନଚେତ୍‌ ମୁଁ ବିଷ ଭକ୍ଷଣ କରିଦେବି ।

 

 

କଙ୍କ

– ଆପଣ ରାଜା ହୋଇ ଅନାଥା ରମଣୀର ନିବେଦନର କିଛି ସୁବ୍ୟବସ୍ଥା କରି ପାରିଲେ ନାହିଁ ?

 

 

ବିରା

– ମୁଁ କଣ କରିବି ? କୀଚକର ପ୍ରାର୍ଥିତ ବିଷୟରେ ବ୍ୟାଘାତ କରିବା ମୋର କି ସାମର୍ଥ୍ୟ ?

 

 

କଙ୍କ

– ତେବେ ତାହାକୁ କଣ ବୋଲି ଉତ୍ତର ଦେଲେ ?

 

 

ବିରା

– ଏତିକି ମାତ୍ର କହିଦେଲି କି, ସୈରିନ୍ଧ୍ରୀ ! କୀଚକର ପ୍ରଣୟିନୀ ହେବା କି ସାମାନ୍ୟ ତପସ୍ୟାର ଫଳ ? ସେଥିଲାଗି ଏଡ଼େ ଚିନ୍ତା କାହିଁକି ?

 

 

କଙ୍କ

– ଆଃ ! କି ଅକାର୍ଯ୍ୟ କଲ ? ମୁଁ ସମ୍ପୂର୍ଣ୍ଣ ଜାଣେଁ, ପ୍ରଚ୍ଛନ୍ନଭାବରେ ଅମିତବଳ ଗନ୍ଧର୍ବଗଣ ପ୍ରତିମୁହୂର୍ତ୍ତରେ ତାକୁ ଜଗିରହିଅଛନ୍ତି ।

 

 

ବିରା

– (ସଶଙ୍କ) ତେବେ ସେମାନଙ୍କଦ୍ୱାରା କି କୀଚନର କୌଣସି ଅନିଷ୍ଟ ଘଟିଥିବ ?

 

 

କଙ୍କ

– ସମ୍ଭବ ।

 

 

ବିରା

– (ବିଚାରି) ଏହା ଅବିଶ୍ୱସନୀୟ । କୀଚକ ତ ମହାବଳିଶେଖର ।

 

 

କଙ୍କ

– ଅନ୍ୟତ୍ର ହୋଇ ପାରନ୍ତି, କିନ୍ତୁ ଗନ୍ଧର୍ବଙ୍କ ସମ୍ମୁଖରେ ସେଖର ବୋଲି ବିଚାର କର ।

 

 

ବିରା

– (ସକମ୍ପ) ତେବେ ଏହା କଣ ସତ୍ୟ ?

 

 

କଙ୍କ

– ସମ୍ପୂର୍ଣ୍ଣମାତ୍ରାରେ ।

 

 

ବିରା

– ତେବେ କୀଚକଙ୍କର ଅବଶ୍ୟ ପ୍ରାଣସଂଶୟ ହୋଇଥିବ । ପଣ୍ଡା ମହାଶୟ ! ସୈରିନ୍ଧ୍ରୀର ସମ୍ଫୂର୍ଣ୍ଣ ପରିଚୟ ଦେଇ ମତେ କୃତଜ୍ଞତାପାଶରେ ଆବଦ୍ଧ କରିଅଛ । ନଚେତ୍‌ ମୋରି ସୁଦ୍ଧା ସର୍ବନାଶ ହୋଇଥାନ୍ତା ।

 

 

କଙ୍କ

– ମହାରାଜ ! ଛାମୁଙ୍କର ଏଥିରେ କି ଅପରାଧ ଅଛି ?

 

 

ବିରା

– ନାହିଁ ନାହିଁ, ସେପରି ନ କହ । ରାଜନ୍ୟ କୁଳପ୍ରଥାନୁସାରେ ମଁ ସୁଦ୍ଧା ଦୁଇ ଚାରି ଥର ସେହି ଭୁବନମୋହିନୀ ସୈରିନ୍ଧ୍ରୀକି ଅବିବାହିତା ମନେ କରି ଦୃଷ୍ଟିପାତ କରିଥିଲି । ରାଣୀଙ୍କର ଭୟରୁହିଁ ସେ ନୀଚ କାମନା ବ୍ୟକ୍ତ ହୋଇ ନ ଥିଲା ।

 

 

 

(ବ୍ୟସ୍ତଭାବରେ ଦ୍ୱାସ୍ଥ ପ୍ରବେଶ)

 

 

ଦ୍ୱାସ୍ଥ

– ଜୟ ଜୟ ମହାରାଜ !

 

 

ବିରା

– ଦ୍ୱାସ୍ଥ ! ଏଡ଼େ ଉଦ୍‌ବେଗରେ କାହିଁକି ଧାଇଁ ଆସିଲୁ ? କୀଚକଙ୍କର କି କୌଣସି ସମ୍ୱାଦ ମିଳିଲା ?

 

 

ଦ୍ୱାସ୍ଥ

– ମହାରାଜ ! ଆଉ କି ସମ୍ୱାଦ ? ସତ୍ସନଗରୀ ଅନ୍ଧକାର ହୋଇ ଯାଇଅଛି ।

 

 

ବିରା

– (ଉଦ୍‌ବେଗରେ) କଣ ହେଲା ? ସର୍ବସ୍ତୀର୍ଣ୍ଣରୂପେ କହୁ ନ ହୁଁ କାହିଁକି ?

 

 

ଦ୍ୱାସ୍ଥ

– ମହାରାଜ ! କହିବାକୁ ବାକ୍ୟ ସ୍ପୁରୁ ନାହିଁ । ନାଟ୍ୟଶାଳାରେ କୀଚକଙ୍କ ମୃତ କଳେବର – (ଅର୍ଦ୍ଧୋକ୍ତିରେ ରୋଦନ କରିବା)

 

 

ବିରା

– (କପାଳରେ କରତାଡ଼ନ ଓ ରୋଦନ କରିବା) ହା ! ପ୍ରିୟପାତ୍ର ଶ୍ୟାଳକ କୀଚକ ! ମତେ ଏକାକୀ ଛାଡ଼ କେଉଁଆଡ଼େ ଗଲ ? ତୁମ୍ଭ ବାହୁବଳ ଭିନ୍ନ ଏ ବିଶାଳ ମତ୍ସ ରାଜ୍ୟ ଶତ୍ରୁ ହସ୍ତରୁ ରକ୍ଷା କରିବି କିପରି ? ଅପ୍‍ସରାରୂପିଣୀ ରମଣୀଗଣ ପଦସେବାରେ ତତ୍ପର ଥାଉଁ ଥାଉଁ କି କୁଭ୍ରମରେ ପଡ଼ି ସୈରିନ୍ଧ୍ରୀରୂପାଗ୍ନିରେ ପତଙ୍ଗ ହୋଇଗଲା ? ତୁମ୍ଭ ପ୍ରିୟ ଭଗିନୀ ରୋରୁଦ୍ୟମାନ । ସୁଦେଷ୍ଣାଙ୍କୁ କଣ ବୋଲି ଆଶ୍ୱାସନା ଦେବି ? ହାୟ ! ଯେ ଅବଲୀଳାରେ ତୁମ୍ଭ ପରି ବଳିକି ସୁଦ୍ଧା କାଳ ମୁଖରେ ବଳି ଦେଲା, ସେ ପୁଣି ମତେ ସଂହାର କରିବା କି ଆଶ୍ଚର୍ଯ୍ୟର ବିଷୟ ? ପଣ୍ଡା ମହାଶୟ ! କୀଚକ ବିନା ଜଗତ୍‌ ମତେ ଶୂନ୍ୟ ଦିଶୁଅଛି । କଣ କରିବି ?

 

 

କଙ୍କ

– ମହାରାଜ ! ଏ ଅସୀମ ଦୁଃଖାବସରରେ ମୁଁ ଆପଣଙ୍କୁ କଣ ବୋଲି ପ୍ରବୋଧନା ଦେବି-? ତଥାପି ଆପଣ ପଣ୍ଡିତ ହୋଇ ପ୍ରାକୃତ ଜନ ପରି ଶୋକବିହ୍ୱଳ ହେବା ଅସୁନ୍ଦର ନୁହେ କି ?

 

 

ବିରା

– ଆଃ ! କି ଲୋମହର୍ଷଣ କାଣ୍ଡ ? କି ପୈଶାଚିକ ହତ୍ୟା ସମ୍ବାଦ ? ଅକାଳୀନ ଦମ୍ଭୋଳିଦ୍ୱାରା କେଡ଼େ ଦୃଢ଼ତର ଚନ୍ଦନତରୁ ଛିନ୍ନ ହୋଇଗଲା ? କୀଚକବିରହିତ ପୁରୀରେ ମୁଁ ରହିବି କିପରି ? ଶତ୍ରୁମାନେ ତ ଶାଳୀକ୍ଷେତ୍ରକୁ ଶଲଭ ପରି ସହସା ଆକ୍ରମଣ କରିବେ-। (ଦ୍ୱାସ୍ଥ ପ୍ରତି) ଦ୍ୱାସ୍ଥ ! ଏ ଦୁଃସମ୍ୱାଦ ତାହାଙ୍କର ଭାଇମାନେ କି ଅବଗତ ହେଲେଣି ?

 

 

ଦ୍ୱାସ୍ଥ

– ମହାରାଜ ! ଅନ୍ତଃପୁରର ଆର୍ତ୍ତନାଦ କି ଶୁଭୁ ନାହିଁ ? ନାଟ୍ୟମନ୍ଦିରର ଚତୁର୍ଦିଗ ଲୋକାରଣ୍ୟ ହେଲାଣି ।

 

 

କଙ୍କ

– (ସ୍ୱଗତ) “ଅତ୍ୟୁତ୍କଟେ ପାପପୁଣ୍ୟେ ଇହୈବ ଫଳମୁଚ୍ୟତେ ।“ (ପ୍ରକାଶ) ମହାରାଜ ! ପ୍ରାଣୀ ସ୍ୱୀୟ କର୍ମର ଫଳ ଅବଶ୍ୟ ଭୋଗ କରିବ, ସେଥିଲାଗି ଏଡ଼େ ବ୍ୟସ୍ତ କାହିଁକି ? ଜୀବନ୍ତ କୀଚକ ସିନା ତୁମ୍ଭର ପ୍ରିୟପାତ୍ର ଥିଲେ, ଏବେ ଖାଲି ମୃତପିଣ୍ଡ । ଧାରାବାହିକ ପ୍ରେମରୁ ଆଉ କିଛିକ୍ଷଣ ପାର୍ଥିବ ଶରୀରକୁ ରକ୍ଷା କଲେ କୃମିକୀଟାକୀର୍ଣ୍ଣ ହୋଇ ପୂତିଗନ୍ଧ ହୋଇ ଯିବ ନାହିଁ କି ? ଅତଏବ ଏଥିର ସୁମୁଚିତ ବିଧାନ କରି ଶୀଘ୍ର ଅନ୍ତଃପୁରକୁ ଯାଇ ସ୍ତ୍ରୀମାନଙ୍କୁ ସାନ୍ତ୍ୱନା ଦିଅନ୍ତୁ ।

 

 

ବିରା

– ନାହିଁ ନାହିଁ, ମୁଁ ଅନ୍ତଃପୁରକୁ ଯିବି ନାହିଁ । ସେଠାରେ ସୈରିନ୍ଧ୍ରୀ ରହିଅଛି ।

 

 

 

(ସହସା କୀଚକର ଭାଇଦ୍ୱୟ ପ୍ରବେଶ)

 

 

ପ୍ରଥ

– ମହାରାଜ ! ଆମ୍ଭର ସର୍ବନାଶ ହେଲା, ସର୍ବନାଶ ହେଲା ।

 

 

ବିରା

– ଭାଇ ! ଅନୁପୂର୍ବିକ ସମସ୍ତ ଶୁଣିଲି । ଏ ଦୁର୍ଘଟନାଦ୍ୱାରା କେବଳ ତୁମ୍ଭରହିଁ ନୁହେ, ମୋହର ଏବଂ ମତ୍ସଦେଶବାସିଙ୍କର ସୁଦ୍ଧା ପ୍ରାଣସଙ୍କଟ ହେଲାମନେ କର । ଆଚ୍ଛା, କୀଚକ କଳେବର ଶରଦ୍ୱାରା ବିଦ୍ଧ ବା ଖଡ଼୍‍ଗଦ୍ୱାରା ଛିନ୍ନ ହୋଇଅଛି ?

 

 

ଦ୍ୱିତୀ

– ତାହା ସାଧାରଣବୋଧଗମ୍ୟ ନୁହେ । କର, ଚରଣ, ଶିର, ଅସ୍ଥି, ମାଂସ, ମଜ୍ଜା ପ୍ରଭୃତି ଏକତ୍ର ହୋଇ କେବଳ ଗୋଲାକାର ବିକଟ ଦୃଶ୍ୟ ।

 

 

ବିରା

– ଆଃ, କି ନିଷ୍କରୁଣ ଓ ଅଶ୍ରୁତପୂର୍ବ ପ୍ରହାର ! ଏଣିକି କୀଚକ ମାରଣ ବୋଲି ଲୋକରେ ଗୋଟିଏ ପ୍ରଥା ରହିଯିବ ।

 

 

ପ୍ରଥ

– ମହାରାଜ ! ହେଇଟି, ଶବବାହକମାନେ ତ ନିକଟକୁ ବାହାରି ଆସିଲେଣି, ଛାମୁରୁ ଥରେ ଆସି ପ୍ରତ୍ୟକ୍ଷ କରନ୍ତୁ ।

 

 

ବିରା

– ଭାଇ ! ଯେଉଁ କୀଚକଙ୍କର ସାଳଙ୍କାର ଓ ଚନ୍ଦନଚର୍ଚିତ ଶରୀର ଅତୃପ୍ତନୟନରେ ମୁଁ ସନ୍ତତ ଚାହୁଁଥିଲି, ତାହାଙ୍କର ଶୁଶାନନୀତ ବିକୃତ ମୃତକଳେବରକୁ କେଉଁ ଚକ୍ଷୁରେ ଦେଖି ପାରିବି ?

 

 

ଦ୍ୱିତୀ

– ତେବେ ଆମ୍ଭ ପ୍ରତି କି ଆଜ୍ଞା ?

 

 

ବିରା

– କହିବାକୁ କଣ ଅଛି ? ଶୀଘ୍ର ନେଇ ସଂସ୍କାର କରିଦିଅ । କଙ୍କ ପଣ୍ଡା ମହାଶୟ ! ଚାଲ, ଆମ୍ଭେ ଏବେ ନିଭୃତ ସ୍ଥାନକୁ ଯାଇ କୀଚକବଧ କ୍ଷୁବ୍ଧ ଦଗ୍ଧ ଆତ୍ମାକୁ ସାନ୍ତ୍ୱନା କରିବା ।

 

 

କଙ୍କ

– ଯେ ଆଜ୍ଞା ।

 

 

ବିରା

– ଦ୍ୱାସ୍ଥ ! ଶିଘ୍ର ଶାନ୍ତଭବନର ମାର୍ଗ ବତାଅ ।

 

 

ଦ୍ୱାସ୍ଥ

– ଯେ ଆଜ୍ଞା – ଏହି ଦିଗରେ ବିରାଜମାନ କର ।

 

 

 

(ବିରାଟ, କଙ୍କ ଓ ଦ୍ୱାସ୍ଥ ନିଷ୍କ୍ରାନ୍ତ)

 

 

ପ୍ରଥ

– ଅର୍ଦ୍ଧପଥ ଭୃତି କ୍ରିୟା ସମାପ୍ତ ହେଲାଣି ତ ?

 

 

ଦ୍ୱିତୀ

– ହଁ, ହେଇଟି ଚିତାରେ ଅଗ୍ନିସଂଯୋଗ ସୁଦ୍ଧା କରୁଅଛନ୍ତି ।

 

 

 

(ଦୃଶ୍ୟାନ୍ତର – ଶ୍ମଶାନବାଟୀ । ଚିତାଗ୍ନି ନିକଟରେ ଶିବିକାଧାରୀ ଭାଇମାନେ ପ୍ରବେଶ)

 

 

ପ୍ରଥ

– (ଚାହିଁ) ଚାଲ ଆମ୍ଭେ ସେଠାକୁ ଯିବା ।

 

 

ଦ୍ୱିତୀ

– ସତ୍ୟ, ଏଠାରେ ଆଉ ପ୍ରୟୋଜନ କଣ ? (ଯାଇ ସେମାନଙ୍କ ସହ ମିଶିବା)

 

 

 

(ସର୍ବେ ଚିତାଗ୍ନି ନିକଟରେ ଶିବିକା ରଖି “ହରିବୋଲ” କହି ଘେରି ରହିବା)

 

 

ପ୍ରଥ

– ଆହେ ! ଏହିପରି ବୀରବର ଭାଇକି ଏକାକୀ ଦାହ କରି ବାହାରି ଯିବା ?

 

 

ଦ୍ୱିତୀ

– ତେବେ ତୁମ୍ଭର ଅଭିପ୍ରାୟ କଣ ?

 

 

ତୃତୀ

– ଆଉ କି ଅଭିପ୍ରାୟ ? ସୈରିନ୍ଧ୍ରୀ ଯୋଗୁଁ ସିନା କୀଚକଙ୍କର ମୃତ୍ୟୁ ହୋଇଅଛି । ଅତଏବ ତାହାକୁ ସୁଦ୍ଧା – (ଅର୍ଦ୍ଧୋକ୍ତିରେ)

 

 

ଚତୁ

– ବାଃ ! ଉତ୍ତମ କହିଅଛ । ଏଠାକୁ ଆଣି ଚିତାଗ୍ନିରେ ପକାଇ ଦେବା ।

 

 

ପଞ୍ଚ

– ପରଲୋକରେ ହେଲେ ସେ ସୈରିନ୍ଧ୍ରୀର ସଙ୍ଗମସୌଖ୍ୟ ଲାଭ କରନ୍ତୁ ।

 

 

ଷଷ୍ଠ

– ଆମ୍ଭମାନଙ୍କର ସୁଦ୍ଧା ପ୍ରତିଶୋଧ ସାଧିତ ହେବ ।

 

 

ସପ୍ତ

– ତେବେ ଆଉ ବିଳମ୍ୱ କାହିଁକି ?

 

 

ଅଷ୍ଟ

– ଆଚ୍ଛା, ମୁଁ ଯାଉଅଛି । (ଗମନୋଦ୍ୟତ ହେବା)

 

 

ପ୍ରଥ

– ରହ ରହ, ମୁଁ ସୁଦ୍ଧା ଆସିବି । (ଦୁହେଁ ଶୀଘ୍ର ନିଷ୍କ୍ରାନ୍ତ)

 

 

ତୃତୀ

– ଆହେ ! ଗନ୍ଧର୍ବମାନେ ଥିବେଟି ।

 

 

ଚତୁ

– ଥାନ୍ତୁ, ଆପତ୍ତି କଣ ? ତେଡ଼େ ଅସାବଧାନ ଓ ଏକାକୀ ହେବାରୁ ସିନା କୀଚକ ବଧ ହେଲା ?

 

 

ପଞ୍ଚ

– ଆଃ ! ସମ୍ମୁଖରେ ପଡ଼ନ୍ତେ କି, ତାଙ୍କର ପରାକ୍ରମ ବୁଝନ୍ତି ।

 

 

ଷଷ୍ଠ

– ଭୀଷଣ ତଳପ୍ରହାରରେ ମୁଣ୍ଡଗୁଡ଼ାକ ପକ୍ୱ ତାଳ ପରି ଗଡ଼ାଇ ଦିଅନ୍ତି ନାହିଁ ?

 

 

ସପ୍ତ

– ହେଇଟି ରୋଦନ ଶୁଭୁଅଛି । ବୋଧହୁଏ ସୈରିନ୍ଧ୍ରୀକି ଭାଇମାନେ ଆଣୁଅଛନ୍ତି-। ହେଲେ ପ୍ରଥମେ ତାହାର ସତୀତ୍ୱ ଭଙ୍ଗ କରି ପରେ ଅଗ୍ନିରେ ନିକ୍ଷେପ କରିବା । (ଉଭୟ ଭ୍ରାତାଦ୍ୱାରା ଆକୃଷ୍ଟକେଶା ବିସ୍ରସ୍ତବସନା ସାଶ୍ରୁମୁଖୀ ସୈରିନ୍ଧ୍ରୀ ପ୍ରବେଶ)

 

 

ସୈରି

– ହାୟ ! ପ୍ରଚ୍ଛନ୍ନମୂର୍ତ୍ତି ଜୟ, ଜୟଦ୍‌ବଳ, ଜୟନ୍ତ, ଜୟତ୍ସେନ, ବିଜୟ ମହାଭାଗମାନେ ଶୀଘ୍ର ଆବିର୍ଭୂତ ହୋଇ ଦାସୀକି ନୃଶଂସମାନଙ୍କ ହସ୍ତରୁ ରକ୍ଷା କର, ରକ୍ଷା କର ।

 

 

ପ୍ରଥ

– (ଆକର୍ଷଣ କରି) ଆଃ, ଶରୀରଟା ନବନୀତ ପରି କି କୋମଳ !

 

 

ଅଷ୍ଟ

– ଏହାକୁ ଦେଖି କୀଚକ ଉନ୍ନତ୍ତ ହେବା କାରଣ କି ଅସମୀଚୀନ ଅଟେ ?

 

 

ପଞ୍ଚ

– ସେ ତ ଦିନେ ହେଲେ ଭୋଗ କରି ପାରିଲେ ନାହିଁ । ଛି !

 

 

ସପ୍ତ

– ଆମ୍ଭ ଭାଗରେ ଛାଡ଼ି ଦେଇ ଗଲେ ।

 

 

ସୈରି

– ହାୟ ! କିଏ ପ୍ରତିବଚନ ଦେଉ ନାହିଁ, ଦାସୀକି ଏତେ ଅଳ୍ପ ସମୟରେ ଭୁଲିଗଲ ?

 

 

 

(ସହସା କାଳିମାଲିପ୍ତସର୍ବାଙ୍ଗ, ଦର୍ବୀହସ୍ତ ବଲ୍ଲବ ପ୍ରବେଶ)

 

 

ସର୍ବେ

– (ସର୍ବେ ଦେଖି ସୈରିନ୍ଧ୍ରୀକି ଛାଡ଼ି ଭୟତ୍ରସ୍ତ ହେବା)

 

 

ବଲ୍ଲ

– ପ୍ରିୟେ ! ଭୟ ନାହିଁ । ଏ ନରପଶୁଙ୍କୁ କୀଚକଠାକୁ ପଠାଇ ଦେଉଅଛି । (ଦର୍ବୀ ବୁଲାଇ “ଖା ମା ଶ୍ମଶାନ - ଚଣ୍ଡି” କହି ଆକ୍ରମଣ କରିବା)

 

 

 

(ସର୍ବେ ଇତସ୍ତତଃ ଧାଇଁବା, ଭୀମ ପଶ୍ଚାଦ୍ଧାବନ କରିବା, ସୈରିନ୍ଧ୍ରୀ ଭୟବିହ୍ୱଳା ହୋଇ ଦୂରରେ ଉଭା ହେବା)

 

 

ଜଣେ

– ହେଇଟି, କଳାଭୂତ ମୋ ପଛେ ପଛେ ଧାଉଁଛି ।

 

 

ଅନ୍ୟ

– ଧାଇଁଆ ମ, କଥା କହୁଛୁ କେତେ ?

 

 

ଅନ୍ୟ

– ହେ ଭୈରବମୂର୍ତ୍ତି ! ମୁଁ ଶରଣ ପଶୁଅଛି, ମତେ ରକ୍ଷା କର ।

 

 

ଜଣେ

– ମା ଇଷ୍ଟଦେବି ! ଏ ସଙ୍କଟରୁ ଉଦ୍ଧାର କର ହେ – ଶତ ମହିଷ ବଳି ଦେବି ।

 

 

ଜଣେ

– ମା ସୈରିନ୍ଧ୍ରୀ ! ନଜାଣି ଅପରାଧ କଲୁଁ, କ୍ଷମା କର ।

 

 

ଅନ୍ୟ

– ପଛକୁ ଅନାନା ମ, ପିଟିଲା – ପିଟିଲାଟି ।

 

 

ବଲ୍ଲ

– (ସମସ୍ତଙ୍କୁ ହତ ଧ୍ୱସ୍ତ କରି ଓ କେତେକଙ୍କୁ ଚିତାକ୍ଷେପଣ କରି ଦଣ୍ଡାୟମାନ ହୋଇ ଚତୁର୍ଦିଗ ନିରୀକ୍ଷଣ କରି) ପ୍ରିୟେ ! ଅଦ୍ୟାପି ତୋର ଭୟ ଦୂର ହୋଇ ନାହିଁ ?

 

 

ସୈରି

– (ନିକଟକୁ ଯାଇ) ପ୍ରାଣେଶ୍ୱର ! ମତେ ମୃତ୍ୟୁମୁଖରୁ ରକ୍ଷା କରି ଶ୍ରୀପଦରେ ଶତ ଜନ୍ମ ପର୍ଯ୍ୟନ୍ତ ଋଣୀ କରିଅଛି ।

 

 

ବଲ୍ଲ

– ପ୍ରିୟତମେ ! ମୋ ସମ୍ମୁଖରେ ତୁମ୍ଭ ପ୍ରତି ଅତ୍ୟାଚାର କଲେ ମୃତ୍ୟୁର ସୁଦ୍ଧା ସ୍କନ୍ଧରେ ମୁଣ୍ଡ ରହିବ ନାହିଁ ବୋଲି ବିଶ୍ୱାସ କର । କୁରୁସଭା କେଶାକର୍ଷଣାବଧି ଯେଉଁ କ୍ରୋଧାଗ୍ନି ଉଜ୍ଜୃମ୍ଭିତ ହେଲାଣି, ସେଥିରେ ଅନେକ ମହାପ୍ରାଣୀ ଆହୁତି ହୋଇଯିବେ । ଆମ୍ଭର କ୍ଳେଶାବସାନ ତ ଆସନ୍ନ ହୋଇ ଆସୁଅଛି । ଆଉ ଅଧୀରା ହୁଅ ନାହିଁ । କାଳେ ଆମ୍ଭେ ଦୁହେଁ ଏଠାରେ ରହିଲେ କିଏ କୌଣସି ପ୍ରକାର ତର୍କଣା କରିବ । ଅତଏବ ଶୀଘ୍ର ସ୍ୱ ସ୍ୱ ନିଯୋଗରେ ନିଯୁକ୍ତ ହେବା ।

 

 

ସୈରି

– ଆପଣଙ୍କର ଯେ ଅଭିମତ ।

 

(ଦୁହେଁ ନିଷ୍କ୍ରାନ୍ତ)

ତୃତୀୟ ଅଙ୍କ ସମ୍ପୂର୍ଣ୍ଣ ।

***

 

ଚତୁର୍ଥ ଅଙ୍କ

ପ୍ରଥମ ଦୃଶ୍ୟ

 

(ସ୍ଥାନ – ବିରାଟ ଅନ୍ତଃପୁର । ସୁଦେଷ୍ଣା, ଉତ୍ତରା ଓ ସୈରିନ୍ଧ୍ରୀ ପ୍ରବେଶ)

 

ସୁଦେ

– ସୈରିନ୍ଧ୍ର, ତୁମ୍ଭଲାଗି ହିଁ ଆମ୍ଭର ଏ ଦୁର୍ଦଶା ହେଲା ।

 

 

ସୈରି

– ଦେବି, ଏଥିରେ ମୋର କି ଅପରାଧ ଅଛି, ତ୍ରିଗର୍ତ୍ତରାଜ ସୁଶର୍ମାଙ୍କୁ ମୁଁ କି ଏଠାକୁ ଆସ ବୋଲି କହିଥିଲି ?

 

 

ସୁଦେ

– ମୁଁ ତାହା କହୁ ନାହିଁ, କିନ୍ତୁ ମୋ ଭାଇ କୀଚକ ଜୀବନରେ ଥିବା ପର୍ଯ୍ୟନ୍ତ ମତ୍ସଦେଶରେ ସୁଶର୍ମା କି ପଦକ୍ଷେପ କରୁଥିଲା ?

 

 

ସୈରି

– ଦେବି ! ଅନୁଗ୍ରହ କରି ଆଉ ଦୁଇ ଚାରି ଦିନ ମାତ୍ର ଆଶ୍ରୟ ଦିଅ, ପରେ ଗନ୍ଧର୍ବମାନେ ଆସି ପ୍ରକାଶ୍ୟଭାବରେ ମୋତେ ନେଇ ଯିବେ ।

 

 

ସୁଦେ

– (ଉଦ୍‌ବେଗରେ) ଏଠାକୁ ଆସି ଆମ୍ଭ ପ୍ରତି ଆଉ କିଛି ଅନର୍ଥ ଘଟାଇବେ ନାହିଁ ତ ?

 

 

ସୈରି

– ଦେବି ! ଏ କି ଶଙ୍କା ? ତୁମ୍ଭେ ମୋ ପ୍ରତି କି ଅକାର୍ଯ୍ୟ କଲ ? ଆହା, ବର୍ଷକାଳ ହେଲା ତୁମ୍ଭର ଯେଉଁ ଅକୃତ୍ରିମ ଆଶ୍ରିତବତ୍ସଳତା, ମୁଁ ତାହା ଶତ ଜନ୍ମରେ ସୁଦ୍ଧା ଶୁଝି ପାରିବି କି ନା ସନ୍ଦେହ ।

 

 

ଉତ୍ତରା

– ହଁ ମାମା, ମନେ ପଡ଼ିଲା, ବାବା ବଲ୍ଲବ, କଙ୍କ, ତନ୍ତ୍ରିପାଳ ଗ୍ରନ୍ଥିକ ଏମାନଙ୍କୁ ସୁଶର୍ମାଙ୍କ ସହିତ ଯୁଦ୍ଧ କରାଇବାକୁ କି ନେଇଅଛନ୍ତି ?

 

 

ସୁଦେ

– ହଁ, ମୋ ଭାଇ କୀଚକ ଥିଲେ ସିନା ତୁମ୍ଭ ପିତାଙ୍କୁ ଅନ୍ୟର ସାହାଯ୍ୟ ଆବଶ୍ୟକ ନ ଥାନ୍ତା, ଆଉ ଏମାନଙ୍କୁ ନ ନେଲେ ଗତ୍ୟନ୍ତର କାହିଁ ? କିନ୍ତୁ ଏମାନଙ୍କ ମଧ୍ୟରୁ ବଲ୍ଲବର ଆକୃତି ଦେଖିଲେ କିଛି କାର୍ଯ୍ୟ କଲା ପରି ପ୍ରତୀତ ହେଉଅଛି ।

 

 

ଉତ୍ତରା

– ଅବଶ୍ୟ, ସେ ଦିନ ଦେଖୁ ନ ଥିଲ, ବାବାଙ୍କ ଅନୁରୋଧରୁ ବଲ୍ଲବ କିପରି ଜୀମୂତାଦ ମଲ୍ଲ ଓ ସିଂହଗୁଡ଼ିକୁ ଧରି ଚିରି ପକାଇଲେ ।

 

 

ସୁଦେ

– ସେ କଥା ଥାଉ, ମହାରାଜ କିପରି ଯୁଦ୍ଧରୁ ଫେରିବେ ବୋଲି ମୋ ମନ ନିତାନ୍ତ ଆକୁଳ ହେଉଅଛି, ସର୍ବମଙ୍ଗଳାଙ୍କ କରୁଣା ବିନା ଏ ଅବସରରେ ଆଉ ଆମ୍ଭର ଗତି କିଏ-?

 

 

ସୈରି

– ଦେବି ! ଆଶ୍ୱସ୍ତା ହୁଅ,ମହାରାଜାଙ୍କ ସହ ବଲ୍ଲବ ଯାଇଥିବାଠାରେ ଜୟାଶାରେ କି ସନ୍ଦେହ ଅଛି ?

 

 

ଉତ୍ତରା

– ସୈରିନ୍ଧ୍ରୀ, ତୁମ୍ଭେ କଣ ବଲ୍ଲବକୁ ଜାଣ ?

 

 

ସୈରି

– ଭର୍ତ୍ତୃଦାରିକେ, ଏ କି କଥା ? ମୁଁ ପାଣ୍ଡବମହୀଷୀଙ୍କର ଆଶ୍ରୟରେ ଥିଲାବେଳେ ବଲ୍ଲବ ଭୀମସେନଙ୍କ ସୂପକାର ହୋଇ ଅନେକ ଯୁଦ୍ଧକୌଶଳ ଶିଖିଥିବାର ସୁଦ୍ଧା ଅବଗତ ଅଛି ।

 

 

ଉତ୍ତରା

– ତେବେ ଏହାଙ୍କୁ, ଉତ୍ତମରୂପେ ଜାଣିଅଛ । ଆଚ୍ଛା ସୈରିନ୍ଧ୍ର, ତୁମ୍ଭେ ଯେଉଁ ଦ୍ରୌପଦୀଙ୍କ ପରିଚାରିକା ହୋଇ ଏପରି ଅଭୁତ ସୁନ୍ଦରୀ ହୋଇଅଛ, ସେ ମହାଭାଗା କିପରି ରୂପସୀ ହୋଇଥିବେ ?

 

 

ସୈରି

– ଆଉ ସେ ଅଭାଗିନୀ ରାଜମହିଷୀର ଦଗ୍ଧରୂପର କଥା କାହିଁକି ? ଶ୍ରୀଚ୍ୟୁତ ହେବାବଧି ସମସ୍ତ ମାଟି ହୋଇଗଲାଣି ।

 

 

ଉତ୍ତରା

– (ସଖେଦ) ଆହା ! ଜଗତରେ ମାନବ ଅସ୍ଥାୟୀ ବିଷୟରେ ସ୍ଥାୟୀ ଆଶା ପୋଷଣ କରି ଗର୍ବିତ ହେବାର ବୃଥା । କେଉଁ ମୁହୂର୍ତ୍ତରେ କଣ ଘଟିବ, ତାହା ଜାଣିବା ପ୍ରାଣିର ଅସାଧ୍ୟ । ଦେଖ, ଦ୍ରୌପଦୀଙ୍କ ପରି ମହାଭାଗ୍ୟବତୀ ସ୍ତ୍ରୀଙ୍କର ସୁଦ୍ଧା ଅବସ୍ଥାର ବିପର୍ଯ୍ୟୟ ।

 

 

ସୁଦେ

– ବତ୍ସେ ! ତୁମ୍ଭ ପିତା ଯୁଧିଷ୍ଠିର ମହ।ରାଜାଙ୍କ ରାଜସୂୟ ଯଜ୍ଞରୁ ଫେରିଲା ପରେ ତାହାଙ୍କର ଯେଉଁ ବିଭବ ବର୍ଣ୍ଣନ କରୁଥିଲେ, ତାହା ଆଉ କଣ କହିବି ?

 

 

ଉତ୍ତରା

– ମାମା, ବାବା କି ଯୁଧିଷ୍ଠିରଙ୍କ ସହିତ ସାକ୍ଷାତ୍‌ ହୋଇଥିଲେ ?

 

 

ସୁଦେ

– ସୁବିଧା କାହିଁ ? ରାଜସୂୟ ବେଳେ ପୁଣି ଏପରି ଜନତା ହୋଇଥିଲା ଯେ, ତୁମ୍ଭ ପିତା ଯୁଧିଷ୍ଠିରଙ୍କ କନିଷ୍ଠାଙ୍ଗୁଳିସ୍ଥ ମତ୍ସମୁଦ୍ରିକା ବିନା ଅନ୍ୟ କିଛି ଦେଖି ନାହାନ୍ତି ।

 

 

ଉତ୍ତରା

– ଆହା ! ଦୈବଦୁର୍ବିପାକରୁ ତେଡ଼େବଡ଼ ମହାରାଜା ହୋଇ ସୁଦ୍ଧା ସାମ୍ରାଜ୍ୟରୁ ଚ୍ୟୁତ ହୋଇଗଲେ ।

 

 

ସୈରି

– ହଁ, ଉତ୍‍ଥାନ ଓ ପତନ ହେବା ତ ସୃଷ୍ଟିର ଲୀଳାକ୍ରମ ।

 

 

ସୁଦେ

– ସୈରିନ୍ଧ୍ରୀ, ! ପାଣ୍ଡବଙ୍କ ବନବାସାନନ୍ତର ତୁମ୍ଭେ ପୁନର୍ବାର ସେହି ବାରୁଣାବନ୍ତରେ କି ଆଶ୍ରୟ ନେବ ?

 

 

ସୈରି

– ସନ୍ଦେହ କଣ ? ସେ ଅନ୍ତଃପୁର ବିନା ମୋର ଆଉ ଗତି ନାହିଁ ?

 

 

ଉତ୍ତରା

– ଆଚ୍ଛା, ବେଳେ ବେଳେ ମୋତେ ସ୍ମରଣ କରୁଥିବ ତ ?

 

 

ସୈରି

– ଏ କି କଥା, ମୁଁ ଦ୍ରୌପଦୀଙ୍କଠାରେ ତୁମ୍ଭର ସ୍ୱଭାବମିଷ୍ଟ ଗୁଣ ଓ ସୌନ୍ଦର୍ଯ୍ୟର କଥା କହି ତୁମ୍ଭଙ୍କୁ ତାହାଙ୍କ ଗୃହର ଲକ୍ଷ୍ମିରୂପିଣୀ ପ୍ରିୟ ବଧୁ କଲାପର୍ଯ୍ୟନ୍ତ ମୋ ମନରେ ଶାନ୍ତି କାହିଁ-?

 

 

ଉତ୍ତରା

– (ଲଜ୍ଜାବନତମୁଖୀ ହେବା)

 

 

ସୁଦେ

– ସୈରିନ୍ଧ୍ର ! ସେ ସୌଭାଗ୍ୟଦିନ ଅନେକ ଦୂରରେ ଅଛି ବୋଲି ମନେ କର । ପ୍ରଥମେ ଧାର୍ମିକ ଯୁଧିଷ୍ଠିରଙ୍କ ଦୁଃଖାନ୍ତ ହେଉ, ପରେ ବୁଝିବା । ମୋ ଉତ୍ତରା ସତେ କି ଏଡ଼େ ପୁଣ୍ୟ କରିଅଛି ଯେ, ସେ ପ୍ରଖ୍ୟାତ ଗୃହର ବଧୁ ହେବ ? ଏହା ଅସମ୍ଭବ ।

 

 

ସୈରି

– ଦେବି ! ଦୈବାନୁଗ୍ରହରୁ ସମ୍ଫୂର୍ଣ୍ଣ ସମ୍ଭବ ବୋଲି ମନେ କର ।

 

 

ଉତ୍ତରା

– ମାମା ! ଅଦ୍ୟାପି ବାବାଙ୍କଠାରୁ କି କୌଣସି ଶୁଭସମ୍ୱାଦ ଆସି ନାହିଁ ?

 

 

ସୁଦେ

– ନାହିଁ ! (ଚାହିଁ) ହେଟି ଉତ୍ତର ତ ଆସୁଅଛି, ପଚାରି ବୁଝିବା ।

 

 

 

(ଉତ୍ତର ପ୍ରବେଶ)

 

 

ଉତ୍ତର

– ମାମା, ପ୍ରଣାମ କରୁଅଛି ।

 

 

ସୁଦେ

– ବତ୍ସ ! ଜୟୀ ହୁଅ, ଯଶସ୍ୱୀ ହୁଅ । ଆଚ୍ଛା, ମହାରାଜାଙ୍କର ଓ ସମରାଙ୍ଗଣର ସମ୍ୱାଦ କଣ ?

 

 

ଉତ୍ତର

– ଥାଉ ସେ ସମ୍ୱାଦ, ଏ ଅବାନ୍ତରରେ ଆଉ ଗୋଟିଏ ବିଷମ ଅନର୍ଥ ଉପସ୍ଥିତ ହେଲା ।

 

 

ସୁଦେ

- ଆଉ ଗୋଟିଏ କଣ ?

 

 

ଉତ୍ତର

– ପ୍ରବଳ ସେନାସନାଥ ହୋଇ କୁରୁରାଜ ଦୁର୍ଯ୍ୟୋଧନ ଆମ୍ଭର ଗୋଧନ ସବୁ ହରଣ କରି ନେଇ ଯାଉଅଛି ।

 

 

ସୁଦେ

– ହାୟ ! ବିପଦର କି ଭୀଷଣ ବଦନ ?

 

 

ଉତ୍ତର

– ଭାଇ ! ତେଣେ ବାବା ତ ଯୁଦ୍ଧକୁ ଯାଇଅଛନ୍ତି, ଏବେ ଉପାୟ କଣ ?

 

 

ଉତ୍ତର

– ପ୍ରିୟ ଭଗିନି ! ସେ କଥାହିଁ କହୁଥିଲି । କଣ କରିବି, ଜଣେ ହେଲେ ସୁଚତୁର ସାରଥି ତ ନାହିଁ, ନୋଚେତ୍‌ ଛାର ଦୁର୍ବଳ କୁରୁମାନେ କି ମୁଁ ଥାଉଁ ଥାଉଁ ଗୋଧନ ସବୁ ହରଣ କରି ନେଇ ଯାଉଥାନ୍ତେ ?

 

 

ସୈରି

– ରାଜପୁତ୍ର ! ଆପଣଙ୍କ ସାରଥିଟି କଣ ହେଲା ?

 

 

ଉତ୍ତର

– ମୁଁ ଶତ୍ରୁ ସେନା ସହ ବିଂଶଦିନ ପର୍ଯ୍ୟନ୍ତ ଭୀଷଣ ଆୟୋଧନ କଲାବେଳେ ତାହାର ମୃତ୍ୟୁ ହୋଇ ଯାଇଅଛି ।

 

 

ଉତ୍ତର

– ମାମା, ଭାଇ କେବେ ଯୁଦ୍ଧକୁ ଯାଇଥିଲେ, କାହିଁ ମୋହର ତ ସ୍ମରଣ ହେଉ ନାହିଁ ?

 

 

ଉତ୍ତର

– ପ୍ରିୟ ଭଗିନି ! ତୁ ସେତେବେଳେ ନିତାନ୍ତ ବାଳିକା ଥିଲୁ ଏବଂ ସ୍ତ୍ରୀମାନଙ୍କୁ ଯୁଦ୍ଧର କଥା କାହିଁକି ?

 

 

ଉତ୍ତର

– ଭାଇ ! ଆମ୍ଭେ ତାହା ଶୁଣିଲେ ସୁଦ୍ଧା ଦୋଷ ଅଛି ?

 

 

ସୁଦେ

– କୁମାର ! ଗୋଧନ ପଛେ ଯାଉ, ତୁ ଆଉ ଯୁଦ୍ଧଯାତ୍ରା କରନା । ପିତା ସୁଶର୍ମା ସମରରୁ ଫେରିଲା ପରେ କର୍ତ୍ତବ୍ୟ ସ୍ଥିର କରନ୍ତୁ । କୁରୁସେନା ସହିତ ତୁ ସଂଗ୍ରାମ କରିବା ମୋତେ ଉତ୍ତମ ଦିଶୁ ନାହିଁ ।

 

 

ଉତ୍ତର

– ମାମା, ତୁମ୍ଭେ ବୀରମାତା ହୋଇ ଏ କି ସାହସହୀନ କଥା କହୁଅଛ ? ନିମିଷମାତ୍ରରେ କୌରବ ସେନାସମୁଦ୍ରକୁ ମନ୍ଥାଚଳ ପରି କି ଆଲୋଡ଼ନ କରି ଦେବି ନାହିଁ ? ଉତ୍ତରର ଗୁରୁତର ପ୍ରତାପ କି ସାମାନ୍ୟ ବୋଲି ଜ୍ଞାନ କରିଅଛ ?

 

 

ସୈରି

– ରାଜପୁତ୍ର ! ଭାଷ୍ମ, ଦ୍ରୋଣାଦି ମହାରଥିମାନେ ତ କୁରୁବାହିନୀର ଅଧିନାୟକ, ସେମାନଙ୍କୁ ଜୟ କରି ପାରିବ ?

 

 

ଉତ୍ତର

– ସୈରିନ୍ଧ୍ର, ମୋତେ କି ତୋପରି ଅବଳା ବୋଲି ମନେ କରିଅଛୁ ? ସାରଥି ଜଣେ ମିଳିଲେ ଦେଖିବୁ, ସୁତକ୍ଷ୍ମ ମାର୍ଗଣଗଣରେ ଭୀଷ୍ମର ଯୁଦ୍ଧୋଷ୍ମ, ଦ୍ରୋଣର ପ୍ରାଣ, ଅଶ୍ୱଥିାମାର ବୀରଗାରିମା, ଦୁର୍ଯ୍ୟୋଧନର ଦୁରଭିମାନ ଓ କର୍ଣ୍ଣର ବିକ୍ରମକୁ ସୁଦ୍ଧା ଛିନ୍ନ ଭିନ୍ନ କରିଦେବି ।

 

 

ସୈରି

– (ହସି) କ୍ଷମା କରିବେ, ପ୍ରକୃତରେ ମୁଁ ଆପଣଙ୍କୁ ଏଡ଼େ ବୀର ବୋଲି ବୁଝି ପାରି ନ ଥିଲି ।

 

 

ଉତ୍ତର

– କିପରି ବୁଝା ଯିବ, ସମୟରେ ସିନା ପ୍ରଭାବ ପ୍ରକାଶିତ ହୁଏ ? ଦେଖ, ପର୍ବ ବିନା ସମୁଦ୍ର କି ଉଦ୍‌ବେଳିତ ହେଉଅଛି ?

 

 

ସୈରି

– ଆଚ୍ଛା, ମୁଁ ଜଣକର ନାମ କହିଦେବି, ତାହାଙ୍କୁ ସାରଥିରେ ନିଯୁକ୍ତ କରିବେ ତ-?

 

 

ଉତ୍ତର

– ସନ୍ଦେହ କଣ ? ଉପଯୁକ୍ତ ହୋଇଥିଲେ ।

 

 

ସୈରି

– ରାଜପୁତ୍ର ଆପଣ ବୃହନ୍ନଳାଙ୍କୁ ଯନ୍ତା କରନ୍ତୁ, ସେ ବାହକ କାର୍ଯ୍ୟରେ ସମ୍ପୂର୍ଣ୍ଣ ପଟୁ ଅଟନ୍ତି ।

 

 

ଉତ୍ତର

– ମୋତେ ପରିହାସ କରୁଅଛୁ ? ଛି ! ନପୁଂସକଟାକୁ ସଙ୍ଗରେ ନେବି ? ତାର ଆଉ ନାମ ଧର ନା ।

 

 

ସୈରି

– ମୁଁ କାର୍ଯ୍ୟର କଥା କହୁଅଛି, କିନ୍ତୁ ବ୍ୟକ୍ତିର ତ ନୁହେ ।

 

 

ଉତ୍ତର

– ଆଛା, କେବେ ସେ ସାରଥିକାର୍ଯ୍ୟ କରିଥିଲା ?

 

 

ସୈରି

– ଅର୍ଜୁନ ଖାଣ୍ଡବବନ ଦାହ କଲା ବେଳେ ।

 

 

ଉତ୍ତର

– ଏହା ଅବିଶ୍ୱସନୀୟ ।

 

 

ସୈରି

– ହୋଇ ପାରେ, କିନ୍ତୁ ମୋର ତାହା ଦୃଢ଼ ବିଶ୍ୱସନୀୟ ।

 

 

ଉତ୍ତରା

– ଭାଇ, ସୈରିନ୍ଧ୍ରୀଙ୍କ କଥାକୁ ତୁଚ୍ଛ କରିବା ଉଚିତ ନୁହେ ।

 

 

ସୁଦେ

– ସୈରିନ୍ଧ୍ର, ଏହା କି ସତ୍ୟ ?

 

 

ସୈରି

– ଦେବି ! ସନ୍ଦେହ ହେଲେ ମୋ ନାମ କହି ବୃହନ୍ନଳାଙ୍କଠାରୁ ବୁଝନ୍ତୁ ।

 

 

ଉତ୍ତର

– ଏହା ସତ୍ୟ ହୋଇଥିଲେ କୁରୁକୁଳ ନିର୍ମୂଳ ହେଲେ ବୋଲି ମନେ କର । ତ୍ରିବିକ୍ରମଙ୍କ ପାଦବିକ୍ଷେପରେ ତ୍ରିଲୋ ଆକ୍ରାନ୍ତ ହେଲା ପରି ମୋର ବିକ୍ରମ ବୃତ୍ତାନ୍ତ କି ଆଜି ଚତୁର୍ଦ୍ଦିଗକୁ ପୂର୍ଣ୍ଣ କରି ଦେବ ନାହିଁ ?

 

 

ସୈରି

– (ହସି) ଆଚ୍ଛା, ଆପଣଙ୍କର ଏ ଅଦ୍ଭୁତ ଧନୁର୍ବେଦଶିକ୍ଷାର ଆଚାର୍ଯ୍ୟ କିଏ ?

 

 

ଉତ୍ତର

– ଆଚାର୍ଯ୍ୟର କଥା କାହିଁକି ? ସୈରିନ୍ଧ୍ର, ଜନ୍ନାନ୍ତରୀଣ ସଂସ୍କାର ବିନା ଶିକ୍ଷାଦ୍ୱାରା ପ୍ରୟୋଜନ କଣ ? ବହ୍ନିର ବେଦୀପ୍ୟମାନା ଜ୍ୱଳା, ଚନ୍ଦ୍ରର ପ୍ରଶାନ୍ତ ଶୀତଳତା, ବାୟୁର ପ୍ରଖର ଗତି କି ଶିକ୍ଷା ପ୍ରତି ନିର୍ଭର କରେ ? ସେ ସକଳ ସ୍ୱଭାବସିଦ୍ଧ ବୋଲି ମନେ କର ।

 

 

ସୈରି

– (ହସି) ସନ୍ଦେହ କଣ ? ଆଉ ଗୋଟିଏ କଥା, ବୃହନ୍ନଳା ଉତ୍ତରାଙ୍କର ପ୍ରାର୍ଥନା ବିନା ଆପଣଙ୍କର ସାରଥ୍ୟ ସ୍ୱୀକାର କରିବେ ନାହିଁ ପରା ?

 

 

ଉତ୍ତରା

– ତେବେ ମୁଁ ଶୀଘ୍ର ଯାଇ ତାହାଙ୍କୁ ସମ୍ମତ କରାଇ ଦେବି । ସେ ଭାର ମୋ ପ୍ରତି ନ୍ୟସ୍ତ ମନେ କର ।

 

 

ସୁଦେ

– ତେବେ ଆଉ ବିଳମ୍ୱ କରୁଅଛୁ କାହିଁକି ?

 

 

ଉତ୍ତରା

– ହଁ ଯାଉଅଛି, କିନ୍ତୁ ଭାଇ, ମୋର ଗୋଟିଏ କହିବାର ଅଛି ।

 

 

ଉତ୍ତର

– ଆଚ୍ଛା କି କଥା ?

 

 

ଉତ୍ତରା

–ତୁମ୍ଭେ ଯାଇ ମହାରଥିମାନଙ୍କୁ ଜୟ କଲା ପରେ ସେମାନଙ୍କ ଉଷ୍ଣୀଷ ଓ ମୁକୁଟମାନଙ୍କୁ ମୋତେ ଆଣି ଦେବ, ମୁଁ ପାଞ୍ଚାଳିକା ଖେଳ କରିବି । ଭୁଲି ଯିବ ନାହିଁଟି ?

 

 

ଉତ୍ତର

– ଏ କି କଥା ? ମୁଁ ରାଜପୁତ୍ର ହୋଇ ମୃତ ବ୍ୟକ୍ତିର ଅସ୍‍ପୃଶ୍ୟ ଶରୀର କିପରି ସ୍ପର୍ଶ କରିବି-? ଆଚ୍ଛା, ତୋ ଗୁରୁକୁ କହିଥା ।

 

 

ଉତ୍ତରା

– ସେହିପରି ହେଉ । (ନିଷ୍କ୍ରାନ୍ତ)

 

 

ସୁଦେ

– କୁମାର ! ଚାଲ ପରୋହିତଙ୍କୁ ଡ଼କାଇ ସ୍ୱସ୍ତିବାଚନାଦି କରାଇବା ।

 

 

ଉତ୍ତର

– ଯେ ଆଜ୍ଞା ।

 

(ସର୍ବେ ନିଷ୍କ୍ରାନ୍ତ)

 

ଦ୍ୱିତୀୟ ଦୃଶ୍ୟ

 

(ସ୍ଥାନ – ବିରାଟ ସିଂହଦ୍ୱାର । କଞ୍ଚୁକୀ ପ୍ରବେଶ)

 

କଞ୍ଚ

– (ଚତୁର୍ଦିଗ ନିରୀକ୍ଷଣ କରି) ଏଡ଼େ ବଡ଼ ଚହଳ ଦାଣ୍ଡଟା ନିଃଶବ୍ଦ, ଲୋକଗୁଡ଼ାକର ମନରେ ଟିକିଏ ହେଲେ କି ଆନନ୍ଦ ଅଛି ? ହଁ, କିପରି ରହିବ ? ରାଜା ତ ଦେଶର ମା ବାପ, ସେ ତ ଯାଇଛନ୍ତି ଯୁଦ୍ଧ କରିବାକୁ, ଆଉ ଗଡ଼ର ଶୋଭା କଥା କାହିଁକି ? ତେଣେ ନହର ପୋଇଲୀଗୁଡ଼ାକ ଏକା ଥରେ ଚେଁମରା, ରାଣୀଙ୍କର ମର୍ଦନ ମାଜଣା ନାହିଁ, ସବୁବେଳେ ସେହି କଥା, ଧୈର୍ଯ୍ୟ ଧରି କିପରି ରହିବେ ? ତାଙ୍କର ତ ହୃଦୟ ଗୋଳି ଘାଣ୍ଟି ହୋଇ ଯାଉଥିବ । ରଜା ତ ଯାଇଥିଲେ, ଏଣେ ଉତ୍ତରକୁମାର ମଧ୍ୟ ଦୁର୍ଯ୍ୟୋଧନଙ୍କ ସାଙ୍ଗରେ ଯୁଦ୍ଧ କରିବାକୁ ଗଲେ । ହେଲେ ଖେଳି ବୁଲିବା ପିଲାର ସାହସ ଦେଖ, ବୃହନ୍ନଳାଟାକୁ ସାଙ୍ଗରେ ଧରି ଏକୁଟିଆ ଧାଇଁଛନ୍ତି । ରଜାଘର ପିଲାଗୁଡ଼ାଙ୍କୁ କି ଭୟ ଅଛି ? ଆଉ ଗୋଟିଏ କଥା, ଚଉଦ ପୁରୁଷରୁ ତାଙ୍କର ଅନ୍ନ ପେଟରେ ପଡ଼ୁଥିବାରୁ ମୋର ମନଟା ମଧ୍ୟ କଲବଲ ହୋଇ ଗଲାଣି । ମୋ ହାତରେ କଣ ହେବ, ବାଡ଼ି ଖଣ୍ଡିକ ତ ଭାରା ହୋଇ ଗଲା । ଭିତରକୁ ଯିବି ରାଣୀ କହୁଛନ୍ତି, ଯା, ଯା, ଖବର କିସ ବୁଝି ମୋତେ କହ । ବୁଢ଼ାଟା ହୋଇଯିବାରୁ ପୂର୍ବ ପରି କି ଧାଁ ଧପଡ଼ ହୋଇ ପାରୁଛି ? ଆଃ ! ରଜାଘରେ ନୈାକରି କରିବା ସୁଖ ଯେତେ, ଦୁଃଖ ତେତେ ! ଏବେ ମୁଁ କାହାକୁ ପଚାରି ବୁଝିବି ? ହେଟି, କିଏ ଆସୁଛି । (ନିରୂପଣ କରି) ଆମ୍ଭର ବାହାଦୂର ସିଂହ ପରି ତ ଦିଶୁଛି ।

 

 

 

(ଦୂତ ବାହାଦୂର ସିଂହ ପ୍ରବେଶ)

 

 

କଞ୍ଚୁ

– (ଚାହିଁ) କି ରେ ବାପା ବାହାଦୂର ! ଏକା ଥରେ ଧୂଳିଆ ପହଣ୍ଡରେ ଧାଇଁ ଆସିଛୁ ପରା ?

 

 

ଦୂତ

– ହଁ, ନ ଆସିବାକୁ କି ଚାରା ଅଛି ?

 

 

କଞ୍ଚୁ

– ମହାରାଜାଙ୍କର ସବୁ ଭଲ ତ ?

 

 

ଦୂତ

– ସେ କଥା ଭିତରେ ଜଣାଇବା ଲାଗି ମହାରାଜାଙ୍କଠାରୁ ତ ଆଜ୍ଞା ହୋଇଛି ।

 

 

କଞ୍ଚୁ

– ଆଃ ! କେଡ଼େ ଶୁଭ ବାର୍ତ୍ତା ! ଆରେ ବାପା ବାହାଦୂର ! ମୋ ପରି ବୁଢ଼ା ହୋଇଥା । ରାଣୀ କାଲିଠାରୁ କି ପଲକ ହେଲେ ପକାଇଛନ୍ତି ? ଆଛା, ମହାରାଜାଙ୍କର ଆଜ୍ଞା କିସ ବୋଲି ହୋଇଛି ?

 

 

ଦୂତ

– ଶତ୍ରୁର ପରାଜୟ ହେଲା । ଏ ବାର୍ତ୍ତା କହି ନଗର ସବୁ ମଣ୍ଡାଇବା ଲାଗି ।

 

 

କଞ୍ଚୁ

– ଆଛା ବାପା ବାହାଦୂର ! ଭିତରକୁ ଗଲେ ତ ମାଇକିନାଗୁଡ଼ାକ କୁଆବୁଆ କରି ପକାଇବେ । ମତେ ଯୁଦ୍ଧର ଖବର ସବୁ ଭଲକରି ବୁଝାଇ ଦେଇଥା । ତୁମ୍ଭେ ଶତ୍ରୁ ସେନା ସହିତ କେତେବେଳେ ଭେଟ ହେଲ ?

 

 

ଦୂତ

– ତିନି ପହର ବେଳ ହେବ ।

 

 

କଞ୍ଚୁ

– ଆମ୍ଭ ରଜା ସ୍ୱଶର୍ମାକୁ ବାଘ ପରି ମାଡ଼ି ବସିଥିବେ ?

 

 

ଦୂତ

– ଅଜା ! କିସ କହିବି, ସବୁ ସରି ଯାଇଥିଲା ।

 

 

କଞ୍ଚୁ

– କିରେ ବାପା ! କଣ ହୋଇଥିଲା ରେ ?

 

 

ଦୂତ

– ଏଗୁଡ଼ାକ ଭିତର ଦିଗରେ ପ୍ରକାଶ କରିବ ନାହିଁ ଟି ।

 

 

କଞ୍ଚୁ

– ତୋ ରାଣ, ମୋ ରାଣ, କେବେ କହିବି ନାହିଁ ।

 

 

ଦୂତ

– ଯୁଦ୍ଧ କରୁ କରୁ ସୁଶର୍ମା ମହାରାଜାଙ୍କୁ ବିରଥ କରି ବାନ୍ଧି ନେଇ ଯାଉଥିଲା ।

 

 

କଞ୍ଚୁ

– ଆହା ! କି ପ୍ରମାଦ ଘଟିଥିଲା ଆରେ ବାପା ! ତେତେବେଳେ କିଏ ଉଦ୍ଧାର କଲାରେ ?

 

 

ଦୂତ

– ଆଉ କିଏ କରିବ, ସେ ବଲ୍ଲବ ।

 

 

କଞ୍ଚୁ

– ବଲ୍ଲବ ? ସେ ଏଡ଼େ ବଳିଆର କିରେ ?

 

 

ଦୂତ

– ଅଜା ! କଙ୍କ ପଣ୍ଡା କହିବାକ୍ଷଣି ପବନ ପରି ଧାଇଁ ଯାଇଁ ସୁଶର୍ମାକୁ ମାଡ଼ି ବସିଲା !

 

 

କଞ୍ଚୁ

– ସେ ମଲା, ନା ଜିଇଲା ?

 

 

ଦୂତ

– ନାହିଁ ନାହିଁ, ଆମ୍ଭ ମହାରାଜାଙ୍କ ପାଦ ତଳେ ସେ ମୁଣ୍ଡ ଲଗାଇବାରୁ ଦୟା କରି ଛାଡ଼ି ଦେଲେ ।

 

 

କଞ୍ଚୁ

– ତେବେ ମୁଁ ଯାଉଛି, ରାଣୀମାଙ୍କ ଛାମୁରେ ଜଣାଇବି ।

 

 

ଦୂତ

– ଅଜା ! ମୋ କଥା କିଛି ଜଣାଇବ ନାହିଁ ?

 

 

କଞ୍ଚୁ

– ଅବଶ୍ୟ, ତୋ ହେତୁରେ ତ ମୋତେ ମଧ୍ୟ ମେଲାଣି ମିଳିବ ।

 

(ଦୁହେଁ ନିଷ୍କ୍ରାନ୍ତ)

***

 

ପାଣ୍ଡବ-ବନବାସ

ତୃତୀୟ ଦୃଶ୍ୟ

 

(ସ୍ଥାନ – ମତ୍ସଦେଶର କୌଣସି ପ୍ରାନ୍ତ । ଶମୀବୃକ୍ଷପ୍ରତ୍ୟାବୃତ୍ତ ଅର୍ଜୁନ ଓ ଉତ୍ତର ପ୍ରବେଶ)

 

ଅର୍ଜୁ

– ରାଜପୁତ୍ର ! ଆପଣ ଅନ୍ତଃପୁରରେ ଭୀଷ୍ମ ଦ୍ରୋଣାଦିଙ୍କି ସଂହାର କରିବାଲାଗି କେତେ ପ୍ରତିଜ୍ଞା କରି ଛାର କୁରୁ ସେନା ଦର୍ଶନ ମାତ୍ରେ ଭୟବିହ୍ୱଳ ହୋଇ ପଳାୟନ କରୁଥିଲ କାହିଁକି ?

 

 

ଉତ୍ତର

– କଣ କରିବି, ସେ ଭୟଙ୍କର ସେନାସନ୍ନାହ ଦେଖି ମୋର ଧୈର୍ଯ୍ୟଚ୍ୟୂତ ହୋଇଗଲା ।

 

 

ଅର୍ଜୁ

– ଆପଣ ତ ଅବଗତ ଥିବେ, “ଅଦ୍ୟ ବାବ୍ଦଶତାନ୍ତେ ବା ମୃତ୍ୟୁର୍ବୈ ପ୍ରାଣିନାଂ ଧ୍ରୁବଂ ।” ବିଶେଷତଃ କ୍ଷତ୍ରିୟ ହୋଇ ମୃତ୍ୟୁ ପ୍ରତି ଏଡ଼େ ଭୟ ?

 

 

ଉତ୍ତର

– ଆଛା କହିଲ, ମୋର ନବୀନ ବୟସ, ତହିଁ ପରେ ପୁଣି ରାଜକୁମାର, ଜିଇଥିଲେ ଅନେକ ସୁଖ ଭୋଗ କରିବି । “ପୁନର୍ବିତ୍ତଂ ପୁନର୍ମିତ୍ରଂ ପୁନର୍ଦାରା ପୁନର୍ମହୀ । ସର୍ବେଷାଂ ପୁନରାବୃତ୍ତି ର୍ନ ଶରୀରଂ ପୁନଃ ପୁନଃ ।” ଏପରି ସ୍ଥିତିରେ ଛାର ଗୋଧନ ଲାଗି ପ୍ରାଣ ହରାଇ ଦେବି-?

 

 

ଅର୍ଜୁ

– ତାହା ସତ୍ୟ, ତଥାପି “ସମ୍ଭାବିତସ୍ୟ ଯା କୀର୍ତ୍ତି ର୍ମରଣାଦତିରିଚ୍ୟତେ ।” ପ୍ରତିଜ୍ଞାଭ୍ରଷ୍ଟ ହୋଇ ଜୀବନ ରଖିବାଟା କି ଦୂଷଣୀୟ ବିଷୟ ନୁହେ ? ଏବଂ ତୁମ୍ଭେ ଅପମାନିତ ହୋଇ ଅନ୍ତଃପୁରକୁ ଫେରି ଯାଇଥିଲେ ସ୍ତ୍ରୀମାନେ ଯେଉଁ ଉପହାସଶଲ୍ୟ ପ୍ରୟୋଗ କରନ୍ତେ, ତଦପେକ୍ଷା ଶତ୍ରୁଶଲ୍ୟ କି ବିଷମ ବେଦନାପ୍ରଦ ବୋଲି ମନେ କରିଅଛ ?

 

 

ଉତ୍ତର

– ଏ କି କଥା, ଆମ୍ଭ ଗୃହର ଆଶ୍ରିତା ଦାସୀଗୁଡ଼ାକୁ ଯେନ କେନ ପ୍ରକାରେ କହି ଡ଼ରାଇ ଥରାଇ ଦେବାଟା କି ଆଶ୍ଚର୍ଯ୍ୟର ବିଷୟ ?

 

 

ଅର୍ଜୁ

– (ହସି) ଆଚ୍ଛା, ସଂଯତ ହୋଇ ମୋ ସଙ୍ଗେ ଯୁଦ୍ଧ କରିବାକୁ ଆସି ପାରିବ ତ ?

 

 

ଉତ୍ତର

– ତୁମ୍ଭର ସମ୍ପୂର୍ଣ୍ଣ ପରିଚୟ ପାଇଲା ପରେ କୌଣସି କଥା ସ୍ଥିର କରିବି ।

 

 

ଅର୍ଜୁ

– ଆଚ୍ଛା, ମୁଁ ନାମ ଗୋପନ କରି ରଖିଲେ ?

 

 

ଉତ୍ତର

– ଏ ମାର୍ଗରେ ଏକା ଅନ୍ତଃପୁରକୁ ବାହାରି ଯିବି ।

 

 

ଅର୍ଜୁ

– କାହିଁକି ?

 

 

ଉତ୍ତର

– ଯିବି ନାହିଁ ? ତୁମ୍ଭର କେଉଁ ବଳ ଦେଖିଲି ବୋଲି ବୀରଦର୍ପରେ ସହଗାମୀ ହେବି ?

 

 

ଅର୍ଜୁ

– ଆଚ୍ଛା, ମୋର ମାତ୍ର କି ପ୍ରାଣ ପ୍ରତି ମମତା ନାହିଁ ? ମୁଁ କାହିଁକି ଯାଉଅଛି ?

 

 

ଉତ୍ତର

– ତୁମ୍ଭେ କାହିଁକି ଯାଉଅଛ ? ଏହାର କାରଣ ଏହି କି, କୌଣସି ପୂର୍ବ ଦୁଷ୍କୃତରୁ ତ ନପୁଂସକ ହୋଇଅଛ । ଯୁଦ୍ଧକ୍ଷେତ୍ରରେ ମଲେ ସେ ପାପରୁ ମୁକ୍ତ ହେବାଲାଗି; ଏହା ବିନା ଅନ୍ୟ କଣ ଅଛି ? ମୋର କେଉଁ ଅପରାଧ ଅଛି ବୋଲି ପ୍ରାଣୋତ୍ସର୍ଗ କରିବି ? ମୁଁ ନିଷ୍ପାପ ।

 

 

ଅର୍ଜୁ

– (ହସି)ଆଚ୍ଛା ମୁଁ ନପୁଂସକ ବୋଲି ଅଦ୍ୟାପି କି ତୁମ୍ଭର ସେହି ଧାରଣା ଅଛି ?

 

 

ଉତ୍ତର

– ନାହିଁ ନାହିଁ, ଆପଣଙ୍କର ଇଦାନୀନ୍ତନ ବୀରତାଭିବ୍ୟଞ୍ଜକ ଆକୃତି ଦେଖି ତାହା ଅନେକ ପରିମାଣରେ ଦୂରୀଭୂତ ହୋଇ ଯାଇଅଛି ।

 

 

ଅର୍ଜୁ

– ଉତ୍ତରକୁମାର ! କୁରୁମାନେ ଗୋଧନ ହରଣ କରି ନେଇ ଯାଉଅଛନ୍ତି, ଏ ଅବସରରେ ତର୍କ ବିତର୍କ କରିବା ଉଚିତ ନୁହେ । ତୁମ୍ଭେ ଦୁର୍ଯ୍ୟୋଧନ ସହ ଆୟୋଧନ କରିବାକୁ ଆସିବ, କିବା ନାହିଁ, ଶୀଘ୍ର କହ ।

 

 

ଉତ୍ତର

– ତତ୍‌ପୂର୍ବରୁ ଆପଣଙ୍କ ପରିଚୟ ଦେବ, କିବା ନାହିଁ, ଶୀଘ୍ର ପ୍ରକାଶ କରୁ ନାହଁ କାହିଁକି ?

 

 

ଅର୍ଜୁ

– ତାହା ଅବସରକ୍ରମେ ବୁଝାଇବି ।

 

 

ଉତ୍ତର

– ତେବେ ମୁଁ ସୁଦ୍ଧା ଅବସରକ୍ରମେ ହାଜର ହେବି ।

 

 

ଅର୍ଜୁ

– (ସ୍ୱଗତ) ବିଷମ ସମସ୍ୟା, ଏହାକୁ ପରିଚୟ ନ ଦେଲେ ଏ ଘୁଞ୍ଚିବା ପ୍ରାଣୀ ନୁହେ । ଆମ୍ଭ ଅଜ୍ଞାତବାସର ଅବଧି ଅଦ୍ୟାପି କି ଶେଷ ହୋଇ ନାହିଁ ? (ଅଙ୍ଗୁଳିରେଖା ଗଣିବା)

 

 

ଉତ୍ତର

– ମୌନଭାବରେ କଣ ଗଣନା କରୁଅଛ ?

 

 

ଅର୍ଜୁ

– କିଛି ନାହିଁ ।

 

 

ଉତ୍ତର

– ହଁ, ମନେ ପଡ଼ିଲା, ସେ ଶମୀବୃକ୍ଷକ୍ରୋଟରସ୍ଥ ଶସ୍ତ୍ରଗୁଡ଼ିକ ପାଣ୍ଡବମାନଙ୍କର ବୋଲି ଯାହା କହୁଥିଲ, ତାହା କି ସତ୍ୟ ?

 

 

ଅର୍ଜୁ

– ଶସ୍ତ୍ର ଦର୍ଶନରେ ତୁମ୍ଭଙ୍କୁ କିପରି ପ୍ରତୀତ ହେଲା ?

 

 

ଉତ୍ତର

– ସେ ସୂର୍ଯ୍ୟପ୍ରଭ ଧନୁ ଶର ଖଡ଼୍ଗ ପ୍ରଭୃତି ଦେଖି ମୁଁ ଛାନିଆ ହୋଇଗଲି, ଆଉ କଣ ବୋଲି କହିବି ? ବୋଧ ହୁଏ ତାହା ଅବଶ୍ୟ ସେମାନଙ୍କର ହୋଇ ପାରେ ।

 

 

ଅର୍ଜୁ

– ତେବେ ଆଉ ଭ୍ରାନ୍ତିମୂଳକ ପ୍ରଶ୍ନ କାହିଁକି ?

 

 

ଉତ୍ତର

– ଆଚ୍ଛା, ଆଉ ଗୋଟିଏ କଥା, ଶମୀବୃକ୍ଷରେ ଶସ୍ତ୍ର ସଞ୍ଚୟ କରି ପାଣ୍ଡବମାନେ କେଉଁଠାରେ ଗୋପନରେ ଅଛନ୍ତି ?

 

 

ଅର୍ଜୁ

– ତୁମ୍ଭ ରାଜ୍ୟରେ ।

 

 

ଉତ୍ତର

– (ଆଶ୍ଚର୍ଯ୍ୟରେ) ଆମ୍ଭ ରାଜ୍ୟରେ ?

 

 

ଅର୍ଜୁ

– ହଁ, ଖାଲି ତୁମ୍ଭ ରାଜ୍ୟରେ ନୁହେ, ତୁମ୍ଭ ପିତାଙ୍କ ଅଧୀନରେ ବୋଲି କହୁ ନାହିଁ କାହିଁକି-?

 

 

ଉତ୍ତର

– ମହାଭାଗ ! ଏହା କି ସତ୍ୟ ?

 

 

ଅର୍ଜୁ

– ସମ୍ପୂର୍ଣ୍ଣତୟା ।

 

 

ଉତ୍ତର

– କି ଅଶ୍ରୁତପୂର୍ବ ଘଟନା ! ଆମ୍ଭ ପିତାଙ୍କର କି ପ୍ରାକ୍ତନ ପୁଣ୍ୟପରିପାକ । ଆଚ୍ଛା, ମାନନୀୟ ଯୁଧିଷ୍ଠିର ମହାରାଜ କେଉଁଭାବରେ ଅଛନ୍ତି, ଅନୁଗ୍ରହ କରି ପ୍ରକାଶ କରିବେ ନାହିଁ-?

 

 

ଅର୍ଜୁର

– (ହସି) ସଭାସଦକଙ୍କ ପଣ୍ଡାରୂପରେ ଥିବାର କି ଅଦ୍ୟାପି ଅନୁମାନ କରି ନାହିଁ ?

 

 

ଉତ୍ତର

– (ଆଶ୍ଚର୍ଯ୍ୟରେ) ଲେଶ ମାତ୍ର ନାହିଁ । ଶିବ ଶିବ ! କି ପରମାନନ୍ଦପ୍ରଦ ସମ୍ୱାଦ-! ତେବେ ସୂପକାର ପଦରେ ଥିବାର ମହାଭାଗ ଭୀମସେନ ହୋଇଥିବେ ।

 

 

ଅର୍ଜୁ

– ଠିକ୍‌ ଚିହ୍ନି ଅଛି ।

 

 

ଉତ୍ତର

– ମହାଭାଗ ! ଆଉ ବୁଝାଇବାକୁ କଣ ଅଛି ? ସୈରିନ୍ଧ୍ରୀହିଁ ସୀମନ୍ତିନୀବନ୍ଦନୀୟା ଦ୍ରୌପଦୀ ଦେବୀ, ଯାହାଙ୍କ ଶ୍ରୀଚରଣରେ ଅପରାଧୀ କୀଚକ ଭୀମସେନଙ୍କଦ୍ୱାରା ସେ ଶୋଚନୀୟ ମୃତ୍ୟୁ ପ୍ରାପ୍ତ ହେଲା ।

 

 

ଅର୍ଜୁ

– ଗ୍ରନ୍ଥିକ, ତନ୍ତ୍ରିପାଳ ନକୁଳ ସହଦେବ । କି, ବୁଝି ପାରିଲ ତ ?

 

 

ଉତ୍ତର

– ଅହୋ । କି ଅଦ୍ଭୁତ ଦମାବେଶ ! ଆଚ୍ଛା, ଜଗଦୈକଧନୁର୍ଦ୍ଧର ମହାବୀର କିରୀଟୀ କେଉଁଠାରେ ?

 

 

ଅର୍ଜୁ

– (ହସି) ତୁମ୍ଭ ସମ୍ମୁଖରେ ।

 

 

ଉତ୍ତର

– (ତ୍ରିବାର ଦଣ୍ଡପ୍ରଣାମ କରି) ମହାଭାଗ ! ଆମ୍ଭେ ନ ଜାଣି ତୁମ୍ଭମାନଙ୍କ ଶ୍ରୀଚରଣରେ ସହସ୍ର ଅପରାଧ କରିଅଛୁଁ, କ୍ଷମା କର, କ୍ଷମା କର ।

 

 

ଅର୍ଜୁ

– (ଉତ୍ତରକୁ ଉଠାଇ ଆଲିଙ୍ଗନ କରି) କୁମାର ! ଏଥିରେ କ୍ଷମାର କଥା କଣ ଅଛି-? ଆମ୍ଭର କଠୋର ଅଜ୍ଞାତବାସ ସମୟରେ ତୁମ୍ଭେହିଁ ଆଶ୍ରୟ ଦେଇ ମହୋପକାର କରିଅଛ-

 

 

ଉତ୍ତର

– ହାୟ ! ସିଂହ ଆସି ମୂଷିକଗର୍ତ୍ତରେ କାଳକ୍ଷେପ କଲାପରି ଦୁରାତ୍ମା ଦୁର୍ଯ୍ୟୋଧନ ହେତୁ କି ଯାତନା ଅନୁଭବ କଲ ? ଆଚ୍ଛା, ସମ୍ପ୍ରତି ମୋ ପ୍ରତି କି ଆଦେଶ ?

 

 

ଅର୍ଜୁ

– କୁମାର ! ଭୟ ଦୂର ହେଲା ? ମୋର ରଥରେ ସାରଥ୍ୟ ସ୍ୱୀକାର କରିବ ତ ?

 

 

ଉତ୍ତର

– (ସଧୈର୍ଯ୍ୟରେ) ସନ୍ଦେହ କଣ ? ମହେନ୍ଦ୍ରଙ୍କ ସହିତ ଯୁଦ୍ଧ କଲେ ସୁଦ୍ଧା ତୁମ୍ଭେ ଥିଲେ ମୋର ଲେଶ ଭୟ ନାହିଁ, ଛାର କୁରୁମାନେ କେତେ ? ଆଚ୍ଛା, ଅଜ୍ଞାତବାସ ଶେଷ ହେଲାଣି ତ ?

 

 

ଅର୍ଜୁ

– ଅବଶ୍ୟ କୁମାର ! ମୁଁ ସତ୍ୟରୂପେ କହୁଅଛି କି, ମୋ ସମ୍ମୁଖରେ ତୁମ୍ଭ ଶରୀରରେ କଦାପି ଶସ୍ତ୍ରବ୍ରଣ କରାଇ ଦେବି ନାହିଁ ।

 

 

ଉତ୍ତର

– ସନ୍ଦେହ କଣ ? ମଧ୍ୟମ ପାଣ୍ଡବଙ୍କର ବୀରତ୍ୱପ୍ରଥା କାହାର ଶ୍ରୁତିଗୋଚର ହୋଇ ନାହିଁ-?

 

 

ଅର୍ଜୁ

– କୁମାର ! ଆଉ କାଳକ୍ଷେପରେ ପ୍ରୟୋଜନ କଣ ? ଶୀଘ୍ର ରଥ ନେଇ କୁରୁସେନା ସମ୍ମୁଖରେ ରଖ । ଗୋଧନ ହରଣ କରିବାକୁ କେଉଁମାନେ ଆସିଅଛନ୍ତି, ସେମାନଙ୍କ ବିକ୍ରମ ଥରେ ପରୀକ୍ଷା କରିବା । (ଶଙ୍ଖ ବଜାଇବା)

 

 

ଉତ୍ତର

– (ଛେଚି ହୋଇ ପଡ଼ି ଉଠି) ହାୟ କି ବଜ୍ରନିନାଦ !

 

 

ଅର୍ଜୁ

– (ହସି) ଆପଣ ରାଜପୁତ୍ର ହୋଇ ମାଙ୍ଗଳିକ କାର୍ଯ୍ୟ ବେଳେ ସହସ୍ର ଶଙ୍ଖଧ୍ୱନି ଶ୍ରବଣ କରିଥିବାଠାରେ ମୂର୍ଚ୍ଛିତ ହେଲେ କାହିଁକି ?

 

 

ଉତ୍ତର

– ମହାଭାଗ ! ଏପରି ଉତ୍କଟ ଶଙ୍ଖଧ୍ୱନି ମୋ ଜନ୍ନାବଧି କେବେ ଶୁଣି ନାହିଁ । ଆଚ୍ଛା, ଏ ଶଙ୍ଖର ନାମ କଣ ?

 

 

ଅର୍ଜୁ

– ଦେବଦତ୍ତ । ଧୈର୍ଯ୍ୟ ଧରି ଥାଅ, ଦେଖ ଆଉ ଥରେ ଫୁଙ୍କୁଅଛି ।

 

 

ଉତ୍ତର

– ମହାଭାଗ ! କ୍ଷମା କରିବେ, ଆଉ ସେ ଶଙ୍ଖ ବଜାଅ ନାହିଁ । ଏଣିକି ମୋର ପ୍ରାଣସଂଶୟ ହୋଇଯିବ ।

 

 

ଅର୍ଜୁ

– ସେପରି ହେଉ । (ନେପଥ୍ୟ ଅଡ଼େ ଚାହିଁ) ହେଟି ଦେଖ, ଅନତିଦୂରରେ ଆଚାର୍ଯ୍ୟପରି ପାଳିତ କୌରବ ସେନା ସାଗର ।

 

 

ଉତ୍ତର

– (ଚାହିଁ) ଯଥାର୍ଥରେ କହିବାକୁ ଗଲେ ଆପଣଙ୍କ ବିନା ଏ ଭୟଙ୍କର ବାହିନୀକି ଚାହିଁବାକୁ କାହାର ସାମର୍ଥ୍ୟ ଅଛି ? ହେଟି, ସେନା ସମ୍ମୁଖରେ କାଞ୍ଚନମୟ ପଞ୍ଚତାରକାଧ୍ୱଜ ସ୍ୟନ୍ଦନରେ ଶ୍ୱେତ ଉଷ୍ଣୀଷ ଧାରଣ କରି କିଏ ରହିଅଛି ?

 

 

ଅର୍ଜୁ

– (ଆନନ୍ଦରେ) ଏହି ଆମ୍ଭମାନଙ୍କ ପିତାମହ କୁରୁବୃଦ୍ଧ ମାନନୀୟ ଭୀଷ୍ମଦେବ, ଯେ ସ୍ୟମନ୍ତପଞ୍ଚକରେ କ୍ଷତ୍ରିୟାନ୍ତକ ପର୍ଶୁରାମଙ୍କର ସୁଦ୍ଧା ଦର୍ପ ଚୂର୍ଣ୍ଣ କରିଥିଲେ ।

 

 

ଉତ୍ତର

– ଅହୋ ! ମହାରଥୀ ଭୀଷ୍ମ । ଆଚ୍ଛା, ତାହାଙ୍କର ବାମଭାଗରେ ହେମକମଣ୍ଡଳୁଧ୍ୱଜଯୁକ୍ତ ରଥରେ ଆଉ ଜଣେ ବୃଦ୍ଧ କିଏ ?

 

 

ଅର୍ଜୁ

– ସେହି ବୀରାଗ୍ରଗଣ୍ୟ ଦ୍ରୋଣାଚାର୍ଯ୍ୟ, ମୋର ଧନୁର୍ବେଦଶିକ୍ଷକ ।

 

 

ଉତ୍ତର

– କୁରୁସେନାରେ ବ୍ରାହ୍ମଣ ଜଣେ ସୁଦ୍ଧା ଏଡ଼େ ବଳିଷ୍ଠ ହୋଇଅଛି ?

 

 

ଅର୍ଜୁ

– ଖାଲି ଜଣେ ନୁହେ, ଅନ୍ୟଦୁଇ ଜଣ ସୁଦ୍ଧା । ହେଟି, ଯାହାଙ୍କର ରଥରେ ନୀଳପତାକା ପଡ଼ୁଅଛି, ହେହି କୃପାଚାର୍ଯ୍ୟ ଏବଂ ଦେଖ ସିଂହଲାଙ୍ଗୁଳଧ୍ୱଜ ରଥରେ ଦ୍ରୋଣାତ୍ମ ବୀରସିଂହ ଅଶ୍ୱଥିାମା ।

 

 

ଉତ୍ତର

– ମହାଭାଗ ! ହେଟି, ଯେଉଁ ଉନ୍ନତକାୟ ବୀରଦ୍ୱୟ ମଣିମୟ ହସ୍ତୀ ଓ ନାଗଧ୍ୱଜ ରଥରେ ରହି ଧନୁକୁ ଆମଞ୍ଚୁ ଅଛନ୍ତି, ସେ ଦୁହେଁ କିଏ ?

 

 

ଅର୍ଜୁ

– କୁମାର ! ଏ ଅଧମଦ୍ୱୟହିଁ ଆମ୍ଭ ଦୁରବସ୍ଥାର ମୂଳହେତୁ ଦୁର୍ଯ୍ୟୋଧନ ଓ କର୍ଣ୍ଣ । ଏହାଙ୍କ ଦର୍ଶନାବଧି କ୍ରୋଧଜ୍ୱଳନ ଉଜ୍‍ଗୃମ୍ଭିତ ହେଲାଣି, ଆଉ ଅଧିକ କିଛି କହି ପାରିବି ନାହିଁ । ଆଜି ସବ୍ୟସାଚୀର ବିକ୍ରମ ସ୍ଫୁରଣ, ଆର୍ଯ୍ୟଙ୍କ କ୍ଳେଶହରଣ ଓ ବିପକ୍ଷର ବକ୍ଷଦଳନ କରି ଦେବି ବୋଲି ମନେ କର ।

 

 

ଉତ୍ତର

– ତେବେ କାହା ସହିତ ପ୍ରଥମ ଯୁଦ୍ଧ ହେବ ?

 

 

ଅର୍ଜୁ

– ସର୍ବପ୍ରଥମେ ରଥିଶ୍ରେଷ୍ଠ ଭୀଷ୍ମଦେବଙ୍କଠାକୁହିଁ ଯିବାକୁ ହେବ ।

 

 

ଉତ୍ତର

– ତେବେ ସେଠାକୁ ରଥ ବାହିବି ?

 

 

ଅର୍ଜୁ

– ଆଉ ବିଳମ୍ୱ କାହିଁକି ?

(ଦୁହେଁ ନିଷ୍କ୍ରାନ୍ତ)

***

 

ଚତୁର୍ଥ ଦୃଶ୍ୟ

 

(ସ୍ଥାନ – ଦ୍ୱାରକାର ଆସ୍ଥାନମଣ୍ଡପ । ବଳରାମ, କୃଷ୍ଣ, ସାତ୍ୟକି ଓ ପ୍ରଦ୍ୟୁମ୍ନ ପ୍ରବେଶ-।)

 

କୃଷ୍ଣ

– ପାଣ୍ଡବମାନେ ଅଜ୍ଞାତବାସ କ୍ଳେଶରୁ ଉତ୍ତୀର୍ଣ୍ଣ ହୋଇ ବିରାଟଙ୍କ ବିଶୁଦ୍ଧ ବଂଶ ସହିତ ବୈବାହିକ ସମ୍ୱନ୍ଧରେ ଆବଦ୍ଧ ହେବା ଅନ୍ୟ ମତରେ ଅସୁଖ ବୋଧ ହେଲେହେଁ ମୋ ପକ୍ଷରେ ପରମାନନ୍ଦର ବିଷୟ ।

 

 

ବଳ

– ଅଭିମନ୍ୟୁଙ୍କର ମଙ୍ଗଳକୃତ୍ୟ ମହୋତ୍ସବ ମହାସମାରୋହରେ ନିଷ୍ପନ୍ନ ହୋଇଗଲା । ଭାଗିନେୟବଧୂ ଉତ୍ତରା ସୁଦ୍ଧା ସୁଲକ୍ଷଣା, ଶାନ୍ତିଶୀଳା ଓ ରୂପସୀ ଅଟନ୍ତି ।

 

 

ସାତ୍ୟ

– ସନ୍ଦେହ କଣ ? ଆମ୍ଭ ଅଭିମନ୍ୟୁଙ୍କ ଉପଯୁକ୍ତ ପାତ୍ରୀ ।

 

 

ପ୍ରଦ୍ୟୁ

– ମତ୍ସାଧିପ ସୁଦ୍ଧା ପାଣ୍ଡବମାନଙ୍କୁ ନବନିର୍ମିତ ଉପପ୍ଳବ ଗଡ଼ ପ୍ରଦାନ କରି ସହୃଦୟତାର ଚୂଡ଼ାନ୍ତ ପରିଚୟ ଦେଇଅଛନ୍ତି ।

 

 

ସାତ୍ୟ

– ଗୋଧନ ହରଣ ବେଳେ ଅର୍ଜୁନ ସପ୍ତରଥିଙ୍କି ବ୍ୟତିବ୍ୟସ୍ତ କରି ସବ୍ୟସାଚୀ ନାମ ସାର୍ଥ କରିଦେଲେ ।

 

 

ପ୍ରଦ୍ୟୁ

– ସେହି ଦୁର୍ବଳ ଦୁର୍ଯ୍ୟୋଧନ ଅନେକ ଥର ପାଣ୍ଡବଙ୍କର ବଳ ପରୀକ୍ଷା କରିଥିବାଠାରେ ପୁନର୍ବାର ସେଠାକୁ ଧାଇଁ ଯାଇଥିଲା କାହିଁକି ?

 

 

ସାତ୍ୟ

– ଏତଦ୍ଦ୍ୱାରା ଦୁର୍ଯ୍ୟୋଧନଙ୍କୁ ଅଜ୍ଞ ବୋଲିବା ଉଚିତ ନୁହେ । ସେ କି ପାଣ୍ଡବମାନେ ମତ୍ସଦେଶରେ ଥିବାର ଅବଗତ ହୋଇଥିଲେ ?

 

 

ପ୍ରଦ୍ୟୁ

– (ହସି) ବୋଧ ହୁଏ ବୁଝିଥିଲେ ଯାଇ ନ ଥାନ୍ତେ ପରା ?

 

 

ବଳ

– ପ୍ରଦ୍ୟୁମ୍ନ ! ତୁମ୍ଭମାନଙ୍କର ବାଲ୍ୟଚାପଲ୍ୟ ଅଦ୍ୟାପି ତିରୋହିତ ହୋଇ ନାହିଁ । ଦୁର୍ଯ୍ୟୋଧନ ପ୍ରତି ଏ କି ବିଦ୍ରୁପୀକରଣ ? ସେ ଆମ୍ଭର ବାନ୍ଧବ ନୁହନ୍ତି ? ଏ ଦ୍ୱେଷବୁଦ୍ଧି ପରିତ୍ୟାଗ କର ।

 

 

କୃଷ୍ଣ

– ତାହା ତ ଅଶୋଭନୀୟ । ଆଛା, ବର୍ତ୍ତମାନ କରଣୀୟ କଣ ?

 

 

ବଳ

– କେଉଁ ବିଷୟରେ ?

 

 

କୃଷ୍ଣ

– ପାଣ୍ଡବମାନଙ୍କ ରାଜ୍ୟପ୍ରାପ୍ତି ବିଷୟରେ ।

 

 

ବଳ

– ଭାଇ ! ଦ୍ରୁପଦ ପୁରୋହିତ ପାଣ୍ଡବଙ୍କର ସନ୍ଦେଶ ଧରି ହସ୍ତିନାକୁ ଯାଇଅଛନ୍ତି ପରା ?

 

 

କୃଷ୍ଣ

– ଆର୍ଯ୍ୟ ! ସେ ବିଫଳମନୋରଥ ହୋଇ ଫେରିଲେଣି ।

 

 

ବଳ

– ଦୁର୍ଯ୍ୟୋଧନ କଣ ପାଣ୍ଡବଙ୍କର ରାଜ୍ୟ ଦେବାଲାଗି ଅସ୍ୱୀକୃତ ହେଲେ ?

 

 

କୃଷ୍ଣ

– ହଁ, ସେଥିଲାଗିହିଁ, ଯୁଧିଷ୍ଠିର ମୋତେ ଆହ୍ୱାନ କରିଅଛନ୍ତି ।

 

 

ବଳ

– କାହିଁକି ?

 

 

କୃଷ୍ଣ

– ଥରେ ମଧ୍ୟସ୍ଥ ହୋଇ ଦୁର୍ଯ୍ୟୋଧନଙ୍କୁ ଦୁଇଚାରି କଥା କହିବାଲାଗି ।

 

 

ବଳ

– ତୁମ୍ଭେ ଯାଇ ଦୈାତ୍ୟ କରିବ ?

 

 

କୃଷ୍ଣ

– ଆର୍ଯ୍ୟ ! ଉଭୟ ବଂଶର କୁଳକ୍ଷୟକର ତୁମୁଳ ବୈରାଗ୍ନି ଉଥିତ ହେଲାବେଳେ ଆମ୍ଭେ ସନ୍ନିହିତ ବନ୍ଧୁ ହୋଇ ତାହା ନିର୍ବାପିତ ନ କରିବା କି ଦୈାତ୍ୟ ଅପେକ୍ଷା ଅଧିକ ଆକ୍ଷେପର ବିଷୟ ନୁହେ ?

 

 

ବଳ

– ଭାଇ ! ତାହା ସତ୍ୟ, ତଥାପି ଦୁର୍ଯ୍ୟୋଧନ ଯଦି ତୁମ୍ଭ କଥାକୁ ନିରାକରଣ କରେ-?

 

 

କୃଷ୍ଣ

– ଅନନ୍ତର ଯୁଧିଷ୍ଠିରଙ୍କର ଇଚ୍ଛାର କଥା ।

 

 

ସାତ୍ୟ

– ଆଚ୍ଛା, ଦୁର୍ବଳପରି ପାଣ୍ଡବମାନେ ଦୁର୍ଯ୍ୟୋଧନଠାରେ ବାରମ୍ୱାର ରାଜ୍ୟ ଯାଞ୍ଚ କରୁଅଛନ୍ତି କାହିଁକି ?

 

 

ବଳ

– ନୋଚେତ୍‌ କିପରି ରାଜ୍ୟ ଲବ୍‌ଧ ହେବ ?

 

 

ସାତ୍ୟ

– ଭୁଜବୀର୍ଯ୍ୟରେ ।

 

 

ବଳ

– ମୋ ମତରେ ଏହା ସମ୍ପୂର୍ଣ୍ଣ ଅନ୍ୟାୟ କଥା ।

 

 

ସାତ୍ୟ

– କାହିଁକି ? ଦୁର୍ଯ୍ୟୋଧନ କପଟଦ୍ୟୂତରେ ରାଜ୍ୟ ଆତ୍ମସାତ୍‌ କରିବାଟା କି ଆପଣଙ୍କ ମତରେ ନ୍ୟାୟାନୁମୋଦିତ ପନ୍ଥା ?

 

 

ବଳ

– ଆଚ୍ଛା, ଯୁଧିଷ୍ଠିର ଦ୍ୟୂତକ୍ରୀଡ଼ାର ଗନ୍ଧଶୂନ୍ୟ ହୋଇ ସେଠାକୁ ଧାଇଁ ଯାଇଥିଲେ କାହିଁକି ?

 

 

ପ୍ରଦ୍ୟୁ

– ତାତ ! ସ୍ୱେଚ୍ଛାପ୍ରଣୋଦିତ ହୋଇ ଯୁଧିଷ୍ଠିର କଦାପି ଯାଇ ନାହାନ୍ତି । କିନ୍ତୁ କୁରୁମାନେହିଁ କପଟରେ ସେଠାକୁ ଡ଼କାଇ ନେଇଥିଲେ ।

 

 

କୃଷ୍ଣ

– ପ୍ରଦ୍ୟୁମ୍ନ ! ଏ କି ସ୍ୱେଚ୍ଛାଚାରିତା ? ଏ ସ୍ଥୁଳ ସୂକ୍ଷ୍ମ ମୀମାଂସାରେ ତୋର କି ଅଧିକାର ?

 

 

ବଳ

– ଆଉ ଗୋଟିଏ କଥା, ନ୍ୟାୟତଃ ଦେଖିବାକୁ ଗଲେ ପାଣ୍ଡବମାନଙ୍କ ହସ୍ତରୁ ରାଜ୍ୟ ଚ୍ୟୁତ ହୋଇ ତ ସୁଦୀର୍ଘ କାଳ ହେଲାଣି ।

 

 

ସାତ୍ୟ

– ତେବେ କଣ ଏ ବିଷୟରେ କାଳଦୋଷ ହୋଇଗଲା ବୋଲି କି ଆପଣଙ୍କ ଅଭିପ୍ରାୟ ? ଆଃ ! କି ଚମତ୍କାର ସିଦ୍ଧାନ୍ତ ? ଦ୍ୟୂତାପହୃତ ସମ୍ପଦଭୋଗର ନାମ ଜୟ, ବିକ୍ରମ ସତ୍ତ୍ୱେ ପରପରାଭବ ସହନ ଓ ଦୁରବସ୍ଥା ଭୋଗ କରିବାର ନାମ ଶମପୁଣ, ପକ୍ଷାବଲମ୍ୱନ କରି କହିବାର ନାମ ଶିଷ୍ଟତା, ପ୍ରକୃତ ନ୍ୟାୟବାଦର ନାମ ପୁଣି ଧୃଷ୍ଟତା ! କି ହାସ୍ୟସ୍ପଦ କଥା ?

 

 

ବଳ

– ସାତ୍ୟକି ! କାଳେ ଯୁଦ୍ଧ ହେଲେ ତୁମ୍ଭେ କି ପାଣ୍ଡବଙ୍କ ସଙ୍ଗେ ଯୋଗ ଦେବ ?

 

 

ସାତ୍ୟ

– ନିଃସନ୍ଦେହରେ, ଯେହେତୁ ଅର୍ଜୁନ ମୋହର ଗୁରୁ ।

 

 

ବଳ

– (କ୍ରୋଧରେ) ତେବେ କି ଦୁର୍ଯ୍ୟୋଧନ ମୋର ଶିଷ୍ୟ ନୁହେ ?

 

 

ସାତ୍ୟ

– (ଉତ୍ତେଜିତ ହୋଇ) ଦେବ ! ଦୁର୍ଯ୍ୟୋଧନର ପକ୍ଷ ନେଇ ସାକ୍ଷାତ୍‌ ରୁଦ୍ର ସୁଦ୍ଧା ଯୁଦ୍ଧ କଲେ ମୋର ଲେଶ ଭ୍ରୃକ୍ଷେପ ନାହିଁ ।

 

 

କୃଷ୍ଣ

– ସାତ୍ୟକି ! ଯୁଦ୍ଧର ତ ଏବେ ପ୍ରାରମ୍ଭ ହୋଇ ନାହିଁ । ଏ କି ଉତ୍ତେଜନା ? (ବଳରାମଙ୍କୁ ଚାହିଁ) ଆର୍ଯ୍ୟ ! କ୍ଷମା କରିବେ । ପର ଲାଗି ଆମ୍ଭମାନଙ୍କ ମଧ୍ୟରେ ମନୋମାଳିନ୍ୟ ହେବାଟା ଅଶୋଭାକର ନୁହେ କି ?

 

 

ବଳ

– ଭାଇ ! ତାହାହିଁ ମୁଁ କହୁଥିଲି । କୁରୁ ପାଣ୍ଡବ ଉଭୟ ତୁଳନାରେ ଆମ୍ଭର ଲେଶ ନ୍ୟୁନାତିରିକ୍ତ ନୁହନ୍ତି । ଅତଏବ ଏ ବିଷମ ସମାରମ୍ଭରେ ହସ୍ତକ୍ଷେପ କରିବା ଆଦୈା ଅବାଞ୍ଛନୀୟ ।

 

 

ସାତ୍ୟ

– ପାଣ୍ଡବଙ୍କ ସହ ତୁଳନା କଲେ କୁରୁମାନେ ଆମ୍ଭର ଅନେକ ଅଂଶରେ ପର ଅଟନ୍ତି ।

 

 

ବଳ

– କିପରି ? ଦୁର୍ଯ୍ୟୋଧନ କି ଆମ୍ଭର ସମ୍ୱନ୍ଧୀ ଓ ଶିଷ୍ୟ ନୁହନ୍ତି ?

 

 

ସାତ୍ୟ

ତାବନ୍ନାତ୍ର । ଦେଖ, ପାଣ୍ଡବମାନେ ପ୍ରଥମରେ ଆପଣଙ୍କର ପିତୃଶ୍ୱସାପୁତ୍ର, ଦ୍ୱିତୀୟରେ ଅର୍ଜୁନ ଭଗିନୀପତି, ତୃତୀୟରେ ସେ କୃଷ୍ଣଙ୍କର ସଖା, ଚତୁର୍ଥରେ କୁମାରମାନଙ୍କର ଗୁରୁ, ପଞ୍ଚମରେ ଧର୍ମପଥାନୁଗ, ଏହା କି ଅସ୍ୱୀକାର କରିବେ ?

 

 

ବଳ

– ସେ କଥା ଥାଉ । ଆଚ୍ଛା, ଏ ଜଟିଳ ସମସ୍ୟାର ମୀମାଂସା ଅନ୍ୟବିଧ ନିର୍ବାହ କରି ନେଲେ ତ ବିନା ରକ୍ତପାତରେ କାର୍ଯ୍ୟ ସିଦ୍ଧି ହୋଇଯିବ ।

 

 

କୃଷ୍ଣ

– କିପରି ?

 

 

ବଳ

– ପୁନର୍ବାର ଦ୍ୟୂତାରମ୍ଭ କରି ।

 

 

ସାତ୍ୟ

–ଆପଣଙ୍କ ପରି ସଦାଶୟ ବ୍ୟକ୍ତି ଦୂଷ୍ୟ ଦ୍ୟୂତକ୍ରୀଡ଼ାକୁ ଅନୁମୋଦନ କରୁଅଛ-? ଏତଦପେକ୍ଷା କ୍ଷାତ୍ରଧର୍ମର ସମ୍ମାନାସ୍ପଦ ଯୁଦ୍ଧକ୍ଷେତ୍ରରେ ଅନ୍ୟର ସାହାଯ୍ୟ ଅପେକ୍ଷା ନ କରି ସଭ୍ରାତୃକ ଦୁର୍ଯ୍ୟୋଧନ ଓ ଯୁଧିଷ୍ଠିର ସ୍ତ୍ରୀୟ ବଳ ପରୀକ୍ଷା କରି ରାଜ୍ୟଶ୍ରୀ ଭୋଗପରାୟଣ ହୁଅନ୍ତୁ-

 

 

ବଳ

– ପୁନର୍ବାର ସେହି ବିଦ୍ୱେଷଦୂଷିତ ବିଚାର । ସାତ୍ୟକି ! ତୁମ୍ଭେ ତ ନ୍ୟାୟ ନ୍ୟାୟ ବୋଲି ସର୍ବଦା ଚିତ୍କାର କରୁଅଛ, ଆଚ୍ଛା, କହତ, ରାଜକୁଳପ୍ରଥାନୁସାରେ ଜ୍ୟେଷ୍ଠାନୁକ୍ରମରେ କୁରୁସିଂହାସନ କାହାର ଭୋଗ୍ୟ ହେବ ?

 

 

ସାତ୍ୟ

– ଯୁଧିଷ୍ଠିରଙ୍କର ।

 

 

ବଳ

– କାହିଁକି ? ଯୁଧିଷ୍ଠିରଙ୍କର ପିତା ପାଣ୍ଡୁ କି ଧୃତରାଷ୍ଟ୍ର ଅପେକ୍ଷା ଜ୍ୟେଷ୍ଠ ?

 

 

କୃଷ୍ଣ

– ଜ୍ୟେଷ୍ଠ ନ ହେଲେହେଁ ଧୃତରାଷ୍ଟ୍ର ଜନ୍ମାନ୍ଧ ହୋଇ ଅକର୍ମଣ୍ୟ ହେବାରୁ ପାଣ୍ଡୁହିଁ ସିଂହାସନାରୂଢ଼ ହୋଇଥିଲେ ।

 

 

ବଳ

– ଧୃତରାଷ୍ଟ୍ର ଜନ୍ମାନ୍ଧ ହୋଇଥିଲେ, କିନ୍ତୁ ଦୁର୍ଯ୍ୟୋଧନ ତ ନୁହନ୍ତି ।

 

 

କୃଷ୍ଣ

– ଏପରି ସିଦ୍ଧାନ୍ତ କଲେ ସେହି ବଂଶରେ ହିଁ ଭୀଷ୍ମ ଜ୍ୟେଷ୍ଠ ହୋଇ ଥାଉ ଥାଉ କନିଷ୍ଠ ବିଚିତ୍ରବୀର୍ଯ୍ୟ ରାଜ୍ୟ କରି ନାହାନ୍ତି କି ?

 

 

ସାତ୍ୟ

– ଦେବ ! ଠିକ୍‌ କହିଅଛ, ତେବେ ପରଂପରାକ୍ରମରେ ଦେଖିଲେ ଯୁଧିଷ୍ଠିରଙ୍କରହିଁ ରାଜ୍ୟରେ ସମ୍ପୂର୍ଣ୍ଣ ଅଧିକାର ।

 

 

ବଳ

– ଭାଇ ! ଏ ବିଷୟରେ ଏତେଦୂର ତର୍କ ବିତର୍କ କରିବା ଅନୁଚିତ । ଆଚ୍ଛା, ତୁମ୍ଭେ କି କୁରୁସଭାକୁ ଯିବାର ସ୍ଥିର କରି ଦେଲଣି ?

 

 

କୃଷ୍ଣ

– ସେଥିଲାଗିହିଁ ଅନୁଜ୍ଞା ପ୍ରାର୍ଥନା କରୁଅଛି । ମୁଁ ଯେ କେବଳ ଦୂତକାର୍ଯ୍ୟରେ ଯିବି, ଏହା ନୁହେ; ମୋର ସୁଦ୍ଧା ଅନ୍ୟାନ୍ୟ ବିଷୟ ଅଛି ।

 

 

ବଳ

– ଏତଦପେକ୍ଷା ଆଉ କି ଅଧିକ ବିଷୟ ଅଛି ?

 

 

କୃଷ୍ଣ

– ବିଷୟ ଏହି କି, କୁନ୍ତୀ ଦେବୀଙ୍କି ତ ଅନେକ ଦିନ ହେଲା ଦଖି ନାହିଁ, ତାହା ଘଟିବ ଏବଂ ଭୀଷ୍ମ ଓ ବିଦୁରଙ୍କ ସହ ଧର୍ମସମ୍ୱନ୍ଧୀୟ ବିଚାର କରିବାକୁ ହେବ ।

 

 

ବଳ

– ଯାହା ହେଉ, ଏ ଯାତ୍ରାରେ ଅନର୍ଥ ବିନା ଶୁଭସୂଚନା ଲେଶ ଦେଲେ ମୋତେ ଦିଶୁ ନାହିଁ-

 

 

ସାତ୍ୟ

–ଆଚ୍ଛା, ମୁଁ ସୁଦ୍ଧା ସଙ୍ଗତରେ ଯିବ, ସଭାରେ କୌଣସି ଅନର୍ଥ ଘଟିଲେ ବିନା ପରିଶ୍ରମରେ ଯୁଧିଷ୍ଠିରଙ୍କର କାର୍ଯ୍ୟସିଦ୍ଧ ହୋଇଯିବ ।

 

 

କୃଷ୍ଣ

– ସାତ୍ୟକି ! ଏ କି କଥା ! ସେତେଦୂର ପ୍ରସଙ୍ଗ ଯିବ କାହିଁକି ?

 

 

ବଳ

– ପ୍ରଦ୍ୟୁମ୍ନ ! ତୁ ସୁଦ୍ଧା ଯିବା ଲାଗି କି ଉଦ୍ୟମ କରୁଅଛୁ ?

 

 

ପ୍ରଦ୍ୟୁ

– ତାତ ! ସମୟ ଉପସ୍ଥିତ ହେଲେ ।

 

 

ବଳ

– (ସ୍ୱଗତ) କୃଷ୍ଣ ତ ଯାଉଅଛି, ଅବଶ୍ୟ କଳହ ଲୋଡ଼ି ଆଣିବ ସନ୍ଦେହ ନାହିଁ । କଣ କରିବି-? ପ୍ରଦ୍ୟୁମ୍ନାଦିମାନେ ତ ମହାଦୁର୍ଦ୍ଦର୍ଷ, ହଠାତ୍‌ ପାଣ୍ଡବଙ୍କ ପକ୍ଷାବଲମ୍ୱନ କରିବେ, ତାହା ହେଲେ ଘୋର ଅନର୍ଥ ହେବ । (ପ୍ରକାଶ୍ୟ) ଆଚ୍ଛା ଭାଇ । ମୁଁ କିଛିଦିନ ତୀର୍ଥଯାତ୍ରା କରିବା ସଙ୍କଳ୍ପ କରିଅଛି ।

 

 

କୃଷ୍ଣ

– ଏକାକୀ ଯିବେ ?

 

 

ବଳ

– ନାହିଁ ନାହିଁ, ପ୍ରଦ୍ୟୁମ୍ନାଦିମାନଙ୍କୁ ସଙ୍ଗେ ଧରି ।

 

 

କୃଷ୍ଣ

– ଆନନ୍ଦର କଥା ।

 

 

ବଳ

– ଆଚ୍ଛା, ତୁମ୍ଭେ କେବେ ହସ୍ତିନାକୁ ଯିବ ?

 

 

କୃଷ୍ଣ

– ଅଦ୍ୟହିଁ ଯିବାର ସ୍ଥିର କରିଅଛି ।

 

 

ବଳ

– ତେବେ ତୋ ଇଚ୍ଛା, ହେଲେ ଭାଇ ! ସମସ୍ତ ବିଷୟରେ ସତର୍କ ଥିବ ।

 

 

କୃଷ୍ଣ

– ସନ୍ଦେହ କଣ ?

 

 

ବଳ

– ତେବେ ଚାଲ ଯିବା ।

 

 

କୃଷ୍ଣ

– ଯେ ଆଜ୍ଞା ।

 

 

(ସର୍ବେ ନିଷ୍କ୍ରାନ୍ତ)

ଚତୁର୍ଥାଙ୍କ ସମାପ୍ତ ।

***

 

ପଞ୍ଚମ ଅଙ୍କ

 

(ସ୍ଥାନ – ହସ୍ତିନାର କୌଣସି ପ୍ରାନ୍ତ । ନିଶାଦୋକାନରେ ସୁନା ଏକାକିନୀ ପ୍ରବେଶ କରି ଦୋକାନ ସଜାଉଥିବା)

 

ସୁନା

– ଆଃ ! ବେଳ ରତରତ ହେଉଥିଲା ଆସିଲି ଯେ, ଏବେ ଆସି ସଞ୍ଜବଇଠା ଲାଗିଗଲାଣି, ଏତେବେଳଯାଏଁ ପଡ଼ୁଖା ତୁ ପଡ଼ିଲା ନାହିଁ, କଣ କରିବି ? ନିଆଁ ଲଗାଇ ପାଇଟି ଦିନଯାକ କରି କରି ଅଣ୍ଟା ପିଠି ଢିକା ମାରିଗଲାଣି । (ମୋଡ଼ି ଭାଙ୍ଗି ହୋଇ) ଓହୋ, ଚାଖଣ୍ଡକ ପେଟପାଇଁ କେତେ ଲୋକଙ୍କୁ ବୋଲୁଛି, ମଣିମା ଗୋସାଇଁ ! ଆଜି ପଇସାଟିଏ ତ ରୋଜଗାର ହେଲା ନାହିଁ, ସଖାଳୁ ଉଠି କୋଉ କୁଉଁଳିଆମୁହାଁର ମୁହଁ ଚାହିଁ ଥିଲି ମା ମଲା, ଆଉ କିଏ ସିନା ଆସିଲେ ନାହିଁ, ସେ ଚାରିଜଣ କୁଆଡ଼େ ଗଲେ ? ସେମାନେ ସିନା ମୂଳ ମାଲିକ । ହଉ ହଉ, ଏଠାକୁ ନ ଆସି କୁଆଡ଼େ ଯିବେ ? ଏଣ୍ଡାର ଦଉଡ଼ କୁଡ଼ଯାଏ ସିନା । ସୁନାକୁ ଲୋଭ ନ କରି କିଏ ଅଛି ? (ଚାହିଁ) ହେଟି, ପେରାନ୍ନା ବାବୁ ତ ହାବୁଡ଼ି ଗଲେଣି ।

 

 

 

(ପେରାନ୍ନା ପ୍ରବେଶ)

 

 

ସୁନା

– ବାବୁ ! ଆସନ୍ତୁ ଆସନ୍ତୁ, ଏଡ଼େ ଉଛୁର କାହିଁକି ? ବାଟରେ କି କିଛି ମଉଜ ମିଳିଗଲା-? ହଁ, ଅଣ୍ଡିରା ପିଲା ତ ।

 

 

ପେରା

ମୋର ସୁନା ! ତତେ ଦଣ୍ଡେ ନ ଦେକି ଆମେ ବଣା ଓଇଯାଉଚି, ଆମ୍ଭକୁ ଇମିତି କଉଚୁ, କିଚି ଅଡ଼ୁଆରେ ପଡ଼ି ଯାଇତିବାରୁ ଏତେ ଉଚର ଏଲା ।

 

 

ସୁନା

– ବାବୁ ! ମୁଁ ଥାଉଁ ଥାଉଁ ତୁମକୁ କି ଅଡ଼ୁଆ ଗୋ ? ତୁମ ଆଉଳି ପାଉଳି ଯାଉ ।

 

 

ପେରା

– ସେ କତା ପଚେ କଇବି, ହାଜର ଏବେ ଦିଅରୁ ନିଶା ଚାଡ଼ିଯିବାରୁ ଗୋଡ଼ ଆତ ବାଗି ପଡ଼ୁଚି, ଆଗ ଯୋଡ଼ାଇ ଡ଼୍ରାମ ଦେଲୁ, ମନ୍ଦାଏ ପେଟରେ ପଡ଼ିଗଲେ ଟିକିଏ ସୁକ ଲାଗିବ-

 

 

 

(ସହସା ଜଗୁ, ରଘୁ, ବୋଡ଼ିଗା ପ୍ରବେଶ)

 

 

ପେରା

– ସାଙ୍ଗମାନେ ! ଆଜି ଏତେ ଉଚର କାଇଁକି କଲ ଏ ?

 

 

ଜଗୁ

– ସାଙ୍ଗ ! କଣ କହିବି, ଆଜ ଶ୍ରୀକୃଷ୍ଣ ଆମ ରଜାଘରକୁ କୁଣିଆ ହୋଇ ଆସିଥିବାରୁ ଦାଣ୍ଡରେ ଯୋଗହଳ ହେଲା, ବାଟମିଳିଲା କି ହେ ? ବଡ଼ କଷ୍ଟରେ ପେଲା ଠେଲା କରି ତ ଧାଇଁ ଆସୁଛି, ଦେଖୁ ନା ? ବେଡ଼ିଗା କିମିତି ସେପଟୁ ହୋଇ ଗଲେଣି ।

 

 

ସୁନା

– କି ଗୋ ! ଠିଆ ଠିଆରେ କି କଥା ଗୋ, ଟିକିଏ ବସିଯାଅନା ।

 

 

ରଘୁ

– ସୁନା ! ସତ କହିଲୁ । ହେଲେ ଭାଇ ଜଗୁ ! ମନ ଜାଣିବାକୁ ସୁନା ଜଣେଟି ।

 

 

 

(ସର୍ବେ ବସିବା)

 

 

ସୁନା

– ରଘୁ ବାବୁ ! ଆମ ହସ୍ତିନାକୁ କୃଷ୍ଣ କାହିଁକି ଆସିଛନ୍ତି ?

 

 

ରଘୁ

– ସେ ତ ଆମ ରଜାଙ୍କର ସମ୍ୱନ୍ଧୀ, ସେଥିପାଇଁ ଆସିଥିବେ ପରା ।

 

 

ବୋଡ଼ି

– ନାଇଁ ଏ, ଯୁଦିଷ୍ଟିର ପାଇଁ ପୁଣି କିସ କଇବାକୁ ଆସିଚନ୍ତି ବୋଲି ବାଟରେ କତା ଏଉଥିଲେ ।

 

 

ପେରା

– ସାଙ୍ଗ ! ଯୁଦିଷ୍ଟିର ନା ପଡ଼ିଲେ ମୁତେ ଯୋ ଛଳ ଲାଗୁଚି, ସେ ରଜା ଏଲା ବେଳେ ଓହୋ ! କି ଖାଇଦା । ଇମିତିକାର ଗମାତଯାକ ମାଟି ଓଇ ଯାଇତିଲା ନା । କଲେ ମଦ୍ୟ ଲୁଚୁପୁଚୁରେ ଦୁର୍ଯ୍ୟୋଧନ ଏକା ହସଲ ରଜା ! ଦେକ, ନିଶା ଦୁଖାନକୁ ଖର ପକାଇବାରୁ କିମିତି ନିରାଟଙ୍ଗରେ ବିକା କିଣା ଏଉଚି ।

 

 

ଜଗୁ

– ସାଙ୍ଗ ! ସତ ହେ, ସେମାନଙ୍କୁ ଦେଖିଲେ ମରଡ଼ି ଦେବତା ପରି ଲାଗୁଥାଏ । ବଣକୁ ଗଲେ ଆଛା ହେଲା । ଜାଣିକରି ଦୈବ ଘୋଡ଼ାକୁ ଶିଙ୍ଗ ଦେଇ ନାହିଁ ନା ।

 

 

ରଘୁ

– ଇମିତିକାର କୃଷ୍ଣ ପଣେ କହିଲେ ହେଲେ ଆମ ରଜା କି ଶୁଣିବା ପୁଅ ? “କୋଇଲି ଗଲା ପୁତ୍ର ବାହୁଡ଼ି ନଇଲାରେ ବାପା !” ଆଉ ହସ୍ତିନାରେ ପାଣ୍ଡବଙ୍କ ପାଦ ପଡ଼ିବାର ଏତିକି ।

 

 

ବୋଡ଼ି

– ଆଏ ! ଥଇଁରୁ କି କାଇବା, ଏ ଆମର ଗମାତ ଦେକ ।

 

 

ପେରା

– ସତ କଇଲ ! ଉଚର ଓଇଗଲାଣି, ଦିଅ ବିଗିଡ଼ି ଯିବଟି । ସୁନା ! କାଇଁ ଗୋ, ମାମୁଲୁଯାକ ଦେଉ ନାଉଁ କାଇଁକି ?

 

 

ସୁନା

– ମୋର ମାମୁଲୁ ଆଣିଚ ତ ?

 

 

ଜଗୁ

– (ଅଣ୍ଟା ଝଣ ଝଣ କରି) ଆହା ! “ମୋ ପ୍ରାଣର ସୁନା, ଏଥିପାଇଁ ଏକା ଦୁଃଖ ରୁଷଣା ।” ଆଜି ସବୁଦିନର ନିବାକି ହୋଇଯିବ ।

 

 

ରଘୁ

– (କେତେ ଖର୍ଚ୍ଚ ଦେଇ) ହେଟି, ଆଗ ମୋର ନେ ! ଦେଖ ସୁନା ! ଏ ଖର୍ଚ୍ଚ ସରିଗଲେ ମାଲ ଦେବାର ବନ୍ଦ କରିବୁ ନାହିଁଟି ।

 

 

ସୁନା

– (ହସି) ବାବୁମାନେ ! ମୁଁ ସିମିତି କହିଦେଲି ବୋଲି ମନରେ ରାଗ ଘେନିବ ନାହିଁ ଟି । ମୋ ରାଣ, ମୋ ମୁଣ୍ଡ ଖାଇଲା ପରି । ନିଆଁ ଲଗାର ପଇସାକୁ ପଚାରେ କିଏ ? ତୁମେ ଥିଲେ ମୋର ସବୁ । ହେଟି ଦେଉଚି । (ଏହା କହି ତୁଳି କଣ୍ଟି ପେରାନ୍ନା ହାତକୁ ଗ୍ଲାସ, ଜଗୁ ହାତକୁ ଆପୁ, ରଘୁ ହାତକୁ ଗଞ୍ଜାଇଚେଲମ, ବୋଡ଼ିଗା ହାତକୁ ମଦତ ହୁକା ଦେବା)

 

 

ରଘୁ

– ଆଗୋ ସୁନା ! ଛାପି କନାଟା କାହିଁ ?

 

 

ଜଗୁ

– ମୋପାଇଁ ମୁକୁନ୍ଦ ଉଖୁଡ଼ା ପୁଞ୍ଜିଏ ଥୋଇଛୁ ତ ?

 

 

ବୋଡ଼ି

– ସୁନା ! ସବୁ ଠିକ୍‌ ଏଲା ତ ? ବତିଟା କାଇଁ ଟିକିଏ ଦେକାଇ ଦେ ! ସକୁଆ କଣ୍ଡେ ପୋଡ଼ି ଦେଇ ନାଉଁ ?

 

 

ପେରା

– ସୁନା ! ମୁରପାଇଁ ମାଂସ କବାବ ଏଲା ପରା ? ବେଗେ ଆଣିଲୁ ।

 

 

ସୁନା

– ହଁ ଦେଉଚି ବାବୁ, ଏତେ ତନ୍ଦ୍ରା ପଡ଼ିଲେ ମୁଁ ଜଣେ କଣ କରିବି ? (ମାଗିବାନୁସାରେ ପଦାର୍ଥ ସମସ୍ତଙ୍କ ଆଗେ ଥୋଇବା) (ସର୍ବେ ଯଥାବିଧି ପ୍ରକାରେ ଖଇବା )

 

“ମେ ଲୈନା ସାରାଇ” ପ୍ରତିଂ ।୬।

ଆଜୀବ ନିଶାରେ ମଜ୍ଜି ଯେ ଦିନ ସାରେ,

ତା ଜୀବ ସାର ସିନା ରସାରେ, ସୁନା ବସାରେ ।ପଦ।

 

ମଦରେ ପାଣି ଭରି, ମୋଦରେ ଘଡ଼ି ଧରି, ଆଣି ମାଂସ ତର୍କାରି,

ଗମାତ କରି, ନାଗରୀ ସଙ୍ଗତେ ସାରି ଦିଏ ଶର୍ବରୀ ।୧।

 

ଗଞ୍ଜାଇ ହୁକା କରେ, ଖଜା ଥାଳି ଆଗରେ, ସଜାଇଣ ବେଗରେ

ପ୍ରତି ଯମରେ, କ୍ରମରେ ଚାରି ଦମରେ ଝୁମି ଯେ ଖରେ ।୨।

 

ଦଳି ଅଫିମ ଆଗେ, ଗୁଳିକି ବାନ୍ଧ ବେଗେ, ଗିଳିଦେଇ ସରାଗେ,

ମିଠାଦୋକାନେ ଗୋପନେ ଯାଇ ମଉନେ ଖାଇ ଯତନେ । ୩ ।

 

ଅମଳରେ ମଦତ ସମ କେହି ନୁହେ ତ, କି ମଜାରେ ମୋ ଚିତ୍ତ

କରେ ଉସତ, ନିସତ୍ତ, ଭାଙ୍ଗେ ସନ୍ତତ, ଆହେ ସଙ୍ଗାତ । ୪ ।

 

ବୋଡ଼ି

– ସାଙ୍ଗମାନେ ! ଏତିରୁ ଟିକିଏ ଦୁଆ ପଦାକୁ ବାଆରିଗଲେ ଶଏଟଙ୍କା ପାଣିରେ ପଡ଼ିଗଲାପରି ଲାଗୁଚି ତି । ଆଃ ! ନିଶାଯାକରେ ମଦତ୍ତର ବାଳୁକୁ କିଏ ସମାନ ହେବ ନାହିଁଟି । ଆହା ! “ଗିଟାପରେ ଚିଟା ଯୋଟି ଗୋଟା ଗୋଟା ବତିକି ଲଗାଇ ତହିଁ, ଜାଟୁ ଧରି କରେ ନାଡ଼ିଚା ମୁଖରେ ଟାଣିଲେ ସ୍ୱର୍ଗ ଦିଶଇ ।”

 

 

ପେରା

– ନାଇଁନି, ମଦତ୍ତ ଗ୍ୟାପ ନିଶାରେ ତୁଣ୍ଡ ମୋ ଗନ୍ଧ, ଛି ଛି !

 

 

ବୋଡ଼ି

– ନଇଲେ, ତମେ ମଦ କାଇଚ ବୋଲି ତୁଣ୍ଡୁଟା ମଲ୍ଲିଫୁଲ ପରି ବାସୁଚି ନା । ଯ ଏ, କିସ ଗୁଡ଼ାଏ କଉଚ ।

 

 

ପେରା

– କିଏ ଶୁଣିଲେ ଅସିବ ମ । ତୋ ନିଶାର ତ ପଇସାଟାକର ମୁଣ୍ଡ, କା ସାଙ୍ଗେ କାକୁ ସମାନ କରୁଚୁ, ସାନ୍ତାଣୀର ସାଙ୍ଗେ ପୋଇଲାଣୀର ବାଦ କାଇଁକି ?

 

“ପାନ କଲେ ମଦ ବାହାରଇ ପଦ ତ୍ରିଭଙ୍ଗିରେ ପଡ଼େ ପଦ,

ନ ମାନେ ବିପଦ ସରଗ ସମ୍ପଦ ତିଳେହେଁ ନ ତାଏ କେ।”

 

ରଘୁ

– ରଖ ହେ ! ତୁମେ ତିନିଶ କହିଲେ ମୁଁ ମାନିବି ନାହିଁ । ଗଞ୍ଜାଇକି କୋ ନିଶା ସମାନ ନୁହେ-। ବୈରାଗିଗୁଡ଼ାକ କଣ “ଏଡ଼େ ଉଲୁ ହୋଇଛନ୍ତି ? ଘ୍ୟାପ !”

 

“ଗଞ୍ଜାଇର ନିଶା ରଞ୍ଜାଏ ମନିସା ଜଞ୍ଜାଳ ନ ରଖେ ଧାନେ,

ଖଜା ଖାଉଥିଲେ ମଜା ବଢୁଥାଏ ରଜାକୁ ହେଲେ ନ ମାନେ ।”

 

ଜଗୁ

– ଆହେ ! ଭଡ଼ ଭଡ଼ କାହିଁକି ହେ ! ତୁମର ସବୁ ନିଶାରେ ଦୋଷ ଅଛି, କାହିଁ, ଆପୁର ଗୋଟିଏ ଖୁଣ କାଢ଼ ତି । ଦେଶର ବଡ଼ ବଡ଼ ଲୋକ ଏହା ଖାନ୍ତି ।

 

ଆପୁରେ ଧାପ ବଢ଼େ ଅମାପ ସଦା ଚେତା ରଖିଥାଏ,

ବୁଜାଇ ଆଖି ହଜାର ଆଖି ରଜାର ସମ କରାଏ ।

 

କିଏ ପୋଚକା ତୋରାଣି ମନ୍ଦେ, କିଏ ଗଞ୍ଜାଇ କଲି ଖଣ୍ଡେ, କିଏ ମୁଁ ଖାଇବା ଆପୁକୁ ତତଲା ପାଣିରେ ଫୁଟାଇ ଜାମୁପତ୍ରଟାଏ ପକାଇ ଖାଇ କେତେ କଥା କହୁଚନ୍ତି !

 

ପେରା

– (କ୍ରୋଧରେ) ଜଗୁ ! ତୁର ମତି ପଢ଼ି ଗଲା କି ? ସାନ ତୁଣ୍ଡରେ ବଡ଼ କତା କଉଚୁ, ଜାଣିବୁ ଟି ।

 

 

ବୋଡ଼ି

– (କ୍ରୋଧରେ) ମଇଦାଚୁନା ମିଶା ଆପୁ ଟେଳେଇ ପକାଇ କେଡ଼େ ଚାତର କଉଚୁ ?

 

 

ରଘୁ

– (କ୍ରୋଧରେ) ହଇ ହେ ସାଙ୍ଗ ! ଇମିତିକା ଲୋକକୁ କିସ କରିବ ? ହୁଁ, ଯା ଯା, ତୋର ଭଲ ଦଶା ।

 

 

ସୁନା

– ବାବୁମାନେ ! ତୁଚ୍ଛା ତୁଣ୍ଡହଟା କାହିଁକି ? ଯା ହାତରେ ସେ ତିନି ହାତ ଚାଖଣ୍ଡେ । ହେଲେ ମୁଁ ଗୋଟିଏ କଥା କହିବି, ଶୁଣିବ ନା ?

 

 

ପେରା

– ହଁ, ହସଲ କଇଲୁ, ତୁ ତୁ ତୁ ଏକା କ ।

 

 

ବୋଡ଼ି

-ସିମିତିକା ଏକା ।

 

 

ସୁନା

– ଚଳିବ ନାହିଁ ଟି ?

 

 

ରଘୁ

– ମୋ ସୁନା ! ତତେ ଚଳି ମୁଁ କୋ ସମୁଦ୍ରରେ ପଶିବି ? କାହିଁ ଆଉ ଚେଲମଟିଏ ।

 

ସୁନା – ପ୍ରଥମେ ଶୁକ ଦ୍ୱିତୀୟେ ପିକ ପରି କରେ ବକ ବକ,

ତୃତୀୟେ ବକ ସମାନେ ମୂକ କରି ହଜାଏ ବିବେକ ।

ତହୁଁ ମର୍କଟ ପରି ନିପଟ ଚଞ୍ଚଳ କରଇ ମନ,

ତଦନ୍ତେ ଟାଣ କରେ ବଖାଣ ରାବଣ ପରାଏ ଘେନ ।

ତା ପରେ କର୍ଣ୍ଣ ମାପରେ ଦାନ ଅମାପେ କରାଇଦିଏ,

ପରିଶେଷକୁ ବରି ନିଦ୍ରାକୁ କୁମ୍ଭକର୍ଣ୍ଣ ପରି ଶୁଏ ।

 

ପେରା

– ସତ ସତ ସତ ।

 

 

ବୋଡ଼ି

– ଏଲେ ମୁଁ କୋକିଳ ପରି ।

 

 

ରଘୁ

- ମୁଁ ରାବଣ ପରି ହେବି, ପକ୍ଷିଟାଏ ହେବାକୁ କି ଲୋଡ଼ା ?

 

 

ପେରା

– ତୁମେ କିଏ କିସ ହୁଅ ପଚେନି, ମୁଁ କର୍ଣ୍ଣ ପରି ।

 

 

ଜଗୁ

– ଆଉ ମୁଁ ?

 

 

ବୋଡ଼ି

– ତୁ ? ବଗ ପରି ।

 

 

ଜଗୁ

– ତୁ ମାଛ ଶୁକୁଆ ଖାଉଚୁ, ତୁ ବଗ ନା, ମୁଁ ବଗ ? ଯା, ମୁଁ ଆଉ ଗୋଟିଏ କିସ ହେବି ।

 

 

ସୁନା

– ବାବୁମାନେ ! ତୁମେ କିଏ କିସ ପଛେ ହୁଅନି, କର୍ଣ୍ଣ ହେବା ବାବୁ ଏକା ମୋର ମୂଳ ।

 

 

ପେରା

– ସୁନା ବେଶ୍‌ ଚିନିଲା, ମୁଁ କର୍ଣ୍ଣ, ମୁଁ କର୍ଣ୍ଣ । (ସମସ୍ତ ଖର୍ଚ୍ଚ ସୁନାକୁ ଦେଇ ପକାଇବା)

 

 

ସୁନା

– (ଜାଗ୍ରତରେ ରଖି) ଦେବାକୁ କିଏ ପଣେ ହେଲେ କି, ପେରାନ୍ନୀ ବାବୁ ଜଣେ କି ।

 

 

ରଘୁ

– (କ୍ରୋଧରେ) ସୁନା ! ଶୁଣିଲୁ କି ? ଆମ ଆଗରେ ପେରାନ୍ନାକୁ ପରଶଂସା କଲେ ଚଳିବ ନାହିଁ ତି । ତୁଳସୀପତ୍ରରେ କି ସାନ ବଡ଼ ? ମୁଁ ରାବଣଟି, ହଁ ।

 

 

ବୋଡ଼ି

– ରଘୁ ! ସୀତାକୁ ରାବଣ ନେଲା ପରି ସୁନାକୁ କି ନେଇ ଯିବୁ ?

 

 

ପେରା

– ମୁଁ ମୁଁ ମୁଁ ରାମ ପରି ଠୋ କରି ମୁଣ୍ଡ ଛିଣ୍ଡାଇ ଦେବି ନାହିଁ ?

 

 

 

(ଏ ଅବସରରେ ଜଗୁ ଅଣ୍ଟାରୁ ସୁନା ପଇସା କାଢ଼ି ନେବା)

 

 

ବୋଡ଼ି

– ସାଙ୍ଗମାନେ ! ଏମିତି ମାଡ଼ଗୁଳରେ ମୋ ଦିଅରୁ ନିଶାଟା ପଟ୍‌ କରି ଚାଡ଼ିଗଲାଟି !

 

 

ରଘୁ

– ସୁନା ! ଏ ଜରିପାଛୁଡ଼ିଟା ବନ୍ଧା ରଖି ମତେ ମାସେ କାଳ ତୁ ଚଳାଉଥା । (ଦେବା)

 

 

ସୁନା

– (ଧରି) କି ଗୋ ! କପାସିଆଁ ଛମାସିଆ, ଏ ଖଣ୍ଡକୁ ଏତେ ଦିନ ?

 

 

ଜଗୁ

– (ଅଣ୍ଟା ଦେଖି) ଏ, ମୋ ପଇସାଗୁଡ଼ାକ କିଏ ନେଇଗଲା, କିଏ ନେଇଗଲା

 

 

ସୁନା

– ବାବୁ ! ତୁମ୍ଭମାନଙ୍କର ଏ ସ୍ୱଭାବ ଜାଣି ମୁଁ ଦୋକାନ ଏତେବେଳଯାଏଁ ରଖି ନ ଥିଲିତି । ମୁଗ ବାରିରେ ହଜାଇ ପଇତି ଗିନାରେ ଖୋଜିଲା ପରି ଏ କି କଥା ଗୋ ?

 

 

ପେରା

–ସୁନା କଇବାର ଠିକ୍‌, ଆହେ ହଜିଲାଣି ତ ହଜିଲାଣି, ଏତେ ଗୋଳମାଳ କାଇଁକି ? ଆଉ ତରେ ତରେ ଲେଖା ନ ଚଡ଼ାଇଲେ ଜିଇଁବା ନାହିଁତି ।

 

 

ସୁନା

– ବାବୁମାନେ ! ତୁଛାକୁ ତୁଛା ତୁଛା କାଞ୍ଜିପାଣି ମନମୁରୁଛା । ଖାଲି ଲାଳରେ ପିଠା ଭାଜିଲେ ହେବ ? ଦାମ ଦେଲେ ସିନା କାମ ଚଳିବ ।

 

 

ବୋଡ଼ି

– କି ଗୋ ସୁନା ! ଦିନକର ଲୋକ ପରି ମୁଁଅକୁ ନ ଅନେଇଁ କେଡ଼େ କଥା କଇଲୁ ।

 

 

ସୁନା

– (ସ୍ୱଗତ) ନ ଦେବି ଏକାଥରେ ତୋଟି ଚିପିଦେବେ । ମୁଁ ଗୋଟିଏ ମାଇକିନା, ଏ ନିର୍ମୂଳିଆଙ୍କୁ କି ପାରିବି ? ଆଉ ଥରେ ଥରେ ଦେଇ କିମିତି ହେଲେ ପଠାଇ ଦେଲେ ଏକା ମୋ ମହତ ରହିବ । (ପ୍ରକାଶ୍ୟ) ବାବୁମାନେ ! ଅନେକ ରାତି ହେଲାଣି, ଟିକିଏ ଟିକିଏ ନେଇ ବାହାରି ଯିବତି ?

 

 

ପେରା

– ମୁଁ ନ ଗଲେ ମୋ ବାପାରାଣ ।

 

 

ବୋଡ଼ି

- ଦେଖ ସୁନା ! ମୁଁ ନଗଲେ ଗଙ୍ଗାରେ ଗାଈ ମାଇଲାପରି ।

 

 

ଜଗୁ

– ମୁଁ ନ ଗଲେ ତୋ ଗୋଡ଼ଧୁଆ ପାଣି ମାଇଲା ପରି ।

 

 

ରଘୁ

– ମୁଁ ନ ଗଲେ ଅହିନରକରେ ରହିଲା ପରି ।

 

 

ସୁନା

– ତେବେ ବେଇଗି ନିଅ । (ସମସ୍ତଙ୍କୁ ପୂର୍ବପ୍ରକାରେ ଦେବା, ସମସ୍ତେ ଖାଇ ଝୁମି ରହିବା)

 

 

ପେରା

– ସା ସା ସାଙ୍ଗମାନେ ! ସୁ ସୁ ସୁନାର ମୁହଁଟା ପୁନେଇ ଜନ ପରିଟି ?

 

 

ରଘୁ

– ସାଙ୍ଗ ! ଥନୁଟାମାନେ ମଧ୍ୟ ବାଣ ନଡ଼ିଆ ପରି ନା ?

 

 

ବୋଡ଼ି

– ଆଉ ଓଟୁଟା ପାକଲା ତୋରଡ଼ା ପରି ଓଇ ନାଇଁ ?

 

 

ଜଗୁ

– ଆଉ ଦାନ୍ତଗୁଡ଼ିକ ମୁଗ ପରି । ସତ ନା ମିଛ ?

 

 

ସୁନା

– ବାବୁମାନେ ! ଏଣିକି ଯାନ୍ତୁ, ମୁଁ ପସରା ଉଠାଇ ଦେବି ।

 

 

ପେରା

– ସୁ ସୁ ସୁନା, ମୁଁ କେତେଠି ଖାଇଚିନି, ତୁରଂ ମଦ ସାଙ୍ଗେ ଲାଉଣିକି ପଡ଼ିବେ କି ? ଆମର ବାପା ଅଜାଠଉ କାଇତିବେ କି ?

 

 

ବୋଡ଼ି

– ତୁ ତରେ ଗୀତଟିଏ ଗାଇଲୁ ।

 

 

ଜଗୁ

– ଆ ! ମଝିରେ ବସି ଗାଇଲେ ଭଲ ହେବ ।

 

 

ରଘୁ

– ଥ ! ମୁଁ ଘେନି ଆସୁଛି । (ଉଠି ଝିଙ୍କିବା)

 

 

ସୁନା

– (ସ୍ୱଗତ) ନ ଯିବି, ଏ ରଗଡ଼େ ନେଲା ପରିଯନ୍ତେ କଣ୍ଟ କରିବେ, ଶେଷରେ ଦୋକାନ ଜୁରିଦେବେ, ହେଉ । (ଭିତରେ ଯାଇ ବସିବା) ବାବୁମାନେ । କି ଗୀତ ଗାଇବି, ମାଦଳ ତ ନାହିଁ ।

 

 

ଜଗୁ

– ଆମେ ହାତରେ ତାଳ ପକାଇବୁଁ ।

 

 

ପେରା

– ସତ ସତ ସତ ।

 

 

 

 

ସୁନା – ଗୀତ –

 

“ସତ କରି କହ ମାଧବ” ପ୍ରତି । ୮ ।

କହ ମତେ ନବନାଗର, କାଲି କାହା ଘରେ କଲ ଜାଗର । ପଦ ।

 

କେ କଟାକ୍ଷ ନୂଆ କାମ ଶାଣଦିଆ

କାତି ମାରି କଲା କାତର । ୧ ।

 

କଲ ସଜ ଫୁଟା ଯୁବାଭୃଙ୍ଗ କଟା

ଜବା ପରି କି ତା ଅଧର । ୨ ।

 

ସତେ କି ସେ ବାଳା ରତେ ମାତି ହେଲା

ହାତା ମନ୍ଥା ପଦ୍ମ ପ୍ରକାର । ୩ ।

 

କାମ ସାରି ଦେଇ ଆସିଛ ଯେ ଧାଇଁ

ଘେନିବାକୁ ମନ ମୋହର । ୪ ।

 

ସର୍ବେ

– (ନିଶା ବିହ୍ୱଳରେ ତାଳ ପକାଇବା)

 

 

ପେରା

– ବାଃ ବାଃ ବାଃ !

 

 

ବୋଡ଼ି

– ବୀଣା ପରି ଶୁବୁଚି ନା ?

 

 

ପେରା

–ସୁ ସୁ ସୁନା ! ମୁ ମୁ ମୁ ଏଠି ଏକା ଶୁଇ ପଡ଼ିବି ।

 

 

ଜଗୁ

– ମୁଁ ମ ମଧ୍ୟ ଏଠି ଏକା ।

 

 

ବୋଡ଼ି

– ଏକେ ମୁଁ ସୁନା ପାକରେ ଏକା ଶୁଇବି ।

 

 

ରଘୁ

– ନାହିଁ ନାହିଁ, ମୁଁ ଏକା ପାଖରେ ।

 

 

ସୁନା

– (ସ୍ୱଗତ) ଏବେ କଣକରିବି ? ଏ ରଇଜଳେ ତ ଏଠାରୁ ଗଲା ପରି ଦିଶୁ ନାହିଁ-। ହଉ ହଉ, ଗୋଟେ ଉପାୟ ଭିଆଣ କରିବି । (ପ୍ରକାଶ୍ୟ) ବାବୁମାନେ ! ଥ ଥ, କିସ ଘୁଲୁ ଶୁଭୁଛି-? (ସର୍ବେ ଚମକି ହିବା) ଓହୋ, କେଡ଼େ କଥା ହେଲା ।

 

 

 

ବାବୁମାନେ, ଧଁ ଧଁ, କୃଷ୍ଣକୁ ଆଣିବା ପଟୁଆରରେ ବାଣ ପୋଡ଼ିବାରୁ ତୁମ ସାଇରେ ନିଆଁ ଲାଗିଲା ।

 

 

ସର୍ବେ

– (ପଡ଼ି ଉଠି) କାହିଁ କାହିଁ ? (କହି ନିଷ୍କ୍ରାନ୍ତ)

 

 

ସୁନା

– (ହସି) ଓହୋ ! ଉଶ୍ୱାସ ହେଲି, ଏ ରାଣ୍ଡର ପିଲେ କୁଆବୁଆ କରି ପକାଇଲେ । ବେଇଗି ପସରା ଟେକି ଦେବି, କିଜାଣି ଆଉ ଥରେ ଆସି ପାରନ୍ତି ।

 

 

 

(ପସରା ଟେକି ନିଷ୍କ୍ରାନ୍ତ)

 

 

 

(ସ୍ଥାନ – ହସ୍ତିନାର କୁରୁରାଜ ସଭା । ଧୃତରାଷ୍ଟ୍ର, ଭୀଷ୍ମ, ଦ୍ରୋଣ, ଦୁର୍ଯ୍ୟୋଧନ, କର୍ଣ୍ଣ, ଶକୁନି, ଦୁଃଶାସନ, ନାରଦ, ବେଦବ୍ୟାସ, ମାର୍କଣ୍ଡେୟ ଆସୀନ )

 

 

ଧୃତ

– କୁମାର ! ନମ୍ରତାର ସମ୍ମୁଖରେ ଉତ୍କୋଷ ଅସିର ତୀକ୍ଷ୍ଣ ଧାର ନବନୀତମୃଦୁଳ ଓ ଚିରନ୍ତନ ବଦ୍ଧ ବୈରର ଦୃଢ଼ ଗ୍ରନ୍ଥି ସୁଦ୍ଧା ଶିଥିଳ ହେବ ବୋଲି ମନେ କର । ତୁ ଏ ତାମସ ଔଦ୍ଧତ୍ୟ ପରିତ୍ୟାଗ କରି ସରଳ ପରିଚର୍ଯ୍ୟାଦ୍ୱାରା ଯଦ୍ୟପି ଶ୍ରୀକୃଷ୍ଣଙ୍କୁ ସନ୍ତୁଷ୍ଟ କରି ପାରିବୁ, ତାହା ହେଲେ ଅବଶ୍ୟ ସେ ତୋ ପକ୍ଷାଲମ୍ୱନ କରିବେ ।

 

 

ଦୁର୍ଯୋ

– ତାତ ! କୃଷ୍ଣଙ୍କର କୁଟିଳ ସ୍ୱଭାବ ତୁମ୍ଭେ ଅଦ୍ୟାପି କି ବୁଝି ନାହଁ ? ମୁଁ ସାରଲ୍ୟ ଦେଖାଇଲେ ଦୁର୍ଯ୍ୟୋଧନ ଭୟତ୍ରସ୍ତ ହେଲା ବୋଲି ସେ ସର୍ବତ୍ର ଉଦ୍‌ଘୋଷିତ କରିବେ ।

 

 

ଶକୁ

– ଦୁର୍ଯ୍ୟୋଧନ ମହାରାଜ ! ଧୃତରାଷ୍ଟ୍ର କହିବାର ପକ୍ଷାବଲମ୍ବନ କରିବେ ବାକ୍ୟର ବିପରୀତ ଅନ୍ୱୟହିଁ କୃଷ୍ଣ ପାଳନ କରିବେ ।

 

 

ଭୀଷ୍ମ

– ଦୁର୍ବୁଦ୍ଧି ଶକୁନି ! ଏହି ପବିତ୍ର ଗୋଷ୍ଠୀରେ ସୁଦ୍ଧା ସେହି ନୀଚ ବାଗ୍ମିତା ।

 

 

ନାର

– (ସ୍ୱଗତ) ସମ୍ପ୍ରତି ମୁଁ କୃଷ୍ଣଙ୍କ ଆନ୍ତରିକ ଅଭିପ୍ରାୟକୁ ସମର୍ଥନ କରିବାକୁ ଚେଷ୍ଟା କରିବି-। (ପ୍ରକାଶ୍ୟ) ଭୀଷ୍ମ ମହାଶୟ ! ଶକୁନି ତ ପ୍ରକୃତ କହିଅଛନ୍ତି, ତାହାଙ୍କୁ ଭର୍ତ୍ସନା କି ହେତୁ କରୁଅଛ ? ଆଚ୍ଛା, ପ୍ରଥମରେ ଦୁର୍ଯ୍ୟୋଧନଙ୍କ କେଉଁ ଅପରାଧ ଦେଖି କୃଷ୍ଣ ବିଦୁର ଗୃହରେ ଆତିଥ୍ୟ ଗ୍ରହଣ କଲେ ? ଏହା କି ବାନ୍ଧବୋଚିତ ବ୍ୟବହାର ?

 

 

ଦୁଃଶା

– ନାରଦ ମହର୍ଷେ ! କୃଷ୍ଣ ତ ଆଭୀରଗୃହରେ ବର୍ଦ୍ଧିତ ହୋଇଅଛନ୍ତି, ନିଗୂଢ଼ ରାଜମର୍ଯ୍ୟାଦା କିପରି ବୁଝିବେ ?

 

 

କର୍ଣ୍ଣ

– “ସର୍ବଭକ୍ଷ ହୁତାଶନ” ପରି ତାହାଙ୍କର ସମସ୍ତ ବ୍ୟବହାର ତ ସ୍ୱଭାବସିଦ୍ଧ ହୋଇଗଲାଣି ।

 

 

ବେଦବ୍ୟାସ

– ଦେବର୍ଷେ ! “ମର୍କଟୋ ମଦିରାମତ୍ତଃ ବୃଶିକେନାପି ଦଂଶିତଃ । ତତ୍ରାପି ଭୂତସଂବେଶଃ କିଂ ଚାପଲ୍ୟମତଃପରଂ ।” ସ୍ୱଭାବତଃ ଦୁର୍ଯୋଧନାଦିମାନେ ତ ଉନ୍ନତ୍ତ ବ୍ୟକ୍ତି, ତହିଁ ପରେ ଆପଣ ଯଦ୍ୟପି ଛଳୋକ୍ତିଦ୍ୱାରା ଏପରି ଉତ୍ତେଜନା କରିବେ, ପରିଶେଷରେ ଘୋର ଅଶାନ୍ତିର ସମ୍ଭାବନା ।

 

 

ମାର୍କଣ୍ଡେ

– ଆଚ୍ଛା, ସେ କଥା ଥାଉ । ଦୁର୍ଯ୍ୟୋଧନ ! ଶ୍ରୀକୃଷ୍ଣଙ୍କ ସମାଗମନ ଉଦ୍ଦେଶ୍ୟ ଅନୁସନ୍ଧାନ କରିଅଛ ତ ?

 

 

ଦୁର୍ଯୋ

– ମାର୍କଣ୍ଡେୟ ମହାଭାଗ । ପାଣ୍ଡବମାନଙ୍କର ଅଜ୍ଞାବହ ଭୃତ୍ୟକାର୍ଯ୍ୟ ବିନା ଅନ୍ୟ କଣ ଥିବ ?

 

 

ସଞ୍ଜ

– ଦୁର୍ଯ୍ୟୋଧନ ମହାଭାଗ ! ଏହିପରି ବିଶିଷ୍ଟ ସମାଜରେ କୃଷ୍ଣଙ୍କ ଶ୍ମାଘନୀୟ ମନୋରଥ କଣ ସୁମୀମାଂସିତ ହୋଇ ପାରିବ ନାହିଁ ?

 

 

ଦ୍ରୋଣ

– କୁରୁକୁଳ ପ୍ରତି ଦୈବ ସୁମୁଖ ହୋଇଥିଲେ ।

 

 

ଦୁର୍ଯୋ

– ଆଚାର୍ଯ୍ୟ ! ସର୍ବଶଙ୍କୀ ବୃଦ୍ଧ ପ୍ରଳାପ ବିଭୀଷିକାଦ୍ୱାରା ମୁଁ କି ବିଚଳିତ ହେବା ପାତ୍ର ମନେ କରିଅଛ ? ଧନୁରେ ସିଦ୍ଧ ହେବା କଥାକୁ ମନୁରେ ଉଲ୍ଲିଖିତ ଦୃଷ୍ଟାନ୍ତ ଆବୃତ୍ତ କଲେ ତାହା କଣ କାର୍ଯ୍ୟକାରୀ ହୋଇ ପାରେ ?

 

 

ଭୀଷ୍ମ

– ଅଜ୍ଞ ଦୁର୍ଯ୍ୟୋଧନ ! ଏ କି ନୀଚ ଦୁରାଗ୍ରହ ? ଗୋଗ୍ରହବିଗ୍ରହ ବେଳେ ଧନୁର୍ବିଦ୍ୟାର ମନ୍ତ୍ର କି ମନରୁ ଅନ୍ତର ହୋଇ ଯାଇଥିଲା ?

 

 

ବେଦ

– ଦୁର୍ଯ୍ୟୋଧନ ! ଶିଷ୍ଟାଚାରୋଲ୍ଲଂଘନ କରି ବୃଦ୍ଧମାନଙ୍କ ପ୍ରତି ଏ ଆକ୍ଷେପ ? ଘଟନାଚକ୍ରରେ ସିଂହାସନୋପଲବ୍ଧି ହେଲା ବୋଲି ତାହାର ଅପବ୍ୟବହାର କରିବା କି ଦୂଷଣୀୟ ବିଷୟ ନୁହେ ? ତୋର ନୀଚ ଦୁରୁଦ୍ଦେଶରୁ କୋଟିସଂଖ୍ୟକ ବୀରବଂଶର ଲୁପ୍ତପିଣ୍ଡୋଦକ କ୍ରିୟା ସାଧିତ ହେବାଟା କି କୌତୁକ ମନେ କରିଅଛୁ ?

 

 

 

(ସହସା ଦ୍ୱାସ୍ଥ ପ୍ରବେଶ)

 

 

ଦ୍ୱାସ୍ଥ

– ଜୟ ଜୟ ମହାରାଜ ! ସାତ୍ୟକି ଓ ବିଦୁରଙ୍କ ସହ ଶ୍ରୀକୃଷ୍ଣ ଆସୁଅଛନ୍ତି । (ନିଷ୍କ୍ରାନ୍ତ)

 

 

ଧୃତ

– କୁମାର ! ଶୀଘ୍ର ଯାଇ ଶ୍ରୀକୃଷ୍ଣଙ୍କୁ ଆଦରର ସହିତ ଘେନି ଆସ ।

 

 

ଦୁର୍ଯୋ

– ଯେ ଆଜ୍ଞା । (କିଛିଦୂର ଯିବା, ବିଦୁର ସାତ୍ୟକି ଦତ୍ତହସ୍ତା ବଳମ୍ୱନ ଯଥାନିର୍ଦିଷ୍ଟ ଶ୍ରୀକୃଷ୍ଣ ପ୍ରବେଶ । ସର୍ବେ ଉଠି ଯଥୋଚିତ ମାନ୍ୟ କରି ଦୁର୍ଯ୍ୟୋଧନପ୍ରଦତ୍ତ ଆସନରେ ବସିବା ।)

 

 

କୃଷ୍ଣ

– (ଚତୁର୍ଦିଗ ନିରୀକ୍ଷଣ କରି) ପୂଜ୍ୟପାଦ ମହର୍ଷିବୃନ୍ଦ ! ଆପଣମାନେ ସୁଦ୍ଧା ଏଠାରେ ଉପସ୍ଥିତ ଅଛନ୍ତି ?

 

 

ମାର୍କ

– ପୁଣ୍ୟଶ୍ଳୋକ ଶ୍ରୀକୃଷ୍ଣ ମହାଭାଗ ! ଆଧାର ବିନା ଆଧେୟର ସ୍ୱତନ୍ତ୍ରାବସ୍ଥାନ କି ସମ୍ଭବପର ଅଟେ ଏବଂ ଆପଣଙ୍କର ନିରବଦ୍ୟ ପ୍ରସ୍ତାବକୁ ଭୀଷ୍ମାଦି ସ୍ଥିରପ୍ରଜ୍ଞ ପ୍ରାଜ୍ଞମାନେ କିପରି ଅନୁମୋଦନ କରିବେ, ତାହା ଶୁଣିବାଟା କି ଆନନ୍ଦର ବିଷୟ ନୁହେ-?

 

 

କୃଷ୍ଣ

– ତେବେ ମୁଁ ଅନୁଗୃହୀତ ହେଲି ।

 

ଅଭ୍ୟର୍ଥନା ସଙ୍ଗୀତ

 

ଶୁଦ୍ଧ ବଙ୍ଗଳା, ଏକତାଳ । “ ଭବାନି ଭକ୍ତପୋଷିଣି “ ପ୍ରତି ।୯।

ମୁରାରି ରୂପସାଗରୀ ଗୋପନାଗରୀ ତାପନିବାରି ।

ଗୋଚାରି, ଶ୍ରୀଧାରି, ଶ୍ରୀଶୌରୀ ।ପଦ।

 

ପଦନତଜନକଦନଦହନ ମଦନମୋହନ ମୁରାରି ।

ସରବମାନ୍ୟ ବରବଦାନ୍ୟ ଗରବଶୂନ୍ୟ । ମୁ ।୧।

 

ବିମଳଚରିତ କମଳଜନୁତ କମଳଶାୟିତ । ମୁ ।

ଶ୍ୟାମଳଗାତ୍ର କୋମଳଗୋତ୍ର କମଳନେତ୍ର ।ମୁ।୨।

 

ଅରିଦରକର ଅରିଦରକର ଅରିନ୍ଦମବର ।ମୁ ।

କରୁଣାଧାର ସୁରସାଗାର ହର ଭୂଭାର ।୩।

 

ହେ ନନ୍ଦନନ୍ଦନ ଜନଆନନ୍ଦନ ଘେନ ଏ ବନ୍ଦନ ।ମୁ।

ନିଜଭରଣ୍ୟ ବ୍ରଜଶରଣ୍ୟ ବ୍ରଜବରେଣ୍ୟ ।ମୁ।୪।

 

ଧୃତ

– ଶ୍ରୀକୃଷ୍ଣ ମହାଭାଗ ! ଆପଣଙ୍କ ପୁଣ୍ୟସମାଗମରୁ ମୁଁ ଆଜନ୍ମ ଅନ୍ଧ ହେଲେ ସୁଦ୍ଧା ଯେଉଁ ଆନନ୍ଦାନୁଭବ କରୁଅଛି, ତାହା ବର୍ଣ୍ଣନାତୀତ । ଆହା ! ଆଜି ଚକ୍ଷୁ ଷ୍ମାନ୍‌ ମାନେ କି ସୁଖାନୁଭବ କରୁଥିବେ ।

 

 

ନାର

– ସନ୍ଦେହ କଣ ? “ସତାଂ ସଭିଃ ସଙ୍ଗଃ କଥମପି ହି ପୁଣ୍ୟେନ ଭବତି-। “ଅବଶ୍ୟ ଆପଣଙ୍କୁ ସୁଦ୍ଧା ପୁଣ୍ୟବାନ୍‌ କହିବାକୁ ହେବ ।

 

 

ଦୁର୍ଯୋ

– ଦ୍ୱାରକାନାଥ ! ବିଦୁରଙ୍କ ଗୃହରେ ଅନ୍ୟ କୌଣସି ଅସୁବିଧା ଘଟି ନାହିଁ ତ ?

 

 

କୃଷ୍ଣ

– (ହସି) ପ୍ରମାଦମେଦୁର ସ୍ଥାନାପେକ୍ଷା ପ୍ରମୋଦପ୍ରଦାବାସ ବିଲକ୍ଷଣ ସୌଖ୍ୟବର୍ଦ୍ଧକ ନୁହେ କି ?

 

 

ଧୃତ

– ଶ୍ରୀକୃଷ୍ଣ ମହାଭାଗ ! ଉଗ୍ରସେନ ବଳରାମଙ୍କ ସହ ଯଦୁବୀରମାନେ ଆନନ୍ଦରେ ଅଛନ୍ତି ତ-?

 

 

କୃଷ୍ଣ

– ହଁ, ପାଣ୍ଡବମାନଙ୍କର ଅଭ୍ୟୁଦୟ ମହୋତ୍ସବ ଦର୍ଶନାବଧି ।

 

 

ଦୁର୍ଯୋ

– ବୋଧ ହୁଏ, ତତ୍‌ପୁର୍ବରୁ ନିରାନନ୍ଦ ଥିଲେ ପରା ?

 

 

କୃଷ୍ଣ

– ଦୁଃଖର ବିଷୟ , ଆପଣ କି ଅଦ୍ୟାପି ବୁଝି ନ ଥିଲେ ?

 

 

ଧୃତ

– ଶ୍ରୀକୃଷ୍ଣ ମହାଭାଗ ! ମୋର ଭ୍ରାତୁଷ୍ପୁତ୍ର ଧ।ର୍ମିକ ଯୁଧିଷ୍ଠିରାଦି କିପରି ଅଛନ୍ତି ?

 

 

କୃଷ୍ଣ

– ଆପଣଙ୍କ ଅନୁଗ୍ରହାନୁରୂପ ।

 

 

ବ୍ୟାସ

- ଆପଣ ସେମାନଙ୍କ ବିଷୟରେ କିଛି କହିବାକୁ ଆସିନାହାଁନ୍ତି କ?

 

 

କୃଷ୍ଣ

– ହଁ, ମାନ୍ୟବର ଧୃତରାଷ୍ଟ୍ର ମହାରାଜ ! ବନବାସକ୍ଲିଷ୍ଟ ଉଦ୍ଦୀପ୍ତମନ୍ୟୁ ଅନୁଲ୍ଲଂଘିତମର୍ଯାଦ, ଧର୍ମମାର୍ଗାନୁଗ, ଭ୍ରଷ୍ଟରାଜ୍ୟ, ନିୟମାପେକ୍ଷୀ ମହାରାଜ ଅଜାତଶତ୍ରୁ ପ୍ରଥମରେ ଭବତ୍‌ପ୍ରମୁଖ କୁରୁବୃଦ୍ଧମାନଙ୍କ ଚରଣରେ ପ୍ରଣାମ ପୂର୍ବକ ଏପରି କହିଅଛନ୍ତି କି, “ବନବାସପୂର୍ବକୃତ ନିୟମାନୁରୂପ ଦୁର୍ଯ୍ୟୋଧନ ଆମ୍ଭର ଦ୍ୟୁତାପହୁତ ରାଜ୍ୟକୁ ପ୍ରଦାନ କଲେ ମୁଁ ତାହାଙ୍କର ସମସ୍ତ ଅପରାଧ ଅବଶ୍ୟ କ୍ଷମା କରିବି ।“

 

 

ଦୁର୍ଯୋ

– (ହସି) ସଖେ ଅଙ୍ଗରାଜ ! ପ୍ରଥମରେ କ୍ଷମା ନ ଥାଇ କ୍ଷମା କରିବା କି ହାସ୍ୟାସ୍ପଦ !

 

 

କୃଷ୍ଣ

– କୁରୁରାଜ ! କ୍ଷମା ସତ୍ତ୍ୱେ କ୍ଷମାର ଅପବ୍ୟବହାର କରିବା ତତୋଽଧିକ ହାସ୍ୟାସ୍ପଦ ନୁହେ କି ?

 

 

ଦୁର୍ଯୋ

– ତେବେ ତୁମ୍ଭ ଅଭିପ୍ରାୟ କଣ ?

 

 

କୃଷ୍ଣ

- ମୋହର ଅଭିପ୍ରାୟ ଏହି କି, ଯାବତ୍ପର୍ଯ୍ୟନ୍ତ ଧର୍ମାବତାର ଯୁଧିଷ୍ଠିର ମହାରାଜାଙ୍କର ଅପ୍ରତିହତ କ୍ରୋଧାନଳ ରଣସ୍ଥଳକୁ ନରକଙ୍କାଳଶର୍କରିଳ, ଯମୁନାସଲିଳକୁ ବୀରରକ୍ତାବିଳ, ବିପକ୍ଷବନିତାଗଣ୍ଡସ୍ଥଳକୁ ଅଞ୍ଜନବାରିପଙ୍କିଳ, କୁରୁକୁଳକୁ ନିର୍ମୂଳ ଓ ଧୃତରାଷ୍ଟ୍ରଙ୍କୁ ପୁତ୍ରଶୋକାକୁଳ କରି ନାହିଁ, ତାବତ୍ପର୍ଯ୍ୟନ୍ତ ପାଣ୍ଡବମାନଙ୍କ ପିତ୍ରାର୍ଜିତ ରାଜ୍ୟକୁ ଆଦରର ସହିତ ପ୍ରଦାନ କର ।

 

 

ଦୁର୍ଯୋ

– ତୁମ୍ଭ କଥାରେ ?

 

 

କୃଷ୍ଣ

– ଅବଶ୍ୟ, ମୁଁ କି ପରଂଅଟେ ?

 

 

ଦୁର୍ଯୋ

–ପରମ ପର ବୋଲି କହ ।

 

 

କୃଷ୍ଣ

– (ହସି) ଦୁର୍ଯ୍ୟୋଧନ ! ସମ୍ୱନ୍ଧୀ ସମ୍ୱନ୍ଧୋଚିତ ନିବିଡ଼ ପ୍ରେମବନ୍ଧନକୁ ହଠାତ୍‌ ବିଚ୍ଛିନ୍ନ କରିବାର ଉଚିତ ଅଟେ ?

 

 

ଦୁର୍ଯୋ

– ଆପଣ ଅଦ୍ୟାପି କି ତାହା ରଖିଅଛନ୍ତି ?

 

 

ଧୃତ

– କୁମାର ! ଏ କି କଥା ? କୃଷ୍ଣଙ୍କର ଉଦ୍ଦେଶ୍ୟରେ ବାଧା ଦେବା ମୃତ୍ୟୁଦେବର ଦନ୍ତ ଗଣନା କରିବା ତୁଲ୍ୟ ।

 

 

ଭୀଷ୍ମ

– ଦୁର୍ଯ୍ୟୋଧନ ! ଆମ୍ଭମାନଙ୍କ ସମକ୍ଷରେହିଁ ବନପ୍ରତ୍ୟାବର୍ତ୍ତନ ପରେ ରାଜ୍ୟ ଦେବାକୁ କି ପ୍ରତିଶ୍ରୁତ ହୋଇ ନ ଥିଲା ? ସ୍ମରଣ ରଖ, “ଅସତ୍ୟଂ ନରକାୟୈବ ।”

 

 

ଦ୍ରୋଣ

– ଦୁର୍ଯ୍ୟୋଧନ ମହାରାଜ ! “କାମ ଏଷ କ୍ରୋଧ ଏଷ ରଜୋଗୁଣସମୁଦ୍ଭବଃ ।” ଅତଏବ ସେ ରାଜସୀ ପ୍ରକୃତି ପରିତ୍ୟାଗ କରି ସୌମ୍ୟତା ଅବଲମ୍ୱନ କର ।

 

 

ଦୁଃଶା

– ଗୁରୁ ! ରାଜା ରାଜସୀ ବୃତ୍ତି ଛାଡ଼ି ତୁମ୍ଭ ପରି ଭିକ୍ଷାଶୀ ହେବା କି ଶୋଭନୀୟ-?

 

 

ବିଦୁ

– ଶ୍ରୀକୃଷ୍ଣ ମହାଭାଗ ! ମୁଁ ପୂର୍ବରୁ ଜଣାଉଥିଲି କି, ଚଣ୍ଡାଳ ପରିଷତ୍‌ରେ ଉପନିଷତ୍‌ ପାଠ ପରି ଆପଣଙ୍କର ହିତୋପଦେଶ ଏଠାରେ ନିଷ୍ପ୍ରୟୋଜନ ହେବ । ନକ୍ରର କ୍ରୂରତା, ଶ୍ୱାନଲାଙ୍ଗୁଳକ ଜିହ୍ମତା, ଧୂମର କଳୁଷତା, ଦସ୍ୟୁର ନିର୍ଦୟତା, ମତଙ୍ଗଳର ମୂର୍ଖତା, ବାନରୀ ଫଳର କଣ୍ଡୁଳତା, ହାଳାହଳର ମାରାତ୍ମକ କଟତା, କଣ୍ଟାକର ତୀକ୍ଷ୍‍ଣତା ଅପରିହାର୍ଯ୍ୟ ହେଲା ପରି ଏମାନଙ୍କର ଉଗ୍ର ଓ ମୂଢ଼ ସ୍ୱଭାବ କି କଦାପି ପରିବର୍ତ୍ତିତ ହେବ ?

 

 

କୃଷ୍ଣ

– ବିଦୁର ମହାଭାଗ ! ପରିଶେଷରେ”ଦଣ୍ଡେନ ଗୌର୍ଗାର୍ଦ୍ଧବଃ ।” ତାହାହିଁ ପ୍ରଯୁଜ୍ୟ ହେବ । ଧୃତରାଷ୍ଟ୍ର ମହାରାଜ ! ଆପଣ ଜୀବିତାବସ୍ଥାରେ ଥାଉ ଥାଉ ପୁତ୍ରମାନଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହେବା ସମୁଚିତ ନୁହେ । ଅଜାତଶତ୍ରୁଙ୍କ ହୃଦୟରୁ ଅଦ୍ୟାପି ସୌଭ୍ରାତୃତା, ଗୁରୁଭକ୍ତି, ବଂଶସମ୍ମାନ ଲେଶ ନ୍ୟୂନ ହୋଇ ନାହିଁ । ତୁମ୍ଭେ ପାଞ୍ଚଖଣ୍ଡ ଗ୍ରାମ ଦେଲେ ସୁଦ୍ଧା ସେ ଆନନ୍ଦର ସହିତ ସ୍ୱୀକାର କରିବାକୁ ପ୍ରସ୍ତୁତ ଅଛନ୍ତି । ଏପରି ସ୍ଥିତିରେ ତାହାଙ୍କ ପ୍ରତି ବୈର ସଂସ୍ଥାପନ କରିବା ଅନର୍ଥର ବିଷୟ । ଏକ ଅର୍ବାଚୀନର ଅକୃତ୍ୟରୁ ବୀରବିଗ୍ରହେନ୍ଧନଦୀପ୍ତ ବିଗ୍ରହାନଳ ଭାରତାବଚ୍ଛେଦରେ ଅରାଜକତାର ଚରମ ଭେରୀ ଉଦ୍‍ଘୋଷିତ କରିବା ପରିତାପର କଥା ।

 

 

ଦୁର୍ଯୋ

– ବାସୁଦେବ ! ତୁମ୍ଭର ଏ ଶରନ୍ନେଘଗର୍ଜନଦ୍ୱାରା ମୁଁ ଭୀତ ହେବା ପାତ୍ର ବୋଲି କି ମନେ କରିଅଛି ? ଏ କ୍ଷେତ୍ର ଋଷ୍ୟାଶ୍ରମ ସାଂଖ୍ୟଯୋଗଚର୍ଚ୍ଚାର ସ୍ଥଳ ନୁହେ ଓ ବୃଦ୍ଧଗୋଷ୍ଠୀ ପରିନିଃସହ ଭାଷଣର ସ୍ଥାନ ନୁହେ । ଯୁଦ୍ଧ ବିନା ସେ କାପୁରୁଷ ପାଣ୍ଡବମାନଙ୍କୁ ଥାଉ ପାଞ୍ଚ ଖଣ୍ଡ ଯେ, ସୂଚ୍ୟଗ୍ର ପ୍ରମାଣ ଭୂମି ସୁଦ୍ଧା କଦାପି ଦେବି ନାହିଁ, ଏହା ମୋର ଅକାଟ୍ୟ ମତ ।

 

 

ସାତ୍ୟ

– (କ୍ରୋଧରେ) ଉତ୍ତମ ହେଲା । ଦୁର୍ଯ୍ୟୋଧନ ମହାରାଜ । ଆପଣଙ୍କ ହେତୁ ହେଲେ ଗୃଧ୍ରଶୃଗାଳକୁଳ ସନ୍ତୃପ୍ତ ହୁଅନ୍ତୁ ।

 

 

କର୍ଣ୍ଣ

– ସାତ୍ୟକି ! ସେ କ୍ଷେତ୍ରରେ ଆପଣଙ୍କ ଦର୍ଶନ ଳାଭ କରି ପାରିବି ତ ?

 

 

ସତ୍ୟ

– ସନ୍ଦେହ କଣ ? ସେନା ସମ୍ମୁଖରେ ।

 

 

କୃଷ୍ଣ

– ସାତ୍ୟକି ! ଏ କି କଥା ? ଆମ୍ଭେ ଦୂତ ହୋଇ ଆସିଅଛେ ପରା ?

 

 

ଧୃତ

– କୁମାର ! ବୃଦ୍ଧ ପିତା ମାତାଙ୍କୁ ସୁଦ୍ଧା ଶୋକଦଗ୍ଧ କରିଦେବୁ ? ଶ୍ରୀକୃଷ୍ଣ ଚରମ କରି ଗଲେ ପରମ ଅଭାଗ୍ୟ ବୋଲି ମନେ କର । “ସର୍ବଭୂତସମଦୃଷ୍ଟି” ମହର୍ଷିମାନେ ତ ତୋର କିଛି ଶତ୍ରୁ ନୁହନ୍ତି, ସେମାନଙ୍କ ବଚନ ହେଲେ ଗ୍ରହଣ କରିବୁ ନାହିଁ ?

 

 

ବିଦୁ

– ଧୃତରାଷ୍ଟ୍ର ମହାରାଜ ! ତୁମ୍ଭେ ସହସ୍ର କଥା କହିଲେ ସୁଦ୍ଧା “କର୍ପୂରଧୂଳୀରଚିତାଳବାଳଃ କସ୍ତୂରି କାକଲିପ୍‍ତଦୋହଦଶ୍ରୀଃ । ସୁବର୍ଣ୍ଣକୁମ୍ଭୈରଭିଷିଚ୍ୟମାନଃ ସ୍ୱକଂ ଗୁଣଂ ମୁଞ୍ଚତି କିଂ ପଲାଣ୍ଡୁଃ ।”

 

 

ଭୀଷ୍ମ

– ମୂଢ଼ ଦୁର୍ଯ୍ୟୋଧନ ! ଗର୍ବପର୍ବତର ଶିର ସହସ୍ର ବାଧାବିଘ୍ନସଂକୁଳ ଓ ପରାଭବ ଗୃଧ୍ରମଳଦୂଷିତ ବୋଲି କି ବିସ୍ମୃତ ହୋଇ ଯାଉଅଛୁ ?

 

 

ମାର୍କ

– ଦୁର୍ଯ୍ୟୋଧନ ! ଅନ୍ତଃପ୍ରରୂଢ଼ ଅଧୋଲୋକପ୍ରଦ କ୍ରୁରତର ଅରିଷଟଦ୍ୱାରା ପରାଜୟ ସ୍ୱୀକାର କରି ବହିଃଶତ୍ରୁ ଜିଗୀଷା ବିଷୟରେ ଏଡ଼େ ଆକୃଷ୍ଟ ହେବା ଉଚିତ ନୁହେ ।

 

 

ନାର

– ମହର୍ଷେ ! “ଅଜ୍ଞଃ ସୁଖମାରାଧ୍ୟ ସୁଖତରମାରାଧୃତେ ବିଶେଷଜ୍ଞଃ । ଜ୍ଞାନଲବଦୁବିର୍ଦଗ୍ଧଂ ବ୍ରହ୍ମାପି ନରଂ ନ ରଞ୍ଜୟତି ।” ଅତଏବ ଏ କ୍ଷେତ୍ରରେ ଅସ୍ମାଦୃଶଂ ବନବାସୀ ଋଷିମାନଙ୍କର ବିଶୁଦ୍ଧୋପଦେଶ ନିଷ୍ଫଳ, ଗୁରୁମାନଙ୍କର ସଦୁପଦେଶ ଅନାଦୃତ, ଲବ୍ଧପ୍ରତିଷ୍ଠ ହିତୈଷୀ ମନ୍ତ୍ରିମାନଙ୍କର ତୀକ୍ଷ୍‍ଣ ମେଧା କୁଣ୍ଠିତ ହୋଇଯିବ ।

 

 

ବ୍ୟାସ

– ଅଧମ ଦୁର୍ଯ୍ୟୋଧନ ! ସାବଧାନ, ଏହି ନୀଚ ଦୁରଭିମାନରୁହିଁ ଦମ୍ଭୋଦ୍ଭବ ପ୍ରଭୃତି ଅସଂଖ୍ୟ ବୀରଗଣର ଜୀବନ ଶ୍ରାଦ୍ଧ ହୋଇ ଯାଇଅଛି ।

 

 

ଦ୍ରୋଣ

– ଦୁର୍ଯ୍ୟୋଧନ ମହାରାଜ ! ସ୍ମରଣରେ ରଖ, “ଲୌକିକାନାଂ ହି ସାଧୁନାଂ ଅର୍ଥଂ ବାଗନୁବର୍ତ୍ତତେ । ରୁଷୀଣାଂ ପୂନରାଦ୍ୟାନାଂ ବାଚମର୍ଥୋଽନୁଧାବତି ।” ଅତଏବ ମହର୍ଷିଙ୍କ କଥନାନରୂପ କୁଳକ୍ଷୟଂକରୀ ପନ୍ଥା କଦାପି ଅନ୍ୟଥା ହେବ ନାହିଁ ।

 

 

ସଞ୍ଜ

– ଆଚ୍ଛା, ପରିଶେଷରେ ଯୁଦ୍ଧହିଁ ସ୍ଥିର ହେଲେ ଭୀମାର୍ଜୁନଙ୍କ ସମକ୍ଷରେ ଆମ୍ଭର କିଏ ପ୍ରତିଯୋଗୀ ହେବ ?

 

 

ଦୁଃଶା

– ମୋର ଆୟସୀ ଗଦା ।

 

 

ଭୀଷ୍ମ

– ଛି ଅଧମ ! ରସନା ଛିନ୍ନ ହେଉ ନାହିଁ କାହିଁକି ?

 

 

ଶକୁ

– (ଜନାନ୍ତିକରେ) ଦୁର୍ଯ୍ୟୋଧନ ମହାରାଜ ! ଏହି ଭିକ୍ଷାଶିଙ୍କ କଥାରେ କଦାପି ଧ୍ୟାନ ଦିଅ ନାହିଁ । ଏହିପରି ଦୁର୍ମିଳ ରାଜ୍ୟ ପ୍ରାପ୍ତି ସୁଯୋଗ ପରିତ୍ୟାଗ କଲେ ଦୁର୍ଯୋଗର ସମ୍ଭାବନା-। ଏ ସମସ୍ତେ ପାଣ୍ଡବଙ୍କ ପକ୍ଷପାତୀ ।

 

 

ଦୁର୍ଯୋ

– ଆପଣମାନଙ୍କ କଥା ଶୁଣି ଶୁଣି ମୋ କର୍ଣ୍ଣ ବଧିର ହୋଇଗଲାଣି । ମୋର ଶେଷ ସିଦ୍ଧାନ୍ତ ଏହି କି, “ଧର୍ମ୍ୟାଦ୍ଧି ଯୁଦ୍ଧାତ୍‌ ଶ୍ରେୟୋଽନ୍ୟତ୍‌ କ୍ଷତ୍ରିୟସ୍ୟ ନ ବିଦ୍ୟତେ ।” ଅତଏବ ତଂରଣି ବାରୁଣୀ ଦିଗରୁ ଉଠୁ, କୃଷ୍ଣବର୍ମାର ଉଷ୍ଣତା ତୁଟୁ ଓ ପର୍ବତାଗ୍ର କର୍କଶ ଶିଳାପୃଷ୍ଠରେ ପଦ୍ମ ଫୁଟୁ, ମୁଁ କୃତସଂକଳ୍ପରୁ କଦାପି ବିରତ ହେବି ନାହିଁ ।

 

 

କୃଷ୍ଣ

– (ହସି) କୁରୁରାଜ ! ଜଗତ୍‌ ଅକୀର୍ତ୍ତି ରଟୁ, ବୃଦ୍ଧପିତାମାତାଙ୍କ ହୃଦୟ ଫାଟୁ, କୁରୁକୁଳର ଅନ୍ତିମ ଦୁର୍ଦଶା ଘଟୁ, ପରିଶେଷରେ କିରୀଟମଣ୍ଡିତ ମୁଣ୍ଡ ଗୁଧ୍ର ପଦାଘାତରେ ଲୋଟୁ ଇତ୍ୟାଦି ଆଉ କେତେଗୋଟି ସଦ୍ଧେତୁକ ଆଳଂକାରିକ କଥା ତ୍ୟାଗ କରି ଦେଲେ କାହିଁକି-?

 

 

ଦୁର୍ଯୋ

– (କ୍ରୋଧରେ) ତୁମ୍ଭର ଏ ବ୍ୟଙ୍ଗପୂର୍ଣ୍ଣ ତୀବ୍ର ଭାଷଣର ସମୁଚିତ ଶାସ୍ତି ସହସା ପ୍ରଦାନ କରନ୍ତି । କିନ୍ତୁ ଦୂତ ବୋଲି ଅଦ୍ୟାପି ଅପେକ୍ଷା କରୁଅଛି ।

 

 

କୃଷ୍ଣ

– ତେବେ ମୋ ପ୍ରତି କି ଅନୁଗ୍ରହ ଏବଂ ଧର୍ମଶାସ୍ତ୍ର ପ୍ରତି କି ପ୍ରଗାଢ଼ ଅନୁରାଗ !

 

 

ଦୁର୍ଯୋ

– (କର୍ଣ୍ଣଙ୍କ କର୍ଣ୍ଣରେ କିଛି ଗୁପ୍ତ କଥା କହିବା)

 

 

ନାରଦ

– ମାର୍କଣ୍ଡେୟ ମହାଭାଗ ! ଏ ରହସ୍ୟ ଭାଷଣରେ ମାରାତ୍ମକ ଅନର୍ଥ ବିଦ୍ୟମାନ ।

 

 

ଦୁର୍ଯୋ

– (କ୍ରୋଧରେ) ଦୁଃଶାସନ ! ସର୍ବାନର୍ଥକହେତୁ କଳହାଙ୍କୁର ପାଣ୍ଡବପକ୍ଷପାତୀ ଦୁରାତ୍ମା ଗୋପାଳପାଂଶୁଳକୁ ଶୀଘ୍ର ବନ୍ଧନ କର । (ଉଠିବା)

 

 

ଦୁଃଶା

– ଯେ ଆଜ୍ଞା । (ଉଠି ରଜ୍‍ଜୁ ଧରି ବନ୍ଧନକୁ ଉଦ୍ୟତ ହେବା)

 

 

ବିଦୁ

– ଧୃତରାଷ୍ଟ୍ର ମହାରାଜ ! ସର୍ବନାଶ ହେଲା ।

 

 

ଧୃତ

– କୁଳାଙ୍ଗାର କୁମାର ! ଏ କି କଥା ?

 

 

ସାତ୍ୟ

– (ଖଡ଼୍‍ଗ ଝିଙ୍କି ଉଠି) ଆରେ ଗର୍ବାନ୍ଧ ଧାର୍ତ୍ତରାଷ୍ଟ୍ରାପସଦ ! ଏତେଦୂର ଆସ୍‍ପର୍ଦ୍ଧା ?

 

 

କୃଷ୍ଣ

– (ସାତ୍ୟକିଙ୍କ ହସ୍ତ ଧରି ସାତ୍ୟକି ! ସାବଧାନ, ଭୀଭାର୍ଜୁନଙ୍କ ପ୍ରତିଜ୍ଞାଭଙ୍ଗ ହେବ-।)

 

 

ସାତ୍ୟ

– ଦେବ ! ସେମାନଙ୍କୁ ଶ୍ରମ କାହିଁକି ? ଏ ପାପିଷ୍ଠଙ୍କ ରକ୍ତରେ ଧର୍ମରାଜାଙ୍କର ଶସ୍ତ୍ର ଦୂଷିତ ହେବା ଉଚିତ ନୁହେ ।

 

 

ଦୁର୍ଯୋ

– ସାତ୍ୟକି ! ଏ ଗର୍ଜନ କାହିଁକି ? ଥରେ ଆସି ମୋର ବାହୁବଳ ବୁଝ । (ଦୁହେଁ ଉଦ୍ୟତଖଡ଼୍‍ଗ ହେବା)

 

 

ସର୍ବେ

– ହାୟ ! ହାୟ ! କି ଅତ୍ୟାହିତ କାର୍ଯ୍ୟ ! କି ଲୋମହର୍ଷଣ କାଣ୍ଡ ! (କପାଳରେ କର ମାରିବା)

 

 

 

(ସହସା ବିଶ୍ୱରୂପ ଆବିର୍ଭାବ ।)

 

 

ସର୍ବେ

– (ଆଶ୍ଚର୍ଯ୍ୟ ସ୍ତମ୍ଭିତ ହୋଇ କର ଯୋଡ଼ି)

 

 

“ନମୋସ୍ତ୍ୱନନ୍ତାୟ ସହସ୍ରମୂର୍ତ୍ତୟେ ସହସ୍ରପାଦାକ୍ଷିଶିଲୋରୁବାହବେ ।

ସହସ୍ରନାମ୍ନେ ପୁରୁଷାୟ ଶାଶ୍ୱତେ ସହସ୍ରକୋଟିଯୁଗଧାରିଣେ ନମଃ ।”

 

ସମାପ୍ତ